ଅହମଦାବାଦ: ଏଲିମିନେଟରରେ ଆକାଶ ମାଧୱାଲଙ୍କ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବଡ଼ ବ୍ୟବଧାନରେ ହରାଇ ୫ ଥରର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ଟ୍ରଫି ହାସଲ ଆଶା ଉଜ୍ଜୀବିତ ରଖିଛି। ଏବେ ମୁମ୍ବାଇ ତା’ର ଭାଗ୍ୟକୁ ଶୁକ୍ରବାର ହେବାକୁ ଥିବା କ୍ବାଲିଫାୟର-୨ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ବିପକ୍ଷରେ ପରୀକ୍ଷା କରିବ। ଏହି ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ରାତି ସାଢେ ୭ଟାରେ ଖେଳାଯିବ। ଏଥିପୂର୍ବରୁ ଉଭୟ ଦଳ ପରସ୍ପର ସହ ଦୁଇ ଥର ଭେଟାଭେଟି ହୋଇଥିଲା ବେଳେ ପ୍ରତ୍ୟେକ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ପ୍ରଥମ ମ୍ୟାଚ୍ରେ ଗୁଜରାଟ ୫୫ ରନ୍ରେ ବିଜୟୀ ହୋଇଥିଲା ବେଳେ ଦ୍ବିତୀୟ ମୁହାଁମୁହିଁରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ସହାୟତାରେ ମୁମ୍ବାଇ ୨୭ ରନ୍ରେ ବିଜୟୀ ହୋଇଥିଲା। ଉଭୟ ଦଳ ମଧ୍ୟ ଚଳିତ ସଂସ୍କରଣରେ ପିଛା କରି ସର୍ବାଧିକ ଥର ଜିତିବାରେ ଶ୍ରେଷ୍ଠ ଦୁଇ ଦଳ ରହିଛନ୍ତି। ଉଭୟେ ୯ ଲେଖାଏଁ ମ୍ୟାଚ୍ରେ ଚେଜ୍ କରି ୬ ଲେଖାଏଁ ମ୍ୟାଚ୍ ଜିତିଛନ୍ତି।
ଲକ୍ଷ୍ନୌକୁ ହରାଇବା ପରେ ମୁମ୍ବାଇ ତା’ର ପ୍ରତିଦ୍ବନ୍ଦ୍ବୀଙ୍କୁ ସତର୍କ କରାଇଦେଇଛି। ଦଳରେ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପରିସ୍ଥିତି ଅନୁସାରେ ଯୁବ ଖେଳାଳିମାନେ ବି ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇପାରୁଛନ୍ତି। ତେଣୁ ଏଲିମିନେଟରରୁ ବିଜୟୀ ହେବା ପରେ ମୁମ୍ବାଇର ମନୋବଳ ଊର୍ଦ୍ଧ୍ବରେ ରହିଥିଲା ବେଳେ ପ୍ରଥମ କ୍ବାଲିଫାୟରରେ ଚେନ୍ନାଇ ସୁପର କିଙ୍ଗ୍ସଠୁ ହାରିଯାଇଥିବା ଗୁଜରାଟ ପୁଣି ଥରେ ବିଜୟ ହାସଲ କରି ଲଗାତାର ଦ୍ବିତୀୟ ଥର ଫାଇନାଲ୍ରେ ପହଞ୍ଚିବାକୁ ଚେଷ୍ଟା କରିବ। ଗତ ସଂସ୍କରଣରେ ତଳେ ରହିଯାଇଥିବା ମୁମ୍ବାଇ ଏଥର ଉତ୍ଥାନ ପତନ ଦେଇ ପ୍ଲେ ଅଫ୍ରେ ପହଞ୍ଚିଥିଲା। କାମେରନ୍ ଗ୍ରିନ୍, ସୂର୍ଯ୍ୟକୁମାର ଯାଦବ, ଟମ୍ ଡେଭିଡ୍ଙ୍କ ଭଳି ବ୍ୟାଟର ସବୁ ପ୍ରକାରର ଆହ୍ବାନକୁ ସାମ୍ନା କରିବାରେ ସିଦ୍ଧହସ୍ତ। ଏପରିକି ଏମାନେ ଏବେ ଦଳର ମେରୁଦଣ୍ଡ ପାଲଟିଗଲେଣି। ଏଥିସହ ଯୁବ କ୍ରିକେଟର ନେହଲ ୱାଧିରା ଆବଶ୍ୟକସ୍ଥଳେ ପ୍ରଭାବ ପକାଇପାରୁଥିଲା ବେଳେ ପ୍ରାରମ୍ଭିକ ଯୋଡ଼ିରେ ରୋହିତ ଓ ଈଶାନ କିଶନ ରନ୍ ବାହାର କରୁଛନ୍ତି।
ତଥାପି ଏମାନଙ୍କୁ ଗୁଜରାଟ ବୋଲିଂ ଆକ୍ରମଣକୁ ସାମ୍ନା କରିବା ସେତେଟା ସହଜ ହୋଇନପାରେ। ମହମ୍ମଦ ସାମି ଏବେ ୧୫ ମ୍ୟାଚ୍ରୁ ସର୍ବାଧିକ ୨୬ ୱିକେଟ୍ ନେଇ ପ୍ରତ୍ୟେକ ବ୍ୟାଟରଙ୍କ ପାଇଁ ସତର୍କ ଘଣ୍ଟି ହୋଇସାରିଛନ୍ତି। ସେହିପରି ରସିଦ୍ ଖାନ୍ ମଧ୍ୟ ସର୍ବାଧିକ ୱିକେଟ୍ ଦଖଲରେ ଦ୍ବିତୀୟରେ ରହିଛନ୍ତି। ରସିଦ୍ ମଧ୍ୟ ଆଇପିଏଲ୍ରେ ରୋହିତ ଶର୍ମାଙ୍କୁ ୬ ପାଳିରୁ ୪ ଥର ଆଉଟ୍ କରିଛନ୍ତି। ବ୍ୟାଟିଂରେ ମଧ୍ୟ ରସିଦ୍ ବଡ଼ ସର୍ଟ ଖେଳିପାରୁଛନ୍ତି। ଫଳରେ ଉଭୟ ସାମି ଓ ରସିଦ୍ଙ୍କୁ ଟକ୍କର ଦେବା ପାଇଁ ମୁମ୍ବାଇ ତାହାର ଅଭିଜ୍ଞ ସ୍ପିନର ପୀୟୂଷ ଚାୱଲା (୨୧ ୱିକେଟ୍, ୧୫ ମ୍ୟାଚ୍)ଙ୍କୁ ପଡ଼ିଆକୁ ଓହ୍ଲାଇବ। ଏଥିସହ ଜାସନ୍ ବେହରେନଡର୍ଫ (୧୪ ୱିକେଟ୍, ୧୧ ମ୍ୟାଚ୍), କ୍ରିସ୍ ଜୋର୍ଡାନ୍ ମୁମ୍ବାଇ ବୋଲିଂ କ୍ରମକୁ ଶକ୍ତି ଯୋଗାଉଛନ୍ତି। ଗୁଜରାଟର ଶୁବମନ ଗିଲ୍ ଓ ବିଜୟ ଶଙ୍କର ଲିଗ୍ ପର୍ଯ୍ୟାୟରେ ଅନେକ ରନ୍ ଉଠାଇଥିଲେ। ହେଲେ କ୍ବାଲିଫାୟର-୧ରେ ଗିଲ୍ଙ୍କ ବ୍ୟାଟ୍ ଶାନ୍ତ ପଡ଼ିବାରୁ ଗୁଜରାଟକୁ ସଂଘର୍ଷ କରିବାକୁ ପଡ଼ିଥିଲା। କିନ୍ତୁ ଦୁଇଟି ଶତକ ମାରିଥିବାରୁ ତାଙ୍କର ମନୋବଳ ହ୍ରାସ ପାଇବନି। ତେଣୁ ସେ ମୁମ୍ବାଇ ପାଇଁ ସବୁଠୁ ବଡ଼ ବିପଦ ହୋଇପାରନ୍ତି। ଗିଲ୍ (୭୨୨) ଏବେ ଅରେଞ୍ଜ କ୍ୟାପ୍ଠୁ (ଫାଫ୍ ଡୁପ୍ଲେସିସ୍ ୭୩୦) ୮ ରନ୍ ଦୂରରେ ଅଛନ୍ତି। ଏହାବାଦ୍ ଅଧିନାୟକ ପାଣ୍ଡ୍ୟା ଓ ଡେଭିଡ୍ ମିଲରଙ୍କ ବ୍ୟାଟରୁ ଦଳ ବଡ଼ ରନ୍ ଆଶା ରଖିଛି। ପାଣ୍ଡ୍ୟା ଗତ ୫ ପାଳିରେ ୮, ୮, ୪, ୨୫ ରନ୍ କରିଥିବା ବେଳେ ମିଲର ଏପର୍ଯ୍ୟନ୍ତ ଗୋଟିଏ ବି ଅର୍ଦ୍ଧଶତକ ମାରିପାରିନାହାନ୍ତି। ଏମିତିକି ତ ୩ ମ୍ୟାଚ୍ରେ ଦୁଇ ଅଙ୍କ ଛୁଇଁପାରିନାହାନ୍ତି। ତେଣୁ ଶୁକ୍ରବାର ରାତିରେ ୫ ଥରର ବିଜେତା ସହ ଗତଥରର ବିଜେତା ମଧ୍ୟରେ କଡ଼ା ପ୍ରତିଦ୍ବଦ୍ବିତା ଦେଖିବାକୁ ମିଳିପାରେ।
ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ୧୨: ଈଶାନ କିଶନ, ରୋହିତ ଶର୍ମା, କାମେରନ ଗ୍ରିନ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଟିମ୍ ଡେଭିଡ୍, କ୍ରିସ୍ ଜୋର୍ଡାନ, ହ୍ରିତିକ ଶୋକିନ୍/ନେହାଲ ୱାଧେରା, ପୀୟୂଷ ଚାୱଲା, ଜାସନ୍ ବେହରେନଡର୍ଫ, ଆକାଶ ମାଧୱାଲ, କୁମାର କାର୍ତିକେୟ।
ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ୧୨: ଶୁବମନ ଗିଲ୍, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, ଡେଭିଡ୍ ମିଲର, ସାଇ ସୁଦର୍ଶନ/ଅଭିନବ ମନୋହର, ରାହୁଲ ତିୱାତିଆ, ରସିଦ ଖାନ୍, ଜୋସୁଆ ଲିଟିଲ୍/ୟାଶ୍ ଦୟାଲ, ମୋହିତ ଶର୍ମା, ନୂର ଅହମ୍ମଦ, ମହମ୍ମଦ ସାମି।