ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତାକାଲିଠାରୁ ସେର୍-ବାଂଲା ନ୍ୟାସ୍ନାଲ ଷ୍ଟାଡିୟମ୍ରେ ଆରମ୍ଭ ହେବ ଦ୍ବିତୀୟ ତଥା ଶେଷ ଟେଷ୍ଟ୍। ଚଟ୍ଟୋଗ୍ରାମରେ ପ୍ରଥମ ଟେଷ୍ଟ୍କୁ ୧୮୮ ରନ୍ରେ ଜିତିବା ପରେ ପୁଣି ଥରେ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ୨-୦ରେ ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ରହିଛି କେଏଲ୍ ରାହୁଲଙ୍କ କାମଚଳା ନେତୃତ୍ବାଧୀନ ଭାରତ। ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍ରେ ବି ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବା ସମ୍ଭାବନା ରହିଛି। ଚଟ୍ଟୋଗ୍ରାମରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍, ଶ୍ରେୟସ ଆୟର, ରବିଚନ୍ଦ୍ରନ୍ ଅଶ୍ବିନ୍ ଏବଂ କୁଲ୍ଦୀପ ଯାଦବ ବ୍ୟାଟିଂରେ କମାଲ ଦେଖାଇଥିଲେ। କୁଲ୍ଦୀପ କିନ୍ତୁ ଉଭୟ ବ୍ୟାଟ୍ ଓ ବଲ୍ରେ ପ୍ରଭାବୀ ରହିଥିଲେ। ତାଙ୍କୁ ମୂଲ୍ୟବାନ ସହଯୋଗ ଦେଇ ମହମ୍ମଦ ସିରାଜ ପ୍ରଥମ ପାଳିରେ ଏବଂ ଅକ୍ଷର ପଟେଲ ଦ୍ବିତୀୟ ପାଳିରେ ଚମତ୍କାର ବୋଲିଂ କରିଥିଲେ। କିନ୍ତୁ ଚଟ୍ଟୋଗ୍ରାମ ତୁଳନାରେ ସେର୍-ବାଂଲା ପିଚ୍ ଭିନ୍ନ ରହିବ। ଫଳରେ ଶକ୍ତିଶାଳୀ ମନେ ହେଉଥିବା ଭାରତୀୟ ବୋଲିଂ ଢାକାରେ ପ୍ରଭାବୀ ହୋଇପାରିବ।
ଅନ୍ୟପକ୍ଷରେ ଅସ୍ଥିର ପ୍ରଦର୍ଶନ ଦେଉଥିବା ବାଂଲାଦେଶ ବ୍ୟାଟର୍ମାନେ କଡ଼ା ଆହ୍ବାନର ସମ୍ମୁଖୀନ ହେବେ। ଜାକିର ହାସନ୍, ନାଜ୍ମୁଲ ହୋସେନ ସାଣ୍ଟୋ ଏବଂ ଅଧିନାୟକ ସକିବ ଅଲ୍ ହାସନଙ୍କୁ ପ୍ରଥମ ଟେଷ୍ଟ୍ ପ୍ରଦର୍ଶନକୁ ଜାରି ରଖିବାକୁ ପଡ଼ିବ। ହେଲେ ଲିଟନ ଦାସ ଓ ମୁସ୍ଫିକର ରହିମ୍ଙ୍କୁ ବଡ଼ ପାଳି ଖେଳିବାକୁ ପଡ଼ିବ। ପ୍ରଥମ ଟେଷ୍ଟ୍ ବେଳେ ସାମାନ୍ୟ ଆହତ ହୋଇଥିବା ସକିବ୍ ଦ୍ବିତୀୟ ଟେଷ୍ଟ୍ରେ କେବଳ ବ୍ୟାଟିଂ କରିବେ ବୋଲି ପୂର୍ବରୁ କୁହାଯାଇଥିଲେ ମଧ୍ୟ ସେ ବୋଲିଂ କରିପାରିବେ ବୋଲି ବାଂଲାଦେଶ ପ୍ରଶିକ୍ଷକ ଆଲାନ ଡୋନାଲ୍ଡ ସ୍ପଷ୍ଟ କରିଛନ୍ତି। ପଦାର୍ପଣରେ ଶତକୀୟ ପାଳି ଖେଳିଥିବା ଜାକିର ହାସନଙ୍କ ପାଇଁ ଦ୍ବିତୀୟ ଟେଷ୍ଟ୍ରେ ଭାରତ ନୂଆ ଯୋଜନା କରିଛି ବୋଲି ଅଧିନାୟକ ସୂଚନା ଦେଇଛନ୍ତି। ତେବେ ଏହି ଟେଷ୍ଟ୍ରେ ମୁଖ୍ୟତଃ କୁଲ୍ଦୀପ ଯାଦବ ଏବଂ ଜାକିର ହାସନ ସମସ୍ତଙ୍କ ନଜରରେ ରହିବେ। କୁଲ୍ଦୀପ ପ୍ରଥମ ଟେଷ୍ଟ୍ରେ ଘରୋଇ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ପ୍ରଥମ ପାଳିରେ ୪୦ ରନ୍ରେ ୫ ୱିକେଟ୍ ଦଖଲ କରିଥିଲା ବେଳେ ଦ୍ବିତୀୟ ପାଳିରେ ଜାକିର ହାସନ ଶତକ ଜମାଇ ବାଂଲାଦେଶ ପକ୍ଷରୁ ପଦାର୍ପଣକୁ ସ୍ମରଣୀୟ କରିଥିଲେ।
ରାହୁଲ ଆହତ; ସୁଯୋଗ ଅପେକ୍ଷାରେ ଅଭିମନ୍ୟୁ
ଭାରତର କାମଚଳା ଅଧିନାୟକ କେଏଲ୍ ରାହୁଲ ଅଭ୍ୟାସ ବେଳେ ଆହତ ହୋଇଛନ୍ତି। ନେଟ୍ସରେ ବ୍ୟାଟିଂ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ହେଲେ ଗୁରୁତର ନୁହେଁ ବୋଲି କହିଛନ୍ତି ଦଳର ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର। ତଥାପି ରାହୁଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ଯଦି ରାହୁଲ ବଞ୍ଚିତ ହୁଅନ୍ତି, ତାହାଲେ ଦୁଇ ପ୍ରଥମ ପସନ୍ଦର ଓପ୍ନର ରୋହିତ ଶର୍ମା ଓ ରାହୁଲଙ୍କ ବିନା ଭାରତ ପଡ଼ିଆକୁ ଓହ୍ଲାଇବ। ଏକ୍ଷେତ୍ରରେ ଶୁବମନ ଗିଲ୍ଙ୍କ ସହ ରାହୁଲଙ୍କ ବଦଳ ଖେଳାଳି ଭାବେ ପାଳି ଆରମ୍ଭ କରିବାର ସୁଯୋଗ ଅଭିମନ୍ୟୁ ଈଶ୍ବରନ୍ଙ୍କୁ ମିଳିବା ସମ୍ଭାବନା ଅଧିକ। ପୁଣି ଉଭୟ ରୋହିତ ଓ ରାହୁଲଙ୍କ ଅନୁପସ୍ଥିତିରେ ଚେତେଶ୍ବର ପୂଜାରା ଦଳର ନେତୃତ୍ବ ନେବା ନିଶ୍ଚିତ ହେବ।
ଅନ୍ୟପକ୍ଷରେ ଘରୋଇ ଦଳରେ ଦ୍ରୁତ ବୋଲର ଇବାଦତ୍ ହୋସେନ୍ଙ୍କ ବଦଳରେ ତସ୍କିନ ଅହମ୍ମଦ ସାମିଲ ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଅଧିକ କିଛି ପରିବର୍ତନର ସମ୍ଭାବନା କ୍ଷୀଣ।
ପିଚ୍ ସ୍ପିନରଙ୍କୁ ଅଧିକ ସହାୟତା କରିବ
ସେର୍-ବାଂଲା ନ୍ୟାସ୍ନାଲ୍ ଷ୍ଟାଡିୟମ୍ର ପିଚ୍ ମୁଖ୍ୟତଃ ସ୍ପିନରଙ୍କୁ ଅଧିକ ସହାୟତା କରିବାର ନଜିର ପୂର୍ବରୁ ରହିଛି। ଏଠାରେ ପ୍ରଥମ ଦିବସରେ ବ୍ୟାଟିଂ କରିବା ସହଜ ହୋଇଥାଏ। ହେଲେ ପରବର୍ତୀ ଦିନଗୁଡ଼ିକ ବୋଲରମାନଙ୍କ କବ୍ଜାରେ ମ୍ୟାଚ୍ ରହିଥାଏ। ତେଣୁ ଏଠାରେ ଟସ୍ ଜିତିବା ଦଳ ହିଁ ପ୍ରଥମେ ବ୍ୟାଟିଂ ନିଅନ୍ତି। ଯାହାଫଳରେ ଚତୁର୍ଥ ପାଳିରେ ବ୍ୟାଟିଂକୁ ଏଡ଼ାଇବାକୁ ଚାହିଥାନ୍ତି ପ୍ରତ୍ୟେକ ଦଳ। ଏହି ଟେଷ୍ଟ୍ ବେଳେ ପାଗ ମଧ୍ୟ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ସମ୍ଭାବ୍ୟ ବାଂଲାଦେଶ ୧୧: ନାଜମୁଲ ହୋସେନ ସାଣ୍ଟୋ, ଜାକିର ହାସନ, ୟାସିର ଅଲ୍ଲୀ, ଲିଟନ ଦାସ, ସକିବ ଅଲ୍ ହାସନ (ଅଧିନାୟକ), ମୁସ୍ଫିକର ରହିମ, ନୁରୁଲ ହାସନ (ୱିକେଟ୍ରକ୍ଷକ), ମେହିଦି ହାସନ ମିରାଜ, ତାଇଜୁଲ ଇସ୍ଲାମ୍, ତସ୍କିନ ଅହମ୍ମଦ, ଖଲିଦ ଅହମ୍ମଦ।
ସମ୍ଭାବ୍ୟ ଭାରତ ୧୧: ଶୁବମନ ଗିଲ୍, କେଏଲ୍ ରାହୁଲ (ଅଧିନାୟକ)/ଅଭିମୁନ୍ୟ ଈଶ୍ବରନ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଶ୍ରେୟସ ଆୟର, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, କୁଲ୍ଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସିରାଜ।
ଦ୍ରୁତତମ ୫୦ ୱିକେଟ୍ରୁ ୬ ଦୂରରେ ଅକ୍ଷର
ଚଟ୍ଟୋଗ୍ରାମ ଟେଷ୍ଟ୍ରେ ମୋଟ ୫ ୱିକେଟ୍ ଦଖଲ କରିଥିବା ଅକ୍ଷର ପଟେଲ ଦ୍ବିତୀୟ ଟେଷ୍ଟ୍ରେ ଏକ ମାଇଲଖୁଣ୍ଟ ଛୁଇଁବାର ସୁଯୋଗ ରଖିଛନ୍ତି। ଏହି ଭାରତୀୟ ସ୍ପିନର ଆଉ ୬ ୱିକେଟ୍ ଅକ୍ତିଆର କରିପାରିଲେ ଟେଷ୍ଟ୍ କ୍ରିକେଟ୍ରେ ଦ୍ରୁତତମ ୫୦ ୱିକେଟ୍ ହାସଲ କରିବାରେ ଯୁଗ୍ମ ଚତୁର୍ଥ ବୋଲର ହୋଇଯିବେ। ଅକ୍ଷର ପଟେଲ ନିଜର ଅଷ୍ଟମ ମ୍ୟାଚ୍ରୁ ଏହି କୀର୍ତ୍ତିମାନ କରିବା ଅପେକ୍ଷାରେ ରହିଛନ୍ତି। ତାଙ୍କ ପୂର୍ବରୁ ଫ୍ରେଡ୍ ସ୍ପୋଫୋର୍ଥ, ଅଲ୍ଫ ଭାଲେଣ୍ଟାଇନ୍, ରଡ୍ନି ହଗ୍ ଏବଂ ଟେରି ଆଲ୍ଡରମ୍ୟାନ୍ ହିଁ ସେମାନଙ୍କ ଅଷ୍ଟମ ଟେଷ୍ଟ୍ରୁ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଅନ୍ୟପକ୍ଷରେ ଭର୍ନନ ଫିଲାଣ୍ଡର ଏବଂ ଟମ୍ ରିଚାର୍ଡସନ୍ ୭ ଟେଷ୍ଟ୍ରୁ, ଚାର୍ଲସ ଟର୍ନର ୬ ଟେଷ୍ଟ୍ରୁ ୫୦ ୱିକେଟ୍ ପୂରଣ କରି ଦ୍ରୁତତମ ତାଲିକାର ପ୍ରଥମ ତିନି ସ୍ଥାନରେ ରହିଛନ୍ତି।