ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତ, ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବ୍ୟାଟିଂକ୍ରମ ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‌ଦ୍ବିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍‌ରେ ବୁଧବାର ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ପାକିସ୍ତାନ ବିପକ୍ଷ ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ପୂର୍ବରୁ ବ୍ୟାଟିଂକ୍ରମକୁ ଚୂଡ଼ାନ୍ତ କରିବା ଲାଗି ଏହି ମ୍ୟାଚ୍‌ ଟିମ୍ ଇଣ୍ଡିଆକୁ ନିଶ୍ଚିତ ଭାବେ ଏକ ଭଲ ମଞ୍ଚ ପ୍ରଦାନ କରିବ। ଅବଶ୍ୟ ରୋହିତ ଶର୍ମା ଓ କେଏଲ୍ ରାହୁଲ ପାଳି ଆରମ୍ଭ କରିବେ ବୋଲି ଅଧିନାୟକ କୋହଲି ପୂର୍ବରୁ ଘୋଷଣା କରିସାରିଛନ୍ତି। ସେହିଭଳି ନିଜେ ତୃତୀୟ ସ୍ଥାନରେ ଖେଳିବେ ବୋଲି ମଧ୍ୟ କହିଛନ୍ତି କୋହଲି। ସେହି ଦୃଷ୍ଟିରୁ ବ୍ୟାଟିଂକ୍ରମର ଶୀର୍ଷ ୩ ସ୍ଥାନ ଲାଗି ଖେଳାଳି ଚୂଡ଼ାନ୍ତ ଆପାତତଃ ସରିସାରିଛି। ତେବେ ମଧ୍ୟକ୍ରମ ଅର୍ଥାତ୍ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନକୁ ନେଇ କିଛିଟା ସଂଶୟ ଅଛି। ଇଂଲଣ୍ଡ ବିପକ୍ଷ ୭ ୱିକେଟ୍ ବିଜୟରେ ଈଶାନ କିଶନ ୭୦ ରନ୍‌ର ପାଳି ଖେଳିବା ଏବଂ ସୂର୍ଯ୍ୟକୁମାର ଯାଦବ ବିଫଳ ହେବା ଏହାକୁ ଅଧିକ ଗୋଳମାଳିଆ କରି ଦେଇଛି।
ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ଆଗରେ ଖେଳିଥିଲେ ଋଷଭ ପନ୍ତ।

ସେପଟେ ରୋହିତ ଏହି ମ୍ୟାଚ୍‌ରେ ଆଦୌ ସାମିଲ ହୋଇନଥିଲେ। ବୁଧବାର ସେ ଖେଳିବାର ସମ୍ଭାବନା ରହିଛି। ଏହା ହେଲେ ଓପନିଂ ଯୋଡ଼ିରେ ଅଦଳ ବଦଳ ହେବ। ତେବେ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏବେ ସବୁଠୁ ଅଧିକ ଚର୍ଚ୍ଚା। ଇଂଲଣ୍ଡ ବିପକ୍ଷରେ ଖୁବ୍‌ କମ୍ ସମୟ ପାଇଁ କ୍ରିଜ୍‌ରେ ରହିଥିବା ହାର୍ଦିକ ସଂପ୍ରତି ବୋଲିଂ କରୁନଥିଲା ବେଳେ ତାଙ୍କୁ କେଉଁ ସ୍ଥାନରେ ଖଞ୍ଜାଯିବ ତାହା କୋହଲିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ବର କୁମାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୩ ୱିକେଟ୍ କରାୟତ୍ତ କରିଥିଲା ବେଳେ ଲେଗ୍ ସ୍ପିନର ରାହୁଲ ଚହର ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ। ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା, ଦ୍ରୁତ ବୋଲର ଶାର୍ଦୁଳ ଠାକୁର ଏବଂ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ବୁଧବାର ଖେଳିବା ଏକପ୍ରକାର ନିଶ୍ଚିତ। ଯଦି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଦର୍ଶନକୁ ବିଚାରକୁ ନିଆଯାଏ, ତା’ହେଲେ ସ୍ପଷ୍ଟ ହୁଏ ଯେ କଙ୍ଗାରୁ ଦଳ ବିପକ୍ଷ ଗତ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୦ରେ ଜିତିଥିଲା ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରର ପ୍ରଦର୍ଶନ ଅନୁସାରେ ଭାରତ ଗତ ୫ ବର୍ଷ ଭିତରେ ୭୦ ଟ୍ବେଣ୍ଟି-୨୦ ଖେଳି ୪୫ଟିରେ ବିଜୟୀ ହୋଇଛି।

ଚଳିତ ବିଶ୍ବକପ୍‌ର ଅଭ୍ୟାସ ପର୍ଯ୍ୟାୟକୁ ଦେଖିଲେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ନିଜ ନିଜ ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ଭାରତ ତା’ର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଥିଲା। ସେହିଭଳି ଅଷ୍ଟ୍ରେଲିଆ ପଡ଼ୋଶୀ ନ୍ୟୁଜିଲାଣ୍ଡକୁ ‌ଶେଷ ଓଭରରେ ଜୋସ୍ ଇଙ୍ଗଲିସ୍‌ଙ୍କ ଯୁଗଳ ଚୌକା ବଳରେ ୩ ୱିକେଟ୍‌ରେ ପରାସ୍ତ କରିଥିଲା। ଆଇପିଏଲ୍‌ ଭଳି ଓପନର ଡେଭିଡ୍ ୱାର୍ଣ୍ଣରଙ୍କ ବିଫଳତା ଧାରା କିନ୍ତୁ ପୂର୍ବ ଭଳି ଜାରି ରହିଥିଲା। ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍ ଭଲ ବୋଲିଂ କରିଥିଲେ। ବୁଧବାର ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସ୍ ବୋଲିଂ କରିବାର ସଙ୍କେତ ଅଷ୍ଟ୍ରେଲିଆକୁ ଉତ୍ସାହିତ କରିଛି। ପାରମ୍ପରିକ ଭାବେ ଅଷ୍ଟ୍ରେଲିଆ କେବେ ବି ଏକ ଟ୍ବେଣ୍ଟି-୨୦ ମହାଶକ୍ତି ଭାବେ ବିବେଚିତ ହୋଇନି। ଏହି ଅବଧାରଣାକୁ କିନ୍ତୁ ଅଷ୍ଟ୍ରେଲିଆ ବଦଳାଇବା ଲକ୍ଷ୍ୟରେ ରହିଛି। ଏହି ଦଳ ମଧ୍ୟ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ଆଶାରେ ରହିବ।
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରାହୁଲ ଚହର, ରବିଚନ୍ଦ୍ରନ୍‌ ଅଶ୍ବିନ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଶାର୍ଦୁଳ ଠାକୁର।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ୍ (ଅଧିନାୟକ), ଅଷ୍ଟନ ଅଗର, ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, ଜୋସ୍ ଇଙ୍ଗଲିସ୍, ମିଚେଲ ମାର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍, କେନ୍ ରିଚାର୍ଡସନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ମିଚେଲ ସ୍ବିପସନ୍, ମାଥ୍ୟୁ ୱେଦ୍, ଡେଭିଡ୍ ୱାର୍ଣ୍ଣର, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର