ଗଲ୍: ରବିବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିବସରେ ଉଭୟ ଶ୍ରୀଲଙ୍କା ଏବଂ ପାକିସ୍ତାନ ସମ୍ମାନ ବାଣ୍ଟିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଘରୋଇ ଶ୍ରୀଲଙ୍କା ଦୁଇଟି ଅର୍ଦ୍ଧଶତକ ସହାୟତାରେ ୩୧୫ ରନ୍ (୮୬ ଓଭର) କରିଥିଲା ବେଳେ ପାକିସ୍ତାନ ବୋଲରମାନେ ୬ ୱିକେଟ୍ ଝଟ୍କାଇଛନ୍ତି। ଓପ୍ନର ଓସାଦା ଫର୍ଣ୍ଣାଣ୍ଡୋ (୫୦) ଓ ଦୀନେଶ ଚାନ୍ଦିମାଳ (୮୦) ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଅଧିନାୟକ ଦିମୁତ କରୁଣାରତ୍ନେ (୪୦), ଆଞ୍ଜେଲୋ ମାଥ୍ୟୁସ୍ (୪୨), ଧନଞ୍ଜୟ ଡି’ସିଲ୍ଭା (୩୩) ଓ କୁସାଲ ମେଣ୍ଡିସ୍ (୩) ପାଭିଲିୟନ୍ ଫେରିଯାଇଛନ୍ତି। ତେବେ ୱିକେଟ୍ରକ୍ଷକ ନିରୋସାନ ଡିକ୍ୱେଲା ୪୨ ରନ୍ରେ ଅପରାଜିତ ରହିଛନ୍ତି। ତାଙ୍କ ସହିତ ଦୁନିତ ୱେଲାଲେଗେ ୬ ରନ୍ କରି କ୍ରିଜ୍ରେ ରହିଛନ୍ତି। ଓସାଦା ଓ କରୁଣାରତ୍ନେ ପ୍ରଥମ ୱିକେଟ୍ରେ ୯୨ ରନ୍ ଯୋଡ଼ି ଭଲ ମୂଳଦୁଆ ପକାଇଥିଲେ ମଧ୍ୟ ୨୦ ଓଭର ପରେ ପାକିସ୍ତାନ ବୋଲରମାନେ ମ୍ୟାଚ୍କୁ ପ୍ରତ୍ୟାବର୍ତନ କରିଥିଲେ।
ମାଥ୍ୟୁସ୍ଙ୍କ ୧୦୦ତମ ଟେଷ୍ଟ୍
ବରିଷ୍ଠ ବ୍ୟାଟର୍ ତଥା ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍ ରବିବାର ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ୍ ଖେଳିଛନ୍ତି। ଏକ୍ଷେତ୍ରରେ ସେ ଶ୍ରୀଲଙ୍କାର ଷଷ୍ଠ ଖେଳାଳି ହୋଇଛନ୍ତି। ଗଲ୍ ପଡ଼ିଆରେ ଟସ୍ ଜିତି ବ୍ୟାଟିଂ ପାଇଁ ଦଳ ଆସିବା ପୂର୍ବରୁ ମାଥ୍ୟୁସ୍ଙ୍କୁ ଶତକୀୟ ସଫଳତା ପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ତାଙ୍କୁ ବୋର୍ଡ ପକ୍ଷରୁ ସ୍ମାରକୀ ଟୋପି ଏବଂ ଏକ ସ୍ବତନ୍ତ୍ର ଉପହାର ଭେଟି ଦିଆଯାଇଥିଲା। ଏହି ସମ୍ବର୍ଧନା କାର୍ଯ୍ୟକ୍ରମ ଅବସରରେ ଶ୍ରୀଲଙ୍କା ବୋର୍ଡ ଉପସଭାପତି ଜୟନ୍ତ ଧର୍ମଦାଶା ଏବଂ ପୂର୍ବତନ ଦ୍ରୁତ ବୋଲର ଚାମିନ୍ଦା ଭାସ୍ଙ୍କ ସହିତ ଦଳର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ୧୦୦ତମ ଟେଷ୍ଟ୍କୁ ମନେ ରଖିବା ପାଇଁ ମାଥ୍ୟୁସ୍ଙ୍କୁ ଏକ ସ୍ମାରକୀ ଉପହାର ମଧ୍ୟ ଦିଆଯାଇଥିଲା।