କାଣ୍ଡି: ସ୍ଥାନୀୟ ପାଲିକଲ ଇଣ୍ଟରନ୍ୟାସ୍‌ନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ ରନ୍‌ ବର୍ଷା ହୋଇଥିଲା। ଯେଉଁଥିରେ ଉଭୟ ଶ୍ରୀଲଙ୍କା ଓ ବାଂଲାଦେଶ ଦଳର ପ୍ରଥମ ପାଳି ଶେଷ ହେବାକୁ ୪ ଦିନ ଲାଗି ଯାଇଥିଲା। ଉଭୟ ଦଳ ବଡ଼ ସ୍କୋର୍‌ କରିବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ପିଚ୍‌ ବୋଲରଙ୍କୁ ଆଦୌ ସହାୟତା କରିନଥିଲା ବେଳେ ପୂରା ୫ ଦିନରେ ବ୍ୟାଟ୍‌ସମ୍ୟାନ୍‌ଙ୍କ ଆଧିପତ୍ୟ ରହିଥିଲା। ପୁଣି ସେହି ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଛି ଦ୍ବିତୀୟ ଟେ‌ଷ୍ଟ୍‌। ପ୍ରଥମ ଟେଷ୍ଟ୍‌ ଭଳି ଏହି ଟେଷ୍ଟ୍‌ରେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଆଧିପତ୍ୟ ପ୍ରଥମ ଦିନରୁ ହିଁ ପ୍ରମାଣିତ ହୋଇଯାଇଛି। ପ୍ରଥମ ଦିନ ପୂରା ୯୦ ଓଭର ବୋଲିଂ କରିଥିବା ଭ୍ରମଣକାରୀ ବାଂଲାଦେଶ ଦଳର ବୋଲରମାନେ ମାତ୍ର ଗୋଟିଏ ୱିକେଟ୍‌ ଦଖଲ କରିବାକୁ ସମର୍ଥ ହୋଇଥିଲା ବେଳେ ଘରୋଇ ଶ୍ରୀଲଙ୍କା ୨୯୧ ରନ୍ କରିନେଇଛି। ବିଶେଷକରି ପ୍ରାରମ୍ଭିକ ଯୋଡ଼ି ଅଧିନାୟକ ଦିମୁଥ କରୁଣାରତ୍ନେ ଓ ଲାହିରୁ ଥିରିମାନେଙ୍କ ମଧ୍ୟରେ ଦ୍ବିଶତକୀୟ ଭାଗୀଦାରି ହିଁ ପ୍ରଥମ ଦିବସର ମୁଖ୍ୟାଂଶ ରହିଛି।

Advertisment

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନେଇଥିଲା। କରୁଣାରତ୍ନେ ଓ ଥିରିମାନେ ଆରାମରେ ଦୁଇଟି ସେସନ୍‌ରୁ ଅଧିକ ସମୟ କ୍ରିଜ୍‌ରେ ଜମି ରହିଥିଲେ। ଉଭୟେ ନିଜ ନିଜର ଶତକ ମଧ୍ୟ ପୂରଣ କରିଥିଲେ। ୬୩ ଓଭର ଏକାଠି କ୍ରିଜ୍‌ରେ ରହି ୨୦୯ ରନ୍ ଯୋଡ଼ିଥିଲେ। ସୋରିଫୁଲ ଇସ୍‌ଲାମ ୬୪ତମ ଓଭରର ପ୍ରଥମ ବଲ୍‌ରେ ହିଁ କରୁଣାରତ୍ନେଙ୍କୁ ଆଉଟ୍‌ କରି ନିଜର ପ୍ରଥମ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରିଥିଲେ। ଯୋଡ଼ି ଭାଙ୍ଗିବା ପୂର୍ବରୁ କରୁଣାରତ୍ନେ ୧୯୦ ବଲ୍‌ରୁ ୧୫ ଚୌକା ସହାୟତାରେ ୧୧୮ ରନ୍ କରିଥିଲେ। ଏହାପରେ ଥିରିମାନେଙ୍କ ସହ ଓସାଦେ ଫର୍ଣ୍ଣାଣ୍ଡୋ ଯୋଗଦେଇଥିଲେ ମଧ୍ୟ ବାଂଲାଦେଶ ବୋଲରଙ୍କ ଦୁଃଖ ଦୂର ହୋଇନଥିଲା। ଦୁହେଁ ଅବିଭାଜିତ ଦ୍ବିତୀୟ ୱିକେଟ୍‌ରେ ୮୨ ରନ୍ ଯୋଡ଼ି ଶ୍ରୀଲଙ୍କା ସ୍ଥିତି ଦୃଢ଼ କରିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଶ୍ରୀଲଙ୍କା ଗୋଟିଏ ୱିକେଟ୍‌ ବିନିମୟରେ ୨୯୧ ରନ୍ କରିଛି। ଥିରିମାନେ ୨୫୩ ବଲ୍‌ ଖେଳି ୧୪ ଚୌକା ସହାୟତାରେ ୧୩୧* ରନ୍‌ କରିଥିଲା ବେଳେ ଫର୍ଣ୍ଣାଣ୍ଡୋ ୯୮ ବଲ୍‌ରୁ ୪ ଚୌକା ସହାୟତାରେ ୪୦* ରନ୍‌ କରିଛନ୍ତି।