ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଶୁକ୍ରବାରଠୁ ଖେଳାଯିବ। ପ୍ରଥମ ଟେଷ୍ଟ୍କୁ ଗୋଟିଏ ପାଳି ଓ ୧୪୦ ରନ୍ ଜିତିଥିବା ଘରୋଇ ଦଳ ଦ୍ବିତୀୟ ମ୍ୟାଚ୍କୁ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟ ରଖିଛି। ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଇଣ୍ଡିଜ୍ ଏମିତି ଦୟନୀୟ ଖେଳିଥିଲା ଯେ ଏହାର ଦୁଇଟି ଯାକ ପାଳି ମାତ୍ର ୮୯.୨ ଓଭରରେ ଶେଷ ହୋଇଯାଇଥିଲା। ଉଭୟ ପାଳି ୧୬୨ (୪୪.୧ ଓଭର) ଏବଂ ୧୪୬ (୪୫.୧ ଓଭର) ରନ୍ରେ ଶେଷ ହୋଇଥିଲା। ଦୁଇଟି ଯାକ ପାଳିରେ ଅର୍ଦ୍ଧଶତକଟିଏ ମଧ୍ୟ ଦେଖିବାକୁ ମିଳି ନଥିଲା।
ଭାରତ ଦମ୍ଦାର ବ୍ୟାଟିଂ କରି ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୪୪୮/୫ରେ ପାଳି ଘୋଷଣା କରିଥିଲା। ଧ୍ରୁବ ଜୁରେଲ (୧୨୫), ରବୀନ୍ଦ୍ର ଜାଡ଼େଜା (୧୦୪*) ଓ କେଏଲ୍ ରାହୁଲ (୧୦୦) ଶତକ ଅର୍ଜନ କରିଥିଲା ବେଳେ ଶୁବମନ ଗିଲ୍ (୫୦) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଭାରତୀୟ ବ୍ୟାଟର୍ ଓ ବୋଲର ଯେଉଁପରି ଭାବେ ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ ଦେଇଥିଲେ ସେପରି ଦ୍ବିତୀୟରେ ଦୋହରାରିଲେ ଭାରତ ଶୃଙ୍ଖଳା ମୂଳପୋଛ କରିବା ଅତି ସହଜ ହେବ। ଏଥିସହ ଭାରତ ୬୧.୯ ପଏଣ୍ଟ୍ ସହ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ୍ର ତୃତୀୟକୁ ଉଠିଯିବ। ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍ରେ ଜାଡ଼େଜାଙ୍କ ପାଇଁ ୪୦୦୦ ଟେଷ୍ଟ୍ ରନ୍ କରିବାର ସୁଯୋଗ ରହିବ। ସେ ଏହି ମାଇଲ୍ଖୁଣ୍ଟଠାରୁ ମାତ୍ର ୧୦ ରନ୍ ଦୂରରେ ରହିଛନ୍ତି। ସେ ଏହା କରିପାରିଲେ ଇଆନ ବୋଥାମ, କପିଳ ଦେବ ଓ ଡାନିଏଲ୍ ଭିଟୋରିଙ୍କ ଯୁଗଳ ସଫଳତା ୪୦୦୦ ରନ୍ ଓ ୩୦୦ ୱିକେଟ୍ କ୍ଲବ୍ରେ ସାମିଲ ହେବେ।
ସମ୍ଭାବ୍ୟ ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ବି ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ (ୱିକେଟ୍ରକ୍ଷକ), ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍ ଏକାଦଶ: ଟାଗେନାରାୟଣ ଚନ୍ଦ୍ରପାଲ, ଜନ୍ କ୍ୟାମ୍ପବେଲ, ଆଲିକ୍ ଆଥାନାଜେ, ବ୍ରାଣ୍ଡନ କିଙ୍ଗ, ସାଇ ହୋପ (ୱିକେଟ୍ରକ୍ଷକ), ରସ୍ତନ ଚେଜ୍ (ଅଧିନାୟକ), ଜଷ୍ଟିନ ଗ୍ରେଭ୍ସ, ଜୋମେଲ ୱାରିକାନ, ଖାରି ପିଏରେ, ଜନ୍ ଲେନ୍/ଜେଦିଆ ବ୍ଲେଡ୍ସ, ଜୟଦେନ ସିଲ୍ସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/10/sfhhfxbxbbv-2025-10-10-02-52-34.jpg)