ଚେନ୍ନାଇ : ରବିଚନ୍ଦ୍ରନ୍ ଅଶ୍ବିନଙ୍କ ୨୯ତମ ପାଞ୍ଚ ୱିକେଟ୍ ସଫଳତା ବଳରେ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଇଂଲଣ୍ଡକୁ ମାତ୍ର ୧୩୪ ରନ୍ରେ ଅଲଆଉଟ୍ କରିଦେଇଛି ଭାରତ। ଏକଦା ୧୦୬ ରନ୍ରେ ୮ ୱିକେଟ୍ ହରାଇ ଫଲୋଅନର ଦ୍ବାର ଦେଶରେ ରହିଥିବା ଇଂଲଣ୍ଡ ନବାଗତ ବେନ୍ ଫୋକ୍ସଙ୍କ ଲଢ଼ୁଆ ଏବଂ ଧୈର୍ଯ୍ୟପୂର୍ଣ୍ଣ ୪୨ ରନ୍ ବଳରେ ଏହାକୁ କଷ୍ଟେମଷ୍ଟେ ଟାଳିବାକୁ ସକ୍ଷମ ହୋଇଥିଲା। ତଥାପି ପ୍ରଥମ ପାଳିରେ ୩୨୯ ରନ୍ କରିଥିବା ଭାରତଠାରୁ ୧୯୫ ରନ୍ରେ ପଛୁଆ ରହିଯାଇଥିଲା। ଅସମତଳ ଉଚ୍ଛାଳ ଏବଂ ଟର୍ନ ନେଉଥିବା ଚର୍ଚିତ ଚେପକ୍ ପିଚ୍ର ଦ୍ବିତୀୟ ପାଳିରେ ଭାରତ ୧ ୱିକେଟ୍ ବିନିମୟରେ ୫୪ ରନ୍ କରିନେବା ପରେ ଏବେ ମୋଟ ଉପରେ ୨୪୯ ରନ୍ରେ ଆଗୁଆ ରହିଛି। ଫଳରେ ମ୍ୟାଚ୍କୁ ଏକପ୍ରକାର ନିଜ ନିୟନ୍ତ୍ରଣକୁ ନେଇଯାଇଛି ଟିମ୍ ଇଣ୍ଡିଆ। ରବିବାର ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ପ୍ରଥମ ପାଳିର ଶତକ ହାସଲକାରୀ ରୋହିତ ଶର୍ମା ୨୫ ଏବଂ ଚେତେଶ୍ବର ପୂଜାରା ୭ ରନ୍ କରି ଅପରାଜିତ ରହିଛନ୍ତି। ଏକମାତ୍ର ୱିକେଟ୍ ଭାବେ ଯୁବ ତାରକା ଶୁବମନ ଗିଲ୍ ୧୪ ରନ୍ କରି ଲଗାତାର ଦ୍ବିତୀୟ ଥର ପାଇଁ ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି। ଆଜି ଭାରତର ୫ ୱିକେଟ୍ (ପ୍ରଥମ ପାଳିର ୪, ଦ୍ବିତୀୟର ୧)କୁ ମିଶାଇ ମୋଟ ୧୫ ୱିକେଟ୍ର ପତନ ଘଟିଛି।
ଡିଆରଏସ୍କୁ ନେଇ ପୁଣି ବିବାଦ
ପ୍ରଥମ ଦିନ ଭଳି ଆଜି ଦ୍ବିତୀୟ ଦିନରେ ମଧ୍ୟ ତୃତୀୟ ଅମ୍ପାୟାରଙ୍କୁ ନେଇ ବିବାଦ ଦେଖା ଦେଇଥିଲା। ଶନିବାର ଭାରତୀୟ ପ୍ରଥମ ପାଳିର ୭୫ତମ ଓଭରରେ ଅଜିଙ୍କ୍ୟ ରାହାଣେଙ୍କ ବିପକ୍ଷରେ ଇଂଲଣ୍ଡ କରିଥିବା ରିଭ୍ୟୁରେ ତ୍ରୁଟି କରି ତୃତୀୟ ଅମ୍ପାୟାର ଅନିଲ ଚୌଧୁରୀ ସମାଲୋଚିତ ହୋଇଥିଲେ। ରବିବାର ଭାରତୀୟ ପାଳିର ତ୍ରୟୋଦଶ ଓଭରରେ ତୃ୍ତୀୟ ଅମ୍ପାୟାରଙ୍କୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଥିଲା। ଅଫ୍ ଷ୍ଟମ୍ପ୍ରେ ଥିବା ମୋଇନ ଅଲ୍ଲୀଙ୍କ ବଲ୍କୁ ରୋହିତ ଖେଳିବା ପରିବର୍ତ୍ତେ ନିଜ ବ୍ୟାଟ୍କୁ ପ୍ୟାଡ୍ ପଛପଟେ ଲୁଚାଇ ଦେଇଥିଲେ। ଇଂଲଣ୍ଡ ଏଲ୍ବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ ମଧ୍ୟ ପଡ଼ିଆ ଅମ୍ପାୟାର ଏହାକୁ ନାକଚ କରି ଦେଇଥିଲେ। ଏଣୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏହାକୁ ରିଭ୍ୟୁ କରିଥିଲେ। ବାରମ୍ବାର ରିପ୍ଲେ ଦେଖିବା ପରେ ରୋହିତ ସଟ୍ ଖେଳିଥିବା ଏବଂ ବଲ୍ ଅଫ୍ ଷ୍ଟମ୍ପ୍ ବାହାରେ ପଡ଼ିଥିବା ଦର୍ଶାଇ ତୃତୀୟ ଅମ୍ପାୟାର ରାୟ ଦେବା ସହ ରିଭ୍ୟୁକୁ ଖାରଜ କରି ଦେଇଥିଲେ। ଯାହାକୁ ନେଇ ରୁଟ୍ ଓ ଅନ୍ୟ ଇଂଲଣ୍ଡ ଖେଳାଳିମାନେ ତୀବ୍ର ଅସନ୍ତୋଷ ଜାହିର କରିଥିଲେ। ଆକାଶ ଚୋପ୍ରାଙ୍କ ଭଳି ଭାଷ୍ୟକାର ବି ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ସହ ଏକମତ ନହୋଇ ତାଙ୍କୁ ସିଧାପ୍ରସାରଣ ବେଳେ ହିଁ ନିନ୍ଦା କରିଥିଲେ।
ପୂଜାରାଙ୍କ ବଦଳରେ ମୟଙ୍କ
ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ଆହତ ଯୋଗୁଁ ଚଳିତ ଚେପକ ଟେଷ୍ଟ୍ର ଦ୍ବିତୀୟ ଦିବସ ଖେଳରେ କ୍ଷେତ୍ରରକ୍ଷଣ କରି ନଥିଲେ। ପ୍ରଥମ ଦିନ ବ୍ୟାଟିଂ କରୁଥିଲା ବେଳେ ସେ ଡାହାଣ ହାତରେ ଆଘାତ ପାଇଥିଲେ। ସେଥିପାଇଁ କିଛିଟା ଯନ୍ତ୍ରଣା ଅନୁଭବ କରିଥିଲେ। ୫୮ ବଲ୍ରୁ ୨୧ ରନ୍ କରିଥିଲେ ସେ। ତେବେ ରବିବାର ଇଂଲଣ୍ଡ ପ୍ରଥମ ପାଳି ବ୍ୟାଟିଂ ବେଳେ ପୂଜାରା ପଡ଼ିଆକୁ ଓହ୍ଲାଇନଥିଲେ। ତାଙ୍କ ବଦଳରେ ମୟଙ୍କ ଅଗ୍ରୱାଲ କ୍ଷେତ୍ରରକ୍ଷଣ କରିଥିଲେ ବୋଲି ବିସିସିଆଇ ଟ୍ବିଟ୍ କରିଥିଲା। ଅବଶ୍ୟ ଇଂଲଣ୍ଡ ପ୍ରଥମ ପାଳି ଶେଷ ହେବା ଏବଂ ଭାରତ ଦ୍ବିତୀୟ ପାଳିରେ ଶୁବମନ୍ ଗିଲ୍ଙ୍କ ୱିକେଟ୍ ହରାଇବା ପରେ ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ।
ଭାରତ ପ୍ରଥମ ପାଳିରେ ୩୨୯
ଭାରତ ଶନିବାର ସ୍କୋର ୩୦୦/୬ରୁ ରବିବାରର ଖେଳ ଆରମ୍ଭ କରି ଆଉ ମାତ୍ର ୨୯ ରନ୍ରେ ବଳକା ୪ ୱିକେଟ୍ ହରାଇଥିଲା। ୩୩ ରନ୍ରେ ଅପରାଜିତ ଥିବା ଋଷଭ ପନ୍ତ ଷଷ୍ଠ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମଧ୍ୟ ୭ ଚୌକା ଓ ୩ ଛକା ବଳରେ ୫୮ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ କିନ୍ତୁ ନିଜ ବ୍ୟକ୍ତିଗତ ସ୍କୋର୍ରେ ଆଉ କୌଣସି ରନ୍ ଯୋଡ଼ି ପାରିନଥିଲେ। ଈଶାନ୍ତ ଶର୍ମା ଓ କୁଲଦୀପ ଯାଦବ ଖାତା ଖୋଲି ପାରିନଥିଲେ। ଅନ୍ୟପକ୍ଷରେ ଶେଷ ୱିକେଟ୍ ଭାବେ ମହମ୍ମଦ ସିରାଜ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ଭାରତ ପାଳି ୯୫.୫ ଓଭରରେ ହିଁ ଶେଷ ହୋଇ ଯାଇଥିଲା।
/sambad/media/post_attachments/wp-content/uploads/2021/02/panta.jpg)
ପନ୍ତଙ୍କ ଉଡ଼ନ୍ତା କ୍ୟାଚ୍, କୋହଲିଙ୍କ ହ୍ବିସିଲ ଆହ୍ବାନ
ନିଜ ଦୁର୍ବଳ ୱିକେଟ୍ ରକ୍ଷଣ ଦକ୍ଷତା ପାଇଁ ଋଷବ ପନ୍ତ ଅତୀତରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ରବିବାର ସେ ନେଇଥିବା ଏକ କ୍ୟାଚ୍ କିନ୍ତୁ ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଥିଲା। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ସମର୍ଥକ ତାଙ୍କୁ ପ୍ରଶଂସା ନ କରି ରହିପାରିନଥିଲେ। ଏହି ଅବିଶ୍ବସନୀୟ କ୍ୟାଚ୍ ସେ ରବିବାର ଖେଳର ଦ୍ବିତୀୟ ଅଧିବେଶନରେ ନେଇଥିଲେ। ମହମ୍ମଦ ସିରାଜଙ୍କ ବଲ୍ରେ ନିଜ ବାମ ପଟକୁ ଶୂନ୍ୟରେ ଡାଇଭ୍ ମାରି ପନ୍ତ ଯେଉଁ କ୍ୟାଚ୍ ଦେଇଥିଲେ, ତାହା ସୁନିଲ ଗାଭାସ୍କରଙ୍କ ଭଳି ମହାନ ଖେଳାଳିଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ତାଙ୍କ ପାଇଁ ସିରାଜ ମଧ୍ୟ ପୋପ୍ଙ୍କ ରୂପରେ ଦ୍ବିତୀୟ ଦିନରେ ନିଜ ପ୍ରଥମ ୱିକେଟ୍ କରାୟତ୍ତ କରିପାରିଥିଲେ। ପନ୍ତଙ୍କ ପାଇଁ ଭାରତରେ ବୋଲିଂ କରିଥିବା ନିଜ ପ୍ରଥମ ଟେଷ୍ଟ୍ ବଲ୍ରେ ୱିକେଟ୍ ନେବାର ସୌଭାଗ୍ୟ ମଧ୍ୟ ସିରାଜ ଅର୍ଜନ କରିଥିଲେ। ଏହି କ୍ୟାଚ୍ର ଭିଡିଓ ପଦାକୁ ଆସିବା ପରେ ପ୍ରଶଂସକ ପନ୍ତଙ୍କୁ ସୁପରମ୍ୟାନ୍ ସହ ତୁଳନା କରିଥିଲେ। ପନ୍ତ ସ୍ପାଇଡରମ୍ୟାନ୍ରୁ ସୁପରମ୍ୟାନ୍ ପାଲଟି ଗଲେ ବୋଲି କେହି କେହି ମଧ୍ୟ ଟ୍ବିଟ୍ କରିଥିଲେ। ଅନ୍ୟ ଏକ ମଜାଦାର ଘଟଣାକ୍ରମେ ଭାରତୀୟ ଅଧିନାୟକ ବିରାଟ କୋହଲି ଚେପକ ଷ୍ଟାଡିୟମ୍ରେ ଉପସ୍ଥିତ ଥିବା ୧୫,୦୦୦ରୁ ଅଧିକ ଦର୍ଶକଙ୍କୁ ହ୍ବିସିଲ ମାରି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଆହ୍ବାନ କରୁଥିବା ଦେଖିବାକୁ ମିଳିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ୍ ଦଳର ପ୍ରଶଂସକମାନେ ନିଜ ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ‘ହ୍ବିସିଲ ପୋଡୁ’ ନାମକ ଏକ ବାକ୍ୟ ବ୍ୟବହାର କରନ୍ତି। ଜାତୀୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ସେଭଳି ଉନ୍ମାଦନା ଦେଖାଇବାକୁ କୋହଲି ପରୋକ୍ଷରେ କହୁଥିଲେ। ଏଥିରେ ସଫଳ ବି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/india-1.jpg)