ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍‌ : ପୁଣି ଚେପକ୍‌ ଚ୍ୟାଲେଞ୍ଜ୍‌

ଚେନ୍ନାଇ : ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ୍ ଶନିବାରଠାରୁ ପୁଣି ଚେନ୍ନାଇର ଚେପକ୍‌ରେ ଖେଳାଯିବ। ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ବଡ଼ ବ୍ୟବଧାନରେ ହାରିଥିବାରୁ ସମାନ ଷ୍ଟାଡିୟମ୍‌ରେ ଏବେ ଭିନ୍ନ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି। କୋଭିଡ୍‌ କଟକଣା କାରଣରୁ ଜୈବ ବଳୟ ମଧ୍ୟରେ ଏହି ଟେଷ୍ଟ୍ ଖେଳାଯିବାକୁ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ପ୍ରତ୍ୟେକ୍ଷ ଭାବେ କ୍ରିକେଟ୍ ଦେଖିବାରୁ ସୁଯୋଗ ପାଇବେ। ଷ୍ଟାଡିୟମ୍‌ ଦର୍ଶକ କ୍ଷମତାର ୫୦ ପ୍ରତିଶତଙ୍କୁ ଅନୁମତି ମିଳିଛି। ଏହା ଭାରତୀୟ ଖେଳାଳିଙ୍କୁ ଉନ୍ନତ ପ୍ରଦର୍ଶନ ଲାଗି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ଗସ୍ତ ଭଳି ଭାରତ ଏହି ୪ ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ପ୍ରତ୍ୟାବର୍ତନ କରିବ ବୋଲି ମଧ୍ୟ ବିରାଟ କୋହଲିଙ୍କ ଦଳ ବିରାଟ ଆଶା ବାନ୍ଧିଛି। ଇଂଲଣ୍ଡ ଦଳ କିନ୍ତୁ ୨୦୧୬ ତୁଳନାରେ ଭଲ ପ୍ରସ୍ତୁତି କରିଥିବା ଏବଂ ଗତ ମାସରେ ଶ୍ରୀଲଙ୍କାରେ ୨-୦ ଟେଷ୍ଟ୍ ଶୃଙ୍ଖଳା ବିଜୟ ପାଇଥିବାରୁ ଜୋ ରୁଟଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିବାକୁ ଇଂଲଣ୍ଡ ଚେନ୍ନାଇରେ ଲଗାତାର ବିଜୟ ଯୋଜନାରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ର ଦୁର୍ବଳତାକୁ ପଛରେ ପକାଇ ବିରାଟ ବାହିନୀ ଲଢ଼ୁଆ ଖେଳିବ ବୋଲି ଆଶା ବାନ୍ଧିଛି।

ଅକ୍ଷର, ହାର୍ଦିକ ଦୌଡ଼ରେ
ଭାରତୀୟ ଦଳ କିନ୍ତୁ ଶୁକ୍ରବାର ସୁଦ୍ଧା ଚୂଡାନ୍ତ ଏକାଦଶରେ ଉପନୀତ ହୋଇପାରିନାହିଁ। ଚେନ୍ନାଇରେ ଏଥର ଟର୍ନିଂ ଟ୍ରାକ୍‌ ମିଳିବା ଆଶା ଥିବାରୁ ଭାରତ ଅକ୍ଷର ପଟେଲଙ୍କୁ ସାମିଲ କରିବା ଯୋଜନାରେ ରହିଛି। ନିମ୍ନକ୍ରମରେ ବ୍ୟାଟିଂ କରିବା କ୍ଷମତା ରଖିଥିବାରୁ ପଟେଲଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ। ସେହିଭଳି କୁଲଦୀପ ଯାଦବଙ୍କୁ ନେଇ ଆକ୍ରମଣାତ୍ମକ ସ୍ପିନ୍‌ ବିକଳ୍ପ କୌଶଳ କରାଯାଉଥିବାରୁ ୱାସିଂଟନ୍ ସୁନ୍ଦରଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଟର୍ନିଂ ଟ୍ରାକ୍‌ ଦୃଷ୍ଟିରୁ ବ୍ୟାଟିଂ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ବି ସୁଯୋଗ ଦେବା ଯୋଜନା ରହିଛି। ଅଷ୍ଟ୍ରେଲିଆରେ ସଫଳତାର ହନିମୁନ୍‌ ଚେନ୍ନାଇର ୨୨୭ ରନ୍‌ ପରାଜୟରେ ଫିକା ପଡ଼ିଯାଇଥିବାରୁ ଭାରତ ଏବେ ନିଜ ‘ଏ’ ଗେମ୍‌ ଦେଖାଇବା ଯୋଜନା କରିଛି।

ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ୍ (ୱିକେଟରକ୍ଷକ), ଅକ୍ଷର ପଟେଲ୍‌/ୱାସିଂଟନ୍ ସୁନ୍ଦର, ରବିଚନ୍ଦ୍ରନ୍‌ ଅଶ୍ବିନ୍, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା।

ଇଂଲଣ୍ଡର ୪ ପରିବର୍ତ୍ତନ
ଗୋଟିଏ ଦିନ ପୂର୍ବରୁ ଇଂଲଣ୍ଡ ଶୁକ୍ରବାର ଏହାର ୧୨ ଜଣିଆ ଦଳ ଘୋଷଣା କରିଦେଇଛି। ଚେନ୍ନାଇରେ ବିଜୟୀ ହୋଇଥିବା ଏକାଦଶରେ ଭ୍ରମଣକାରୀ ଦଳ ଏକକାଳୀନ ୪ ପରିବର୍ତ୍ତନ କରିଛି। ଡୋମିନିକ୍ ବେସ୍, ଜେମ୍ସ ଆଣ୍ଡରସନ୍,‌ ଜୋଫ୍ରା ଆର୍ଚର, ଜୋସ୍ ବଟ୍ଟଲର୍‌ଙ୍କୁ ବାଦ୍ ଦିଆଯାଇଥିବା ବେଳେ ମୋଇନ୍ ଅଲୀ, ଷ୍ଟୁଆର୍ଟ ବ୍ରଡ, ଓଲି ଷ୍ଟୋନ୍‌, କ୍ରିସ୍‌ ୱକ୍ସ ଏବଂ ବେନ୍‌ ଫୋକ୍ସଙ୍କୁ ସାମିଲ କରାଯାଇଛି। ଷ୍ଟୋନ୍‌ ଓ ୱକ୍ସଙ୍କ ମଧ୍ୟରୁ ଜଣେ ଖେଳିବେ ବୋଲି ସୂଚନା ଦିଆଯାଇଛି। ବେନ୍‌ ଫୋକ୍ସ ନୂଆ ୱିକେଟରକ୍ଷକ ଦାୟିତ୍ବ ନେବେ। ଷ୍ଟୁଆର୍ଟ ବ୍ରଡଙ୍କ ପ୍ରତ୍ୟାବର୍ତନକୁ ନେଇ ଅଧିନାୟକ ଜୋ ରୁଟ୍‌ ଉଲ୍ଲସିତ ଥିବା ପ୍ରକାଶ କରିଛନ୍ତି। ବ୍ରଡ୍‌ କିନ୍ତୁ ବିଗତ ୩ ଭାରତ ଗସ୍ତରେ ଖେଳିଥିବା ୬ ଟେଷ୍ଟରୁ ୫୩.୯୦ ହାର ଓ ୯୯.୦ ଷ୍ଟ୍ରାଇକ୍ ରେଟରେ ମାତ୍ର ୧୦ ୱିକେଟ୍‌ ନେଇଥିବାରୁ ଅତୀତ ତାଙ୍କ ବିପକ୍ଷରେ ରହିଛି।

ସମ୍ଭାବ୍ୟ ଏକାଦଶ: ରୋରି ବର୍ନସ, ‌ଡମ୍‌ ଶିବଲେ, ଡାନ୍‌ ଲରେନ୍ସ, ଜୋ ରୁଟ୍‌ (ଅଧିନାୟକ), ବେନ୍‌ ଷ୍ଟୋକ୍ସ, ଓଲି ପୋପ୍‌, ବେନ୍ ଫୋକ୍ସ (ୱିକେଟରକ୍ଷକ), ମୋଇନ୍ ଅଲୀ, ଜ୍ୟାକ୍ ଲିଚ୍‌, କ୍ରିସ୍‌ ୱକ୍ସ/ଓଲି ଷ୍ଟୋନ୍‌, ଷ୍ଟୁଆର୍ଟ ବ୍ରଡ୍‌।

ପିଚ୍‌ ପ୍ରତ୍ୟାଶା
ମ୍ୟାଚ୍‌ ଆରମ୍ଭର ବହୁ ପୂର୍ବରୁ ଚେନ୍ନାଇ ପିଚ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ପ୍ରଥମ ଟେଷ୍ଟ୍ ଲାଗି ପଟ୍ଟା ପିଚ୍‌ ରଖାଯାଇଥିଲେ ମଧ୍ୟ ଦ୍ବିତୀୟଟିରେ ସେଭଳି ହେବ ନାହିଁ। ନୂଆ ପିଚ୍‌ ଟର୍ନିଂ ରହିବ ଏବଂ ସ୍ପିନରଙ୍କୁ ପ୍ରଥମ ଦିନରୁ ହିଁ ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ଦେବ। ପ୍ରଥମ ଟେଷ୍ଟଠାରୁ ଏହା ନିଶ୍ଚିତ ଭିନ୍ନ ହେବ ଏବଂ ପ୍ରଥମ ଦିନରୁ ଟର୍ନ ମିଳିବ ବୋଲି ମଧ୍ୟ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରକାଶ କରିଛନ୍ତି। ତେବେ ରୢାଙ୍କ୍ ଟର୍ନର ପିଚ୍‌ ରଖିଥିବା ଭାରତ ୨୦୧୭ରେ ଷ୍ଟିଭ୍ ସ୍ମିଥଙ୍କ ପ୍ରଥମ ଦିନ ଆକ୍ରମଣ କାରଣରୁ ଫସିଯାଇଥିବାରୁ ସେଭଳି ବୁମେରାଂ ହେବାର ବିପଦ ବି ରଖିଛି। ୨୦୧୨ରେ ଗ୍ରେମ୍ ସ୍ବାନ୍‌, ମଣ୍ଟି ପା‌ନିସର୍‌ ୨୦୧୭ରେ ଷ୍ଟିଭ୍ ୱ’କିଫ୍‌ ମଧ୍ୟ ଭାରତୀୟଙ୍କୁ ଅଡୁଆରେ ପକାଇ ଟର୍ନିଂ ଟ୍ରାକ୍‌ ପ୍ରସ୍ତୁତିର ପରିଣତି ଚଖାଇଥିଲେ।

ନଜରରେ ସଂଖ୍ୟା
ନିଜ ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଭାରତ ୫ ଥର ପ୍ରଥମ‌ ଟେଷ୍ଟ୍ ହାରିବା ପରେ ଶୃଙ୍ଖଳା ଜିତିଛି। ଏହା ମଧ୍ୟରୁ ୩ ଥର ବିଗତ ୬ ବର୍ଷ ମଧ୍ୟରେ ମିଳିଥିବାରୁ କୋହଲିଙ୍କ ଦଳ ପୁଣି ସମାନ କମାଲ୍ କରିବ ବୋଲି ଆଶା ରଖିଛି। ୨୦୧୬ରେ ଶ୍ରୀଲଙ୍କାରେ, ୨୦୧୭ରେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ଏବଂ ଗତ ଅଷ୍ଟ୍ରେଲିଆ ଗସ୍ତ ଶୃଙ୍ଖଳାକୁ ଭାରତ ପ୍ରଥମେ ହାରିବା ପରେ ଜିତିଥିଲା। ଅନ୍ୟପକ୍ଷରେ ଏସିଆରେ ଲଗାତାର ୭ ବିଜୟଠାରୁ ଇଂଲଣ୍ଡ ଗୋଟିଏ ଦୂରରେ ରହିଛି। ଅଷ୍ଟ୍ରେଲିଆର ସମକକ୍ଷ ହେବା ରୁଟଙ୍କ ଲକ୍ଷ୍ୟ ହେବ। ଭାରତ କିନ୍ତୁ ଚଳିତ ଶତାବ୍ଦୀରେ ଥରେ ମାତ୍ର ଘରୋଇ ମାଟିରେ ଲଗାତାର ଟେଷ୍ଟ୍ ହାରିଛି (୨୦୧୨-୧୩ ବନାମ ଇଂଲଣ୍ଡ)। ଅଜିଙ୍କ୍ୟ ରାହାଣେଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଅଷ୍ଟ୍ରେଲିଆରେ ଶତକ ମାରିବା ପରଠାରୁ ରାହାଣେ ଖରାପ ଖେଳିବା ଜାରି ରଖିଥିବାରୁ ପ୍ରଶଂସକ ନାରାଜ। ଘରୋଇ ମାଟିରେ ମଧ୍ୟ ୨୦୧୬ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପରଠାରୁ ରାହାଣେ ମାତ୍ର ଗୋଟିଏ ଶତକ ସହ ୩୧.୧୮ ହାରରେ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର