ଆଜି ଦ୍ୱିତୀୟ ଟ୍ବେଣ୍ଟି-୨୦: ପୁଣି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ଧର୍ମଶାଳା : ଆଜି ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ୬୨ ରନ୍‌ରେ ଜିତିନେଇଥିବା ଘରୋଇ ଭାରତ କାଲିର ମ୍ୟାଚ୍‌କୁ ଜିତି ଆଉ ଏକ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। କାଲି ଜିତିଲେ ଏହା ମଧ୍ୟ ଭାରତ ପାଇଁ ଲଗାତାର ଏକାଦଶ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଜୟ ହେବ। ଏହା ପୂର୍ବରୁ ଭାରତ ଗତବର୍ଷ ନଭେମ୍ବର ୩ରୁ କ୍ରମାଗତ ଭାବେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିଆସୁଛି। ଆବୁଧାବିରେ ଆଫ୍‌ଗାନିସ୍ତାନକୁ, ଦୁବାଇରେ ସ୍କଟ୍‌ଲାଣ୍ଡ୍‌ ଓ ନାମିବ୍ୟାକୁ ହରାଇବା ପ‌ରେ ଉଭୟ ନ୍ୟୁଜିଲାଣ୍ଡ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ଲେଖାଏଁ ଶୃଙ୍ଖଳା (ଜୟପୁର, ରାଞ୍ଚି, କୋଲ୍‌କାତା)କୁ ମୂଳପୋଛ କରିଥିଲା। ଏବେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ ଜିତି କ୍ରମାଗତ ୧୦ ବିଜୟ ପାଇସାରିଛି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ ନିକଟରୁ ହାରି ସଅଳ ବିଦାୟ ନେବା ପରଠାରୁ ୪ ମାସ ମଧ୍ୟରେ ଯୁବ ପ୍ରତିଭାଙ୍କ ବଳରେ ଭାରତ ଏଭଳି ପ୍ରଦର୍ଶନ କରିଚାଲିଛି। ସେହି ଦୃଷ୍ଟିରୁ କାଲିର ମ୍ୟାଚ୍‌ ଜିତି ଦୁଇ ସପ୍ତାହ ମଧ୍ୟରେ ଦ୍ବିତୀୟ (ୱେଷ୍ଟଇଣ୍ଡିଜ୍‌ ପରେ) ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ। ଏଠାରେ ସୂଚନାଯୋଗ୍ୟ, କ୍ରମାଗତ ଭାବେ ସର୍ବାଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବା‌ର କୀର୍ତ୍ତିମାନ ଉଭୟ ଆଫ୍‌ଗାନିସ୍ତାନ ଏବଂ ରୋମାନିଆ (ପ୍ର‌ତ୍ୟେକ ୧୨) ନାମରେ ଯୁଗ୍ମ ଭାବେ ରହିଛି।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଯୁବ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଈଶାନ କିଶନ ଏବଂ ଶ୍ରେୟସ ଆୟର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ଏହାପରେ ବୋଲରମାନେ ମିଳିତ ଭାବେ ସିଂହଳୀ ବ୍ୟାଟର୍‌ଙ୍କୁ ଘାଇଲା କରିଥିଲେ। ଏପରିକି ବିରାଟ କୋହଲି ଏବଂ ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ କେହି ଦେଇନଥିଲେ। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ପାଇଁ ଘରୋଇ ଦଳ ବିନା ପରିବର୍ତନରେ ପଡ଼ିଆକୁ ଓହ୍ଲାଇବ। କେବଳ ଆବଶ୍ୟକ ପଡ଼ିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଉପରେ ବ୍ୟାଟିଂ ସୁଯୋଗ ଦେବାକୁ ରୋହିତ ଚିନ୍ତା କରିଛନ୍ତି। ସେହିପରି ପ୍ରଥମ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ ମଧ୍ୟ ବ୍ୟାଟିଂ ସୁଯୋଗ ପାଇନଥିବା ସଞ୍ଜୁ ସାମ୍‌ସନ୍‌ ତାଙ୍କ ପାଳି ପାଇଁ ବ୍ୟାକୁଳ ରହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜି ଭାରତର ଲଗାତାର ୧୦ ମ୍ୟାଚ୍‌ ବିଜୟ ଧାରାକୁ ରୋକିବାକୁ ପ୍ରୟାସ କରିବ। ପୁଣି ଭାରତରେ ୧୬ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି ୧୨ ହାରିବାର ପ୍ରଦର୍ଶନରେ ଉନ୍ନତି ଆଣିବାକୁ ନିଶ୍ଚୟ ଚେଷ୍ଟା କରିବ। ତଥାପି ଆଗଧାଡ଼ିର ସ୍ପିନର ମହେଶ ଥିକ୍‌ସାନା ଏବଂ ଅଲ୍‌ରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କ ସହିତ କୁଶାଲ ମେଣ୍ଡିସ୍‌ଙ୍କ ଅନୁପସ୍ଥିତିରେ ଭ୍ରମଣକାରୀ ଦଳ ସଂଘର୍ଷ କରୁଛି। ଅଧିନାୟକ ଦାସୁନ ସଣକା ବୋଲିଂ କରିଥିଲେ ବି ଭାରତୀୟ ବ୍ୟାଟର୍‌ଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ। ତେଣୁ କାଲିର ମ୍ୟାଚ୍‌ ପାଇଁ ଭ୍ରମଣକାରୀ ଦଳ ଦୁଇଟି ପରିବର୍ତନ କରିବାର ଆଭାସ ଦେଇଛି। ବ୍ୟାଟିଂକ୍ରମକୁ ମଜବୁତ୍‌ କରିବା ପାଇଁ କାମିଲା ମିଶାରାଙ୍କ ବଦଳରେ ଦନୁଷ୍କା ଗୁଣତିଳକା ଏବଂ ଦୀନେଶ ଚାନ୍ଦିମାଳଙ୍କ ବଦଳରେ ନିରୋସାନ୍‌ ଡିକ୍‌ୱାଲାଙ୍କୁ ସାମିଲ କରିବ।

ଋତୁରାଜଙ୍କ ସ୍ଥାନରେ ମୟଙ୍କ
ଋତୁରାଜ ଗାଏକ୍ବାଡ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲା ବେଳେ ପରବର୍ତୀ ଦୁଇଟି ମ୍ୟାଚ୍‌ ପାଇଁ ତାଙ୍କ ବଦଳ ଖେଳାଳି ଭାବେ ମୟଙ୍କ ଅଗ୍ରୱାଲଙ୍କୁ ଶୁକ୍ରବାର ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସାମିଲ କରାଯାଇଛି। ତୁରନ୍ତ ଧର୍ମଶାଳାରେ ପହଞ୍ଚିବାକୁ ମୟଙ୍କଙ୍କୁ ମଧ୍ୟ ବିସିସିଆଇ କହିଛି। ମୟଙ୍କ ଏବେ ଚଣ୍ଡିଗଡ଼ରେ ସଂଗରୋଧରେ ରହିଥିବା ଭାରତୀୟ ଟେଷ୍ଟ ଦଳ ସହ ରହିଥିଲେ। ସେ ଜୈବ ବଳୟରେ ରହିଥିବାରୁ ତାଙ୍କୁ ଧର୍ମଶାଳା ପଠାଇବା କଷ୍ଟସାଧ୍ୟ ନୁହେଁ ବୋଲି ବିସିସିଆଇ କହିଥିଲା।

ଶ୍ରୀଲଙ୍କା ଟେଷ୍ଟ୍‌ ଦଳରେ କୁଶାଲ ଓ ନିରୋସାନ
ଚଳିତ ଭାରତ ଗସ୍ତରେ ପ୍ରଥମେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଥିବା ଶ୍ରୀଲଙ୍କା ଆଗାମୀ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଶୁକ୍ରବାର ଦଳ ଘୋ‌ଷଣା କରିଛି। ନବାଗତ ଲେଗ୍‌ସ୍ପିନର ଜେଫ୍‌ରେ ବନ୍ଦର୍‌ସେଙ୍କୁ ସାମିଲ କରିଥିଲା ବେଳେ ଲାହିରୁ ଥିରିମାନେ, ନିରୋସାନ୍‌ ଡିକ୍‌ୱାଲା ଏବଂ କୁଶାଲ ମେଣ୍ଡିସ୍‌ (ଫିଟ୍‌ନେସ୍‌ ସର୍ତ୍ତରେ)ଙ୍କୁ ସ୍ଥାନ ଦେଇଛି। ସେହିପରି ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍‌ ଭାରତ ଆସୁଥିଲା ବେଳେ ଭାରତ ବିପକ୍ଷ ଶୃଙ୍ଖଳା ପରେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବାକୁ ଥିବା ସୁରଙ୍ଗା ଲାକ୍‌ମଲ ସିଂହଳୀ ଦଳର ପେସ୍‌ ଆକ୍ରମଣର ମଙ୍ଗ ସମ୍ଭାଳିବେ।

ଶ୍ରୀଲଙ୍କା ଟେଷ୍ଟ୍‌ ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ପଥୁମ ନିଶାଙ୍କ, ଲାହିରୁ ଥିରିମାନେ, ଧନଞ୍ଜୟ ଡି’ ସିଲ୍‌ଭା (ଉପଅଧିନାୟକ), କୁଶାଲ ମେଣ୍ଡିସ୍‌, ଆଞ୍ଜେଲୋ ମାଥ୍ୟୁସ୍‌, ଦୀନେଶ ଚାନ୍ଦିମାଳ, ଚରିଥ ଆଶାଲଙ୍କା, ନିରୋସାନ୍‌ ଡିକ୍‌ୱାଲା, ଚାମିକା କରୁଣାରତ୍ନେ, ରମେଶ ମେଣ୍ଡିସ୍‌, ଲାହିରୁ କୁମାରା, ସୁରଙ୍ଗା ଲାକ୍‌ମଲ, ଦୁଷ୍ମନ୍ତ ଚାମିରା, ବିଶ୍ବ ଫର୍ଣ୍ଣାଣ୍ଡୋ, ଜେଫ୍‌ରି ବନ୍ଦର୍‌ସେ, ପ୍ରବୀଣ ଜୟବିକ୍ରମା, ଲସିଥ୍‌ ଏମ୍ବୁଲଡେନିୟା।

ସମ୍ବନ୍ଧିତ ଖବର