ଦ୍ବିତୀୟ ଟ୍ବେଣ୍ଟି-୨୦, ବର୍ଷା ଛଡ଼ାଇନେଲା ଭାରତ ସୁଯୋଗ

ମେଲ୍‌ବର୍ନ: ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପାଇଁ ବର୍ଷା କାଳ ସାଜିଛି। ବ୍ରିସ୍‌ବନ୍‌ରେ ମ୍ୟାଚ୍‌ ମଝିରେ ବର୍ଷା ହେବାରୁ ଡି/ଏଲ୍‌ ପଦ୍ଧତି ଅନୁଯାୟୀ ଭାରତ ସମ୍ମୁଖରେ ବଡ଼ ସ୍କୋର୍‌ର ଲକ୍ଷ୍ୟ ରହିଥିଲା। ତଥାପି ଏହାକୁ ପିଛା କରି ଭାରତ ୪ ରନ୍‌ ଦୂରରେ ଅଟକିଗଲା। ଘରୋଇ ଦଳ ବର୍ଷା ନିୟମରେ ଜିତି ୧-୦ର ଅଗ୍ରଣୀ ପାଇଥିଲା। ହେଲେ ଶୁକ୍ରବାର ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ବୋଲରମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଅଷ୍ଟ୍ରେଲିଆକୁ କାବୁ କରିବାରେ ସମର୍ଥ ହୋଇଥିଲେ। ଟସ୍‌ ଜିତି ବିରାଟ କୋହଲି ଘରୋଇ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ କରିଥିଲେ। ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ହିଁ ଭୁବନେଶ୍ବର କୁମାର ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କୁ ଖାତା ଖୋଳିବାକୁ ନଦେଇ ଆଉଟ୍‌ କରିବା ପରେ ଲଗାତାର ଦୁଇ ଓଭର ମଧ୍ୟରେ ଅନ୍ୟତମ ଦ୍ରୁତ ବୋଲର ଖଲିଲ ଅହମ୍ମଦ ବିପଦ୍‌ଜନକ କ୍ରିସ୍‌ ଲିନ୍‌ (୧୩) ଓ ଡି ଆର୍କି ସର୍ଟ (୧୪)ଙ୍କୁ ପାଭିଲିୟନ୍‌ ପଠାଇ ଭାରତକୁ ଦୃଢ଼ ସ୍ଥିତି ଦେଇଥିଲେ। ଏହାପରେ ମାର୍କସ୍‌ ଷ୍ଟୋଇନିସ୍‌ (୪)ଙ୍କୁ ଯଶ୍‌ପ୍ରୀତ୍‌ ବୁମ୍‌ରା ଆଉଟ୍‌ କରି ୪୧/୪ରେ ଅଷ୍ଟ୍ରେଲିଆକୁ ସଂଘର୍ଷ କରିବା ପାଇଁ ବାଧ୍ୟ କରିଥିଲେ। ପୁଣି ପ୍ରଥମ ମ୍ୟାଚ୍‌ରେ ବ୍ୟୟବହୁଳ ବୋଲିଂ କରିଥିବା କୃନାଲ ପାଣ୍ଡ୍ୟା ମ୍ୟାଚ୍‌ରେ ଖୁବ୍‌ ଭଲ ବୋଲିଂ କରି ଗ୍ଲେନ୍‌ ମ୍ୟାକ୍ସୱେଲ (୧୯)ଙ୍କୁ ଆଉଟ୍‌ କରିଦେବା ପରେ କୁଲ୍‌ଦୀପ୍‌ ଯାଦବ ୱିକେଟ୍‌ରକ୍ଷକ ଆଲେକ୍ସ କାରେ (୪)ଙ୍କୁ ଶିକାର କରିନେଇଥିଲେ। ଏହାପରେ ବେନ୍‌ ମ୍ୟାକ୍‌ଡର୍ମଟ୍‌ (୩୨*) ଓ ନାଥନ୍‌ କୁଲ୍‌ଟର ନିଲେ ଦ୍ରୁତ ରନ୍‌ କରିବାରୁ ଏକଦା ୭୪ ରନ୍‌ରେ ୬ ୱିକେଟ୍‌ ହରାଇଥିବା ଅଷ୍ଟ୍ରେଲିଆ ୧୦୦ ଟପି ଯାଇଥିଲା। ନିଲେ ୯ ବଲ୍‌ରୁ ୨ ଛକା ଓ ୧ ଚୌକା ବଳରେ ୧୮ ରନ୍‌ କରିଥିଲା ବେଳେ ଭୁବନେଶ୍ବର କୁମାର ତାଙ୍କୁ ଆଉଟ୍‌ କରିଥିଲେ। ମାତ୍ର ମ୍ୟାକ୍‌ଡର୍ମଟ୍‌ଙ୍କ ସହ ମିଶି ଆଣ୍ଡରୁ ଟାଇ (୧୨*) ୩୧ ରନ୍‌ ଯୋଡ଼ିଥିଲା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା। ସେତେବେଳକୁ ଅଷ୍ଟ୍ରେଲିଆ ୧୯ ଓଭରରେ ୭ ୱିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ଫଳରେ ଭାରତ ପାଇଁ ଏହି ମ୍ୟାଚ୍‌ ଜିତିବାର ବଡ଼ ସୁଯୋଗ ରହିଥିଲା। ହେଲେ ବର୍ଷା ଶେଷରେ ଦାଉ ସାଧିଲା। ପ୍ରାୟ ଦେଢ଼ଘଣ୍ଟା ଅପେକ୍ଷା କରିବା ପରେ ଆଉ ଖେଳ ସମ୍ଭବ ହୋଇପାରିବ ନାହିଁ ବୋଲି ଅମ୍ପାୟାର ଘୋଷଣା କରିବାରୁ ଭାରତ ଖୁବ୍‌ ନିରାଶ ହୋଇପଡ଼ିଲା। ବର୍ଷା ଭାରତଠୁ ବିଜୟ ସୁଯୋଗ ଛଡ଼ାଇନେବାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଏବେ ବି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଲା। ଆସନ୍ତା ରବିବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ସିଡ୍‌ନିରେ ଖେଳାଯିବ। ଶୃଙ୍ଖଳା ନିର୍ଣ୍ଣାୟକ ଥିବାରୁ ରବିବାର ମ୍ୟାଚ୍‌ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି।

ସମ୍ବନ୍ଧିତ ଖବର