ନୂଆଦିଲ୍ଲୀ: ସେଞ୍ଚୁରିଅନ୍‌ ଟେଷ୍ଟର ଦ୍ବିତୀୟ ଦିନରେ ଭାରତୀୟ ବୋଲରମାନେ ବ୍ୟୟବହୁଳ ହୋଇଥିଲେ। ଦ୍ରୁତ ବୋଲରଙ୍କୁ ସହାୟତା ଦେଉଥିବା ପିଚ୍‌ରେ ଭାରତୀୟ ବୋଲର ୬୬ ଓଭରରେ ୨୫୬ ରନ୍‌ ବ୍ୟୟ କରିଥିଲେ। ଯାହା ମଧ୍ୟରେ ୩୭ ଚୌକା ଓ ୨ ଛକା ସାମିଲ ଥିଲା। ବୋଲରଙ୍କ ପାଇଁ ଉପଯୁକ୍ତ ପାଗ ଥିଲେ ମଧ୍ୟ ସଫଳତା ମିଳୁନଥିଲା। ଆକାଶ ମେଘୁଆ ଥିଲା ବେଳେ ପିଚ୍‌ରେ ସବୁଜ ଘାସ ସିମ୍‌ ମୁଭ୍‌ମେଣ୍ଟକୁ ଚାହିଁ ରହିଥିଲା। ହେଲେ ଏକ ଅନଭିଜ୍ଞ ବ୍ୟାଟିଂ ଗ୍ରୁପ୍‌ ଭାରତୀୟ ବୋଲିଂକୁ ଅକାମି କରିଦେଇଥିଲା। କେବଳ ପଦାର୍ପଣକାରୀ ପ୍ରସିଦ୍ଧ କୃଷ୍ଣ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ୨୭ ଓଭରରୁ ୧୯ ବାଉଣ୍ଡରି (୧୭ ଚୌକା, ୨ଛକା) ଆସିଥିଲା। ଯାହାକି ଭାରତୀୟ ବୋଲିଂ ପାଇଁ ଆଦୌ ଭଲ ଯାଇନଥିଲା। ଘରୋଇ ଦଳର ପ୍ରାରମ୍ଭିକ ବ୍ୟାଟର ଡିନ୍‌ ଏଲଗାର ସବୁଠୁ ଅଧିକ ରନ୍‌ ନିଜ ନାମରେ କରାଇଥିଲେ। କେବଳ ଏତିକି ନୁହେଁ, ଏଲଗାରଙ୍କ ଗତ ୮୪ ଟେଷ୍ଟରେ ୪୭.୩୮ ଷ୍ଟାଇକ୍‌ରେଟ୍‌ ଥିଲା ବେଳେ ଏହି ସଂଖ୍ୟା ୬୬.୩୫ରେ ପହଞ୍ଚିଥିଲା। ସାଧାରଣତଃ ଏଲଗାର ଏଭଳି ବ୍ୟାଟିଂ କେବେ କରିନଥାନ୍ତି। କିନ୍ତୁ ଏଠାରେ ସେ ବୋଲରଙ୍କୁ ଆଦୌ ଦୟା ଦେଖାଇ ନଥିଲେ। ଯେତେ‌ବେଳେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ବୋଲିଂ ଆସୁଥିଲେ, ‌ତାଙ୍କୁ ଏଲଗାର ସମ୍ମାନ ଦେଉଥିଲେ। କିନ୍ତୁ ପ୍ରସିଦ୍ଧ ଓ ଶାର୍ଦ୍ଦୁଳଙ୍କ ବୋଲିଂରୁ ପ୍ରଚୁର ରନ୍‌ ବାହାର କରି ଦଳକୁ ଦୃଢ ରଖିଥିଲେ।

Advertisment

ତେଣୁ ଏହାକୁ ଭାରତୀୟ ବୋଲିଂର କେବଳ ଏକ ଖରାପ ଦିନ କୁହାଯିବ ନା ବୁମ୍‌ରା, ସିରାଜ, ସାମିଙ୍କ ବିନା ଭାରତୀୟ ବୋଲିଂବାହିନୀ ଦୁର୍ବଳ ବୋଲି ଧରିନେବାକୁ ହେବ, ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଶାର୍ଦ୍ଦୁଳ ତାଙ୍କର ଦଶମ ଟେଷ୍ଟ‌ ଖେଳୁଥିଲା ବେଳେ ପ୍ରସିଦ୍ଧ ପ୍ରଥମ ମ୍ୟାଚ୍ ଖେଳୁଥିଲେ। ପ୍ରିସିଦ୍ଧ ମଝିରେ ମଝିରେ ୧୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ବଲ୍‌ ପକାଇ ଦେଉଥିଲେ, କିନ୍ତୁ ଅଭିଜ୍ଞତାର ଅଭାବ ଯୋଗୁଁ ଠିକ୍‌ ସ୍ଥାନ ଓ ଲାଇନ୍‌ ପାଇପାରୁନଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୧୨ ମ୍ୟାଚ୍‌ରୁ ୫୪ ୱିକେଟ୍‌ ଅକ୍ତିଆର କରିଛନ୍ତି। କିନ୍ତୁ ବଡ଼ ମଞ୍ଚରେ ସେ ନର୍ଭସ ହୋଇଯାଉଥିବା ମନେ ହେଉଛି। ଯଦି ଏପରି ହୁଏ, ତାହେଲେ ଫେବ୍ରୁଆରିରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ବେଳକୁ ଭାରତୀୟ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟ ହୋଇପା‌ରେ।

ସେହିପରି ଶାର୍ଦ୍ଦୁଳ ପ୍ରଥମ ଶ୍ରେଣୀରେ ୭୬ ମ୍ୟାଚ୍‌ରୁ ୩.୧୭ ଇକୋନୋମି ରଖୁଥିଲା ବେଳେ ୨୪୬ ୱିକେଟ୍‌ ତାଙ୍କ ନାମ‌ରେ ରହିଛି। କିନ୍ତୁ ଭାରତୀୟ ଦଳରେ ସେ ଚତୁର୍ଥ ବୋଲର ଭାବେ ସ୍ଥାନ ପାଇଛନ୍ତି। ଠାକୁରଙ୍କୁ ପୂର୍ବରୁ କେବେବି ଟେଷ୍ଟ ବୋଲର ଭାବେ ଗଣନା କରାଯାଇନାହିଁ। କେବଳ ଭଲ ବ୍ୟାଟିଂ କରିପାରୁଥିବାରୁ ଜଣେ ବୋଲର ଅଲରାଉଣ୍ଡର ଭାବେ ସେ ସ୍ଥାନ ପାଉଛନ୍ତି। ସେହିପରି ଅନ୍ୟତମ ଯୁବ ବୋଲର ମୁକେଶ କୁମାରଙ୍କ ଆନ୍ତର୍ଜାତିକ ଜୀବନ ଏବେ ଗଢାଚାଲିଛି। ସେ ଭଲ ସୁଇଂ କରିପାରୁଥିଲେ ମଧ୍ୟ ତାଙ୍କୁ ପାରଙ୍ଗମ ହେବାକୁ ଆହୁରି ସମୟ ଦରକାର। ଯଦିଓ ତାଙ୍କୁ ବୁମ୍‌ରା, ସାମି, ସିରାଜଙ୍କ ଦକ୍ଷତା ସହିତ ତୁଳନା କରାଯାଉଛି, ହେଲେ ସେହି ସ୍ତରକୁ ଆସିବା ପାଇଁ ମୁକେଶ ପାଖରେ ବହୁତ ସମୟ ଲାଗିଯାଇପାରେ। ଏମାନଙ୍କ ବ୍ୟତୀତ ଆକାଶ ଦୀପ, ଆୱେସ ଖାନ୍‌, ବିଦ୍ବଥ କାଭିରପ୍ପା, ଅର୍ଶଦୀପ ସିଂହ ପ୍ରମୁଖ ଦ୍ରୁତ ବୋଲରମାନେ ଭାରତର ଭବିଷ୍ୟତ ଭାବେ ପରିଗଣିତ ହେଉଥିଲେ ମଧ୍ୟ ଟେଷ୍ଟରେ ଶ୍ରେଷ୍ଠ ହେବା ପାଇଁ ସେମାନଙ୍କୁ ଆହୁରି ପରିଶ୍ରମ କରିବାକୁ ହେବ।

ଅଶ୍ବିନ, ପ୍ରସିଦ୍ଧଙ୍କ ବଦଳରେ ଖେଳିପାରନ୍ତି ଜାଡ଼େଜା, ମୁକେଶ
ନୂଆଦିଲ୍ଲୀ: ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଦଳ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦୁଳ ଠାକୁର ଫିଟ୍‌ ହୋଇଯାଇଥିବାରୁ ଏବେ କିଏ ଖେଳିବେ ଓ କିଏ ବସିବେ ବିଚାର ବିମର୍ଶ ଚାଲିଛି। ରବୀନ୍ଦ୍ର ଜାଡ଼େଜା ଉପଲବ୍‌ଧ ହୋଇଥିବାରୁ ସେ ଆର୍ ଅଶ୍ବିନଙ୍କ ସ୍ଥାନ ନେବା ପ୍ରାୟ ନିଶ୍ଚିତ ରହିଛି। ଅଶ୍ବିନ ପ୍ରଥମ ଟେଷ୍ଟ୍‌ରେ ୧୯ ଓଭର ବୋଲିଂ କରି ୪୧ ରନ୍ ବିନିମୟରେ ଗୋଟିଏ ମାତ୍ର ୱିକେଟ୍ ନେଇଥିଲେ। ଦଳ ଚୟନ ସମ୍ପର୍କରେ ମତ ଦେଇ ପୂର୍ବତନ ଅଲରାଉଣ୍ଡର୍ ଇର୍ଫାନ୍ ପଠାନ କହିଛନ୍ତି ‘ସେଞ୍ଚୁରିଅନ୍ ପିଚ୍‌ରେ ଅଶ୍ବିନ୍‌ ଭଲ ବୋଲିଂ କରିଥିଲେ ମଧ୍ୟ ଜାଡ଼େଜାଙ୍କୁ ପ୍ରତ୍ୟାବର୍ତନ ସୁଯୋଗ ମିଳିବା ଉଚିତ। କାରଣ ୭ ନମ୍ବର ସ୍ଥାନରେ ଦଳର ବ୍ୟାଟିଂକୁ ଜାଡ଼େଜା ନିୟନ୍ତ୍ରଣ କରିପାରିବେ। ମୁକେଶ କୁମାରଙ୍କ ପାଇଁ ପ୍ରସିଦ୍ଧ କୃଷ୍ଣଙ୍କୁ ବାଟ ଛାଡ଼ିବାକୁ ପଡ଼ିପାରେ’। ସେଞ୍ଚୁରିଅନ୍‌ରେ ପ୍ରସିଦ୍ଧ ୧୯ ଓଭର ବୋଲିଂ କରି ୯୩ ରନ୍ ବ୍ୟୟ କରିବା ସହ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। ‘ରୋହିତ ଶର୍ମାଙ୍କ ବିଶ୍ବାସ ଅନୁସାରେ ସେ ନିଶ୍ଚିତ ସମାନ ବୋଲିଂ ଆକ୍ରମଣ ସହ ଖେଳିବାକୁ ପସନ୍ଦ କରିପାରନ୍ତି। ପରିବର୍ତନ କରିବାକୁ ଚାହିଁଲେ ପ୍ରସିଦ୍ଧଙ୍କ ବଦଳରେ ମୁକେଶ ଆସିବେ। କିନ୍ତୁ ନେଟ୍ସରେ ଯଦି ପ୍ରସିଦ୍ଧ ଆତ୍ମବିଶ୍ବାସର ସହ ଖେଳିଥିବେ ରୋହିତ ତାଙ୍କୁ ଦ୍ବିତୀୟ ଟେଷ୍ଟ୍ ପାଇଁ ବି ସମର୍ଥନ କରିବା ଉଚିତ’ ବୋଲି ଭାରତ ପାଇଁ ୨୯ ଟେଷ୍ଟ୍‌, ୧୨୦ ଦିନିକିଆ, ୨୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଇର୍ଫାନ୍ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଭାରତ ଦୀର୍ଘ ୩୧ ବର୍ଷ ପରେ ଇନ୍ଦ୍ରଧନୁର ଦେଶ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ ଶୃଙ୍ଖଳା ଜିତିନାହିଁ। ୮ ଥର ପ୍ରୟାସ କରି ଅସଫଳ ରହିଛି। ୭ ହାରିଛି, ଗୋଟିଏ ଅମୀମାଂସିତ ରହିଛି। କେପ୍‌ଟାଉନ୍ ଟେଷ୍ଟ୍ ଜିତିପାରିଲେ ଭାରତ କେବଳ ୧-୧ ଡ୍ର’ କରିପାରିବ।