ଦ୍ବିତୀୟ ଟେଷ୍ଟ୍‌: ଧନଞ୍ଜୟଙ୍କ ଶତକରେ ଶ୍ରୀଲଙ୍କା ଦୃଢ଼

ଲକ୍ଷ୍ୟ ୫୦୮; ପାକିସ୍ତାନ ୮୯/୧

ଗଲ୍‌: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଜିତି ନେଇଥିବା ପାକିସ୍ତାନ ଏବେ ଦ୍ବିତୀୟ ଟେଷ୍ଟ୍‌କୁ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି। ଘରୋଇ ଶ୍ରୀଲଙ୍କା ୫୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ବେଳେ ବୁଧବାର ଚତୁର୍ଥ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ୱିକେଟ୍‌ ବିନିମୟରେ ୮୯ ରନ୍‌ କରିଛି। ଫଳରେ ଗୁରୁବାର ପଞ୍ଚମ ତଥା ଶେଷ ଦିନ ବିଜୟ ପାଇଁ ପାକିସ୍ତାନକୁ ୪୧୯ ରନ୍‌ ଏବଂ ଶ୍ରୀଲଙ୍କାକୁ ୯ ୱିକେଟ୍‌ର ଆବଶ୍ୟକ ରହିଛି। ପାକିସ୍ତାନ ଦ୍ବିତୀୟ ପାଳିରେ ଓପ୍‌ନର ଅବ୍‌ଦୁଲ୍ଲା ସଫିକ (୧୬) ପ୍ରଭାତ ଜୟସୂରିଆଙ୍କ ଶିକାର ହୋଇଥିଲା ବେଳେ ଇମାମ ଉଲ୍‌ ହକ୍‌ (୪୬*) ଓ ଅଧିନାୟକ ବାବର ଆଜମ (୨୬*) କ୍ରିଜ୍‌ରେ ରହିଛନ୍ତି। ଦୁହେଁ ଅସମାପ୍ତ ଦ୍ବିତୀୟ ୱିକେଟ୍‌ରେ ୪୭ ରନ୍ ଯୋଡ଼ିଛନ୍ତି।

ଏହା ପୂର୍ବରୁ ଶ୍ରୀଲଙ୍କା ତା’ର ଅସମାପ୍ତ ଦ୍ବିତୀୟ ପାଳି ସ୍କୋର୍‌ ୧୭୬/୫ରୁ ଖେଳି ୩୬୦/୮ରେ ଘୋଷଣା କରିଥିଲା। ଅଧିନାୟକ ଦିମୁତ କରୁଣାରତ୍ନେ (୬୧) ଅର୍ଦ୍ଧଶତକ ଏବଂ ଧନଞ୍ଜୟ ଡି’ ସିଲ୍‌ଭା (୧୦୯) ଶତକ ପୂରଣ କରିଥିଲେ। ନିମ୍ନକ୍ରମରେ ରମେଶ ମେଣ୍ଡିସ୍‌ ଅପରାଜିତ ୪୫ ରନ୍‌ କରିଥିଲେ। ହେଲେ ଧନଞ୍ଜୟଙ୍କ ଆଉଟ୍‌ ମାତ୍ରେ ଶ୍ରୀଲଙ୍କା ଦ୍ବିତୀୟ ପାଳିକୁ ଘୋଷଣା କରିଦେଇଥିଲା। ଫଳରେ ପ୍ରଥମ ପାଳିରେ ୧୪୭ ରନ୍‌ର ଅଗ୍ରଣୀ ପାଇଥିବା ଘରୋଇ ଦଳ ମୋଟ ଉପରେ ୫୦୭ ରନ୍‌ରେ ଆଗୁଆ ରହିଥିଲା।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୩୭୮ ଏବଂ ଦ୍ବିତୀୟ ପାଳି ୯୧.୫ ଓଭରରେ ୩୬୦/୮ରେ ଘୋଷଣା (ଧନଞ୍ଜୟ ଡି’ ସିଲ୍‌ଭା-୧୦୯, ଦିମୁତ କରୁଣାରତ୍ନେ-୬୧, ରମେଶ ମେଣ୍ଡିସ୍‌-୪୫*, ନସିମ୍ ସାହା-୨/୪୪, ମହମ୍ମଦ ନୱାଜ-୨/୭୫)। ପାକିସ୍ତାନ ପ୍ରଥମ ପାଳି: ୨୩୧ ଏବଂ ଦ୍ବିତୀୟ ପାଳି ୨୮ ଓଭରରେ ୮୯/୧ (ଇମାମ ଉଲ୍‌ ହକ୍-୪୬*, ବାବର ଆଜମ-୨୬*, ପ୍ରଭାତ ଜୟସୁରିଆ-୧/୪୬)।

ସମ୍ବନ୍ଧିତ ଖବର