ଦ୍ବିତୀୟ ଦିନିକିଆ ଆଜି:ପୁଣି ପରୀକ୍ଷାରେ ଇଣ୍ଡିଜ୍

କେବେ କେବେ ଲାଗେ ବିରାଟ ମାନବ ନୁହନ୍ତି: ତମିମ

ବିଶାଖାପାଟଣା : ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ବୁଧବାର ବିଶାଖାପାଟଣାର ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯିବ। ଶୀ‌ର୍ଷକ୍ରମର ଶ୍ରେଷ୍ଠ ପ୍ରଦର୍ଶନରେ ବଳିଆନ ଭାରତ ଏଠାରେ ମଧ୍ୟ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ଲଗାତାର ପରାଜୟ ବରଣ କରି ଚାଲିଥିବା ୱେଷ୍ଟଇଣ୍ଡିଜ୍ ଆଉ ଏକ କଠିନ ପରୀକ୍ଷାର ସମ୍ମୁଖୀନ ହେବ।
ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ରୁତତମ ୧୦,୦୦୦ ରନ୍ ପୂରଣଠାରୁ ଆଉ ମାତ୍ର ୮୧ ରନ୍ ଦୂରରେ ଅଛନ୍ତି। ଆସନ୍ତାକାଲି ହିଁ ସେ ଏହି ମାଇଲଖୁଣ୍ଟ ଛୁଇଁବାକୁ ଚେଷ୍ଟା କରିବେ। ଯାହା ପ୍ରଶଂସକଙ୍କ ମନରେ ଢେର ଉତ୍ସାହ ଭରି ଦେଇଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୫୯ ପାଳିରେ ୧୦,୦୦୦ ରନ୍ ଟପିଥିଲେ। କୋହଲି ବୁଧବାର ନିଜ ୨୦୫ତମ ପାଳି ଖେଳିବେ।
ଗୌହାଟୀ‌ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଜ୍ ୩୨୨ ରନ୍‌ର ବଡ଼ ସ୍କୋର କରିବା ସତ୍ତ୍ବେ ପରାଜିତ ହୋଇଥିଲା। ଅଧିନାୟକ କୋହଲି ଏବଂ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ନିର୍ମମ ପ୍ରହାର ସହ ଇଣ୍ଡିଜ୍ ହାତରୁ ଅତି ସହଜରେ ମ୍ୟାଚ୍ ଛଡ଼ାଇ ନେଇଥିଲେ। ବିଶାଖାପାଟଣାରେ ଭାରତୀୟ ବୋଲର ଗୌହାଟୀ ଅପେକ୍ଷା ଭଲ ବୋଲିଂ କରିବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
ଶୀର୍ଷକ୍ରମ ଭଲ କରୁଥିଲେ ମଧ୍ୟ ଭାରତୀୟ ମଧ୍ୟକ୍ରମ ଏ ପର୍ଯ୍ୟନ୍ତ ପରୀକ୍ଷାର ସମ୍ମୁଖୀନ ହୋଇ ନାହିଁ। ସେଥିପାଇଁ ବୁଧବାର ମଧ୍ୟକ୍ରମକୁ ଇଣ୍ଡିଜ୍ ବୋଲରଙ୍କ ସମ୍ମୁଖୀନ ହେବାର ସୁଯୋଗ ମିଳି‌େଲ ଭାରତ ପାଇଁ ଭଲ। ବିଶାଖାପାଟଣାରେ ଭାରତୀୟ ବୋଲିଂ ବାହିନୀରେ ମଧ୍ୟ କିଛିଟା ପରିବର୍ତନ ହୋଇପାରେ। ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କ ସ୍ଥାନ ନେଇ ପାରନ୍ତି।
ସିମରନ୍ ହେଟମେୟର ଏବଂ କିରଣ ପାୱେଲଙ୍କ ସହ ଅନ୍ୟ ଖେଳାଳିମାନେ ଆସନ୍ତାକାଲି ଭଲ ରନ୍ କରନ୍ତୁ ବୋଲି ଇଣ୍ଡିଜ୍ ଚାହିଁବ। ବିଶେଷ କରି ଅଭିଜ୍ଞ ମାର୍ଲନ ସାମୁଏଲ୍ସଙ୍କଠାରୁ ଏକ ବଡ଼ ସ୍କୋର ଆଶାରେ ଭ୍ରମଣକାରୀ ଦଳ ରହିବ। ଭାରତକୁ ଟକ୍କର ଦେବା ଲାଗି ଇଣ୍ଡିଜ୍ ବୋଲରଙ୍କୁ ମଧ୍ୟ ଶୃଙ୍ଖଳିତ ବୋଲିଂ କରିବାକୁ ପଡ଼ିବ।
ସମ୍ଭାବ୍ୟ ଭାରତ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା‌, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ।
ସମ୍ଭାବ୍ୟ ଇଣ୍ଡିଜ୍ : ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ୍ ହେଟମେୟର, ସାଇ ହୋପ୍, ଆଲଜାରି ଜୋସେଫ, ଆସଲେ ନର୍ସ, କିମୋ ପଲ୍, ରଭମନ ପାୱେଲ, କିରଣ ପାୱେଲ, କେମାର ରୋଚ୍, ମାର୍ଲନ ସାମୁଏଲ୍ସ, ଓସାନେ ଥୋମାସ।

ଦୁବାଇ,: ବାଂଲାଦେଶର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କର ଜଣେ ବଡ଼ ପ୍ରଶଂସକ। ମଙ୍ଗଳବାର ସେ କୋହଲିଙ୍କୁ ନେଇ ଏକ ମଜାଦାର କଥା କହିଛନ୍ତି। ‌ମୋତେ କେବେ କେବେ ଲା‌ଗେ ବିରାଟ ମାନବ ନୁହନ୍ତି। ଏହାର କାରଣ ହେଉଛି, ତାଙ୍କ ପ୍ରଦର୍ଶନ। ସେ ବ୍ୟାଟିଂ ପାଇଁ ଓହ୍ଲାଇଲେ, ଲାଗେ ଯେମିତି ପ୍ରତ୍ୟେକ ମ୍ୟାଚ୍‌ରେ ଶତକ ଅର୍ଜନ କରିନେବେ। ଯାହା ମୋତେ ବହୁତ ଭଲ ଲାଗେ ବୋଲି ଏକ ସାକ୍ଷାତକାର ଅବସରରେ ତମିମ କହିଛନ୍ତି। ସେ କହିଥିଲେ ବିରାଟ ନିଜକୁ ଯେମିତି ଫିଟ୍ ରଖନ୍ତି, ଯେମିତି ନିଜ ଖେଳ ଉପରେ କାମ କରନ୍ତି, ତାହା ପୂରା ଅବିଶ୍ବସନୀୟ। ସେ ତିନିଟି ଯାକ ଫର୍ମାଟରେ ଏକ ନମ୍ବର। ତାଙ୍କୁ କେବଳ ପ୍ରଶଂସା କରାଯାଇପାରେ। ସେ ଏକ ଚମତ୍କାର।

ସମ୍ବନ୍ଧିତ ଖବର