ଲାହୋର: ଅଧିନାୟକ ବାବର ଆଜମ୍ଙ୍କ ଅପରାଜିତ ଶତକ ପରେ ଦ୍ରୁତ ବୋଲର ହାରିସ୍ ରୌଫ୍ଙ୍କ ପୁଣି ୪ ୱିକେଟ୍ ସଫଳତା ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପାକିସ୍ତାନ ୨-୦ର ଅଗ୍ରଣୀ ପାଇଯାଇଛି। ପାକିସ୍ତାନ ଦ୍ବିତୀୟ ମ୍ୟାଚ୍କୁ ୩୮ ରନ୍ରେ ଜିତି ନେଇଛି। ପାକିସ୍ତାନ ୧୯୨/୪ କରିବା ପରେ ନ୍ୟୁଜିଲାଣ୍ଡ ପାଳିକୁ ୧୫୪/୭ରେ ଅଟକାଇ ଦେଇଥିଲା। ଅପରାଜିତ ଶତକୀୟ ପାଳି ପାଇଁ ବାବର ଆଜମ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନେଇଥିଲା। ବାବରଙ୍କ ୧୦୧* ଏବଂ ମହମ୍ମଦ ରିଜ୍ୱାନଙ୍କ ୫୦ ରନ୍ ସହିତ ପ୍ରଥମ ୱିକେଟ୍ରେ ୯୯ ରନ୍ର ଭାଗୀଦାରି ବଳରେ ଘରୋଇ ଦଳ ୪ ୱିକେଟ୍ ବିନିମୟରେ ୧୯୨ ରନ୍ କରିନେଇଥିଲା। ବାବରଙ୍କ ସହ ଇଫ୍ତିକାର ଅହମ୍ମଦ ଅତୁଟ ପଞ୍ଚମ ୱିକେଟ୍ରେ ୮୭ ରନ୍ ଯୋଡ଼ିଥିଲେ। ଜବାବରେ ମାର୍କ ଚାପ୍ମ୍ୟାନ୍ଙ୍କ ଅପରାଜିତ ୬୫ ରନ୍ ସତ୍ତ୍ବେ ପ୍ରଥମ ମ୍ୟାଚ୍ ଭଳି ହାରିସ୍ ରୌଫ୍ଙ୍କ ପୁଣି ୪ ୱିକେଟ୍ ଦଖଲ ଯୋଗୁଁ ନ୍ୟୁଜିଲାଣ୍ଡ ୩୮ ରନ୍ରେ ପରାଜୟ ପାଇଁ ବାଧ୍ୟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପାଳି ୨୦ ଓଭରରେ ୧୯୨/୪ (ବାବର ଆଜମ୍-୧୦୧*, ମହମ୍ମଦ ରିଜ୍ୱାନ-୫୦, ଇଫ୍ତିକାର ଅହମ୍ମଦ-୩୩*, ମ୍ୟାଟ୍ ହେନ୍ରି-୨/୨୯, ଜେମ୍ସ ନୀସାମ-୧/୪୮, ରାଚିନ ରବୀନ୍ଦ୍ର-୧/୨୨)। ନ୍ୟୁଜିଲାଣ୍ଡ ପାଳି ୨୦ ଓଭରରେ ୧୫୪/୭ (ମାର୍କ ଚାପ୍ମ୍ୟାନ୍-୬୫*, ଚାଦ୍ ବୋୱେସ-୨୬, ଟମ୍ ଲାଥାମ-୧୯, ହାରିସ ରୌଫ୍-୪/୨୭, ଇମାଦ ୱାସିମ-୧/୧୯, ଜମନ ଖାନ୍-୧/୩୦, ସାଦବ ଖାନ୍-୧/୨୭)।
ରୋହିତଙ୍କୁ ଟପିଲେ ବାବର
ଅଧିନାୟକ ବାବର ଆଜମ୍ ୫୮ ବଲ୍ ଶତକୀୟ ପାଳିରେ ୧୧ ଚୌକା ଓ ୩ ଛକା ମାରିଥିଲେ। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଏହା ଥିଲା ତାଙ୍କର ତୃତୀୟ ଶତକ। ଏଥି ସହିତ ପାକିସ୍ତାନର ନେତୃତ୍ବ କ୍ୟାରିୟରରେ ସେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ସର୍ବାଧିକ ଶତକ ଜମାଇବାରେ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଟପି ଯାଇଥିଲେ। ମୋଟାମୋଟି ଭାବେ ବାବର ଏବେ ଗ୍ଲେନ୍ ମ୍ୟାକ୍ସୱେଲ, କଲିନ ମୁନ୍ରୋ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ମିଳିତ ଭାବେ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ଶତକ ତାଲିକାରେ ରୋହିତ ହିଁ ସର୍ବାଗ୍ରେ ରହିଛନ୍ତି। ରୋହିତ ସବୁଠୁ ଅଧିକ ୪ ଶତକ ହାସଲ କରିଥିଲା ବେଳେ ଅଧିନାୟକ ଭାବେ ୨ ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ବାବର ଆଜମଙ୍କର ଶତକ ସଂଖ୍ୟା ୯ରେ ପହଞ୍ଚିଛି। ଏହି ତାଲିକାରେ ସେ କେବଳ ୱେଷ୍ଟ୍ଇଣ୍ଡିଜ୍ର କ୍ରିସ୍ ଗେଲ୍ଙ୍କ ପଛକୁ ରହିଛନ୍ତି। ମୋଟ ୯ରୁ କେବଳ ୬ ଶତକ ବାବର ଅଧିନାୟକ ଭାବେ ହାସଲ କରିଛନ୍ତି। ଯାହାକି ଅଷ୍ଟ୍ରେଲିଆର ମାଇକେଲ କ୍ଲିଙ୍ଗର (୭)ଙ୍କ ପରେ ଦ୍ବିତୀୟ ଶ୍ରେଷ୍ଠ। ଏକ୍ଷେତ୍ରରେ ମଧ୍ୟ ବାବର ଭାରତର ବିରାଟ କୋହଲି ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ (ଉଭୟେ ୫ ଶତକ)ଙ୍କ ଆଗରେ ରହିଛନ୍ତି।