ଦ୍ବିତୀୟ ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ହରାଇଲା ଇଂଲଣ୍ଡ

ବାର୍ବାଡସ୍‌: ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ୯ ୱିକେଟ୍‌ରେ ହାରିଥିବା ଇଂଲଣ୍ଡ ରବିବାର ଦ୍ବିତୀୟ ମ୍ୟାଚ୍‌କୁ ୧ ରନ୍‌ରେ ଜିତି ନେଇଛି। ଫଳ‌ରେ ୫ ମ୍ୟାଚ୍‌ ବିଶି‌ଷ୍ଟ ଏହି ଶୃଙ୍ଖଳା ଏବେ ୧-୧ ସାମନ ସ୍ଥିତିରେ ରହିଛି। ରବିବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ଟସ୍‌ ଜିତି ‌ବୋଲିଂ ନିଷ୍ପତ୍ତି‌ ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୮ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା। ଜାସନ ରୟ ୪୫ , ମୋଇନ ଅଲୀ ୩୧, କ୍ରିସ ଜୋର୍ଡାନ ୨୭ ଓ ଟମ୍‌ ବାଟନ ୨୫ ରନ୍‌ କରିଥିଲେ। ୱେଷ୍ଟ୍‌ଇଣ୍ଡିଜ ପକ୍ଷରୁ ଜାସନ ହୋ‌ଲଡର ଓ ଫାବିଆନ୍‌ ଆଲେନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

୧୭୨ ରନ୍‌ର ପିଛା କରିବାକୁ ଯାଇ ଘରୋଇ ଦଳ ୬୫ ରନ୍‌ରେ ୭ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିଲା। ଅକିଲ ହୁସେନ (୪୪*, ୧୬ ବଲ୍‌, ୩ ଚୌକା, ୪ ଛକା) ଓ ରୋମାରିଓ ସେଫର୍ଡ (୪୪*, ୨୮ ବଲ୍‌, ୧‌ ଚୌକା, ୫ ଛକା) ଅପରାଜିତ ରହି ଦଳକୁ ବିଜୟର ନିକଟତର କରିଥି‌ଲେ ମଧ୍ୟ ୧୭୦/୮ରେ ଅଟକି ଯାଇଥିଲେ। ଶେଷ ଓଭ‌ରରେ ୩୦ ରନ୍‌ ଆବଶ୍ୟକ ଥିଲା ବେଳେ ବୋଲିଂକୁ ଆସିଥିଲେ ସକିବ ଅହମ୍ମଦ। ଏହି ଓଭରରେ ଶେଷ ୩ ବଲ୍‌ରେ ହୁସେନ ୩ ଛକା ମରିଥିଲେ ମଧ୍ୟ ୨୮ ରନ୍‌ ସଂଗ୍ରହ ହେବାରୁ ଇଣ୍ଡିଜ୍‌କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଇଂଲଣ୍ଡର ଦୁଇ ସ୍ପିନର ମୋଇନ ଅଲୀ (୪-୦-୨୪-୩) ଓ ଆଦିଲ ରସିଦ (୪-୧-୨୪-୨)ଙ୍କ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମୋଇନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର