ଆଡିଲେଡ୍: ବ୍ରିସ୍ବେନ୍ର ଗାବା ଷ୍ଟାଡିୟମ୍ରେ ପ୍ରଥମ ଟେଷ୍ଟ୍କୁ ଦୟନୀୟ ଭାବେ ହାରି ୦-୧ରେ ଶୃଙ୍ଖଳା ପଛୁଆ ରହିଥିବା ଭ୍ରମଣକାରୀ ଇଂଲଣ୍ଡ ଆସନ୍ତାକାଲି (ଗୁରୁବାର)ଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ପାଇଁ ଦୁଇ ପୁରୁଖା ତଥା ସଫଳ ପେସ୍ ଯୋଡ଼ି ଜେମ୍ସ ଆଣ୍ଡରସନ୍ ଏବଂ ଷ୍ଟୁ୍ଆର୍ଟ ବ୍ରଡ୍ଙ୍କୁ ୧୨ ଜଣିଆ ଦଳରେ ସାମିଲ କରିଛି। ଆଣ୍ଡରସନ୍ ଅବଶିଷ୍ଟ ୪ ଟେଷ୍ଟ୍ ଖେଳିବାକୁ ଆଗ୍ରହୀ ବୋଲି କହିଥିଲେ। ଟେଷ୍ଟ୍ ଇତିହାସରେ ଆଣ୍ଡରସନ୍-ବ୍ରଡ୍ ଇଂଲଣ୍ଡର ଦୁଇ ମହାନ ୱିକେଟ୍ଦଖଲକାରୀ ବୋଲର। ଦୁହେଁ ନିଜ ନିଜ ଭିତରେ ୧୧୫୬ ୱିକେଟ୍ ବାଣ୍ଟି ନେଇଛନ୍ତି। ସେମଧ୍ୟରୁ ଆଣ୍ଡରସନ୍ ୬୩୨ ଏବଂ ବ୍ରଡ୍ ୫୨୪ ୱିକେଟ୍ ଦଖଲ କରିଛନ୍ତି। ହେଲେ ବିବାଦୀୟ ଢଙ୍ଗରେ ପ୍ରଥମ ଟେଷ୍ଟ୍ରୁ ଉଭୟେ ବାଦ୍ ପଡ଼ିଥିଲେ। ଯାହାର ଫଳ ସ୍ବରୂପ ଇଂଲଣ୍ଡ ୯ ୱିକେଟ୍ରେ ମ୍ୟାଚ୍ ହାରିଯାଇଥିଲା। ଉଭୟେ ଦ୍ବିତୀୟ ଟେଷ୍ଟ୍ ପାଇଁ ଦଳକୁ ଫେରିଥିବାରୁ ଦିବାରାତ୍ର ମ୍ୟାଚ୍ରେ ଇଂଲଣ୍ଡର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହି ଦୁଇ ଜଣ ଚୂଡ଼ାନ୍ତ ଏକାଦଶରେ ସାମିଲ ପରେ ଦ୍ରୁତ ବୋଲର ମାର୍କ ଉଡ୍ଙ୍କୁ ବିଶ୍ରାମ ଦିଆଯାଇଛି। ଏହା ବ୍ୟତୀତ ଓଲି ରବିନ୍ସନ୍ ଏବଂ କ୍ରିସ୍ ଓକ୍ସଙ୍କ ମଧ୍ୟରୁ ଜଣଙ୍କୁ ବାଟ ଛାଡ଼ିବାକୁ ପଡ଼ିବ। ତଥାପି ସେମାନଙ୍କ ମଧ୍ୟରୁ କିଏ ବସିବ ତାହା ଟସ୍ ବେଳେ ନିଷ୍ପତ୍ତି ନିଆଯିବ ବୋଲି ଅଧିନାୟକ ଜୋ ରୁଟ୍ କହିଛନ୍ତି। ଅନ୍ୟପକ୍ଷରେ ଗାବାରେ ସଂପୂର୍ଣ୍ଣ ନିରାଶ କରିଥିବା ସ୍ପିନର ଜାକ ଲିଚ୍ଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି। ବିଶେଷକରି ଆଡିଲେଡ୍ ପିଚ୍ ପାରମ୍ପରିକ ସ୍ପିନ୍କୁ ସୁହାଉଥିବାରୁ ଏବଂ ଲିଚ୍ଙ୍କ ଘରୋଇ ପଡ଼ିଆ ହୋଇଥିବାରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ଖେଳାଇବା ନିଶ୍ଚିତ ବୋଲି ରୁଟ୍ ସ୍ପଷ୍ଟ କରିଛନ୍ତି।
୧୨ ଜଣିଆ ଇଂଲଣ୍ଡ ଦଳ: ଜିମ୍ମି ଆଣ୍ଡରସନ୍, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣସ, ଜୋସ୍ ବଟ୍ଟଲର୍, ହସିବ ହମିଦ୍, ଜାକ୍ ଲିଚ୍, ଦାୱିଦ୍ ମଲାନ, ଓଲି ପୋପେ, ଓଲି ରବିନ୍ସନ୍, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, କ୍ରିସ୍ ୱକ୍ସ।
ହାଜେଲ୍ଉଡ୍ଙ୍କ ସ୍ଥାନ ନେଲେ ରିଚାର୍ଡସନ୍
ଗାବା ଟେଷ୍ଟ୍ ଜିତି ୧-୦ର ଅଗ୍ରଣୀ ପାଇଥିବା ଘରୋଇ ଅଷ୍ଟ୍ରେଲିଆ ଦଳରେ ଆଡିଲେଡ୍ ଦିବାରାତ୍ର ଟେଷ୍ଟ୍ ପାଇଁ ଆହତ ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ଙ୍କ ବଦଳରେ ଝେ ରିଚାର୍ଡସନ୍ ସାମିଲ ହୋଇଛନ୍ତି। ସେହିପରି ଫିଟ୍ ଓପ୍ନର ଡେଭିଡ୍ ୱର୍ଣ୍ଣର ଖେଳିବା ନିଶ୍ଚିତ ବୋଲି ବୁଧବାର କହିଛନ୍ତି ଅଧିନାୟକ ପ୍ୟାଟ୍ କମିନ୍ସ। ଗାବାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ ବେଳେ ହାଜେଲଉଡ୍ ଆହତ ହୋଇଥିବାରୁ ଦ୍ବିତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଥିବା କମିନ୍ସ କହିଛନ୍ତି। ତେବେ ମାଇକେଲ ନେସର୍ଙ୍କୁ ପଛରେ ପକାଇ ରିଚାର୍ଡସନ୍ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ଏବଂ ସେ କମିନ୍ସ, ମିଚେଲ ଷ୍ଟାର୍କ ଏବଂ ନାଥନ୍ ଲାୟନ୍ଙ୍କ ସହ ବୋଲିଂ ଆକ୍ରମଣର ମଙ୍ଗ ସମ୍ଭାଳିବେ।
ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍ ୱର୍ଣ୍ଣର, ମାର୍କସ ହାରିସ, ମାର୍ନସ ଲବୁସାନ୍, ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, କାମେରନ୍ ଗ୍ରିନ୍, ଆଲେକ୍ସ କାରି, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଝେ ରିଚାର୍ଡସନ୍, ନାଥନ୍ ଲାୟନ।