ହରାରେ : ଦକ୍ଷିଣ ଆଫ୍ରିକାକୁ ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୧ରେ ପରାସ୍ତ କରିବା ପରେ ଜିମ୍ବାୱେ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ୍ ଦଳ ଶୁକ୍ରବାର ପରାଜୟର ସାମ୍ନା କରିଛି। ଘରୋଇ ଦଳ ବିପକ୍ଷ ପ୍ରଥମ ଟି-୨୦କୁ ୧୧ ରନ୍ରେ ଜିତି ନେଇଥିବା ଶକ୍ତିଶାଳୀ ପାକିସ୍ତାନ କମ୍ ସ୍କୋର୍ ବିଶିଷ୍ଟ ଦ୍ବିତୀୟ ଟି-୨୦କୁ ୧୯ ରନ୍ରେ ହାରିଯାଇଛି। ଜିମ୍ବାୱେ ଦେଇଥିବା ୧୧୯ ରନ୍ର ଛୋଟିଆ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ଶେଷ ବଲ୍ ପୂର୍ବରୁ ୯୯ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଘାତକ ବୋଲିଂ କରିଥିବା ଘରୋଇ ଦଳର ଲୁକେ ଜଙ୍ଗ୍ୱେ (୩.୫-୦-୧୮-୪) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପରସ୍ପର ମଧ୍ୟରେ ଗତ ୧୫ ଟି-୨୦ ମ୍ୟାଚ୍ରେ ଜିମ୍ବାୱେର ଏହା ପ୍ରଥମ ବିଜୟ।
ଟସ୍ ଜିତି ବାବର ଆଜମ୍ଙ୍କ ଦଳ ପ୍ରଥମେ ବୋଲିଂ ନେଇଥିଲା। ମହମ୍ମଦ ହାସ୍ନେନ୍ (୨/୧୯), ଦାନିସ ଆଜିଜ୍ (୨/୨୯), ଅର୍ସାଦ୍ ଇକ୍ବାଲ (୧/୧୬), ହାରିସ୍ ରଫ୍ (୧/୧୦), ଉସ୍ମାନ କାଦିର (୧/୨୮) ଓ ଫହିମ ଅର୍ସଫ୍ (୧/୧୦) ଭଲ ବୋଲିଂ କରିବାରୁ ଜିମ୍ବାୱେ ପାଳି ୧୧୮/୯ରେ ସୀମିତ ରହିଥିଲା। କାମୁନହୁକୁମେ ୩୪, ଚକଭା ୧୮, ମାଧେଭେରେ ୧୬, ମୁରୁମାନି ଓ ମୁସାକାନ୍ଦା ୧୩ ରନ୍ ଲେଖାଏଁ କରିଥିଲେ। ଜବାବରେ ଅଧିନାୟକ ବାବର ଆଜମ୍ (୪୧), ଦାନିସ ଆଜିଜ୍ (୨୨) ଓ ମହମ୍ମଦ ରିଜ୍ୱାନ୍ (୧୩)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ସତ୍ତ୍ବେ ପାକିସ୍ତାନ ୧୯.୫ ଓଭରରେ ୯୯ ରନ୍ କରି ସବୁ ୱିକେଟ୍ ହରାଇଥିଲା। ଦୁଇଟି ରନ୍ ଆଉଟ୍ ସାଙ୍ଗକୁ ଜଙ୍ଗ୍ୱେଙ୍କ ୪, ରିୟାନ୍ ବୁର୍ଲ (୨/୨୧), ବ୍ଲେସିଙ୍ଗ୍ ମୁଜାରବାନି (୧/୨୪) ଓ ରିଚାର୍ଡ ଏନ୍ଗାରାଭା (୧/୧୦)ଙ୍କ କମାଲ ବୋଲିଂ ଯୋଗୁଁ ଜିମ୍ବାୱେ ଜବରଦସ୍ତ ବିଜୟ ହାସଲ କରିଥିଲା। ଏହି ବିଜୟ ସହିତ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚିଯାଇଛି।