ଦ୍ୱିତୀୟ ଟେ୍ଵଣ୍ଟି-୨୦ :ଆଜିଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ

ସେଞ୍ଚୁରିଅନ୍‌,: ବୁଧବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ଜିତି ଭାରତ ୧-୦ରେ ଆଗୁଆ ଥିବାରୁ ଏବେ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଆଗୁଆ ଶୃଙ୍ଖଳା ହାତଛଡ଼ାରୁ ବର୍ତିବା ଲାଗି ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ବୁଧବାର ମ୍ୟାଚ୍‌ କର ବା ମର ଭଳି ହେବ। ଟେଷ୍ଟ୍‍ କ୍ରିକେଟ୍‌ର ସଂଘର୍ଷପୂର୍ଣ୍ଣ ୨-୧ ବିଜୟ ପରେ ଦିନିକିଆରେ ଭାରତ ସହଜରେ ୫-୧ ସଫଳତା ପାଇଥିଲା। ଏବେ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତି କୋହଲି ବାହିନୀ ଆଉ ଏକ ନୂଆ ଫର୍ଦ ଯୋଡ଼ିବାର ଆଶାରେ ରହିଛି। ଭାରତ ପାଇଁ ଏକମାତ୍ର ଚିନ୍ତା ରହିଛି ବିରାଟ କୋହଲିଙ୍କ ଆହତ ସମସ୍ୟା। ପ୍ରଥମ ମ୍ୟାଚ୍‌ ବେଳେ ତାଙ୍କ ଅଣ୍ଟାରେ କିଛି ସମସ୍ୟା ଦେଖା ଦେବାରୁ ସେ ଶେଷ ଭାଗରେ କ୍ଷେତ୍ରରକ୍ଷଣ କରିନଥିଲେ।

କିନ୍ତୁ ଏହା ସେତେ ଗମ୍ଭୀର ନୁହେଁ ଏବଂ ସେ ଠିକଣା ସମୟରେ ଟସ୍‌ ବେଳକୁ ଉପସ୍ଥିତ ହୋଇଯିବେ ବୋଲି ଦଳୀୟ ସୂତ୍ରରୁ କୁହାଯାଇଛି। ପୂର୍ବରୁ ପ୍ରଥମ ଦିନିକିଆ ବେଳେ ମଧ୍ୟ କୋହଲି ସାମାନ୍ୟ ଭାବେ ଆଣ୍ଠୁ ସମସ୍ୟାରେ ପଡ଼ିଥିଲେ ମଧ୍ୟ ଡର୍ବାନ୍‌ରେ ଶତକ ଜମାଇଥିଲେ। କୋହଲି କିନ୍ତୁ ବୁଧବାର ଶୃଙ୍ଖଳା ଜିତିଗଲେ ଶେଷ ମ୍ୟାଚ୍‌ ବେଳକୁ ବସିଯିବେ ବୋଲି ବିଶ୍ୱାସ କରାଯାଉଛି। ବୁଧବାର ଅତି ବେଶୀରେ କୋହଲିଙ୍କ ଖେଳିବା ସମ୍ଭବ ନହେଲେ ବେଞ୍ଚ୍‌ରେ ବସି ରହୁଥିବା ଲୋକେଶ ରାହୁଲଙ୍କୁ ସୁଯୋଗ ଦିଆଯିବା ବିକଳ୍ପ ରହିଛି। ଭାରତୀୟ ଦଳ ଶୃଙ୍ଖଳା

ମଝିରେ ଦଳ ପରିବର୍ତନ କରିବା ସ୍ଥିତିରେ ନ ଥିଲେ ମଧ୍ୟ ବାମହାତୀ ପେସର୍‌ ଜୟଦେବ ଉନାଦକତ୍‌ ଏବଂ ବାମହାତୀ ସ୍ପିନର ଅକ୍ଷର ପଟେଲ୍‌ଙ୍କୁ ସୁଯୋଗ ଦେବା କଥା ଆଲୋଚନାରେ ରହିଛି। ସୁପର ସ୍ପୋର୍ଟସ ପାର୍କ ପିଚ୍‌ ମନ୍ଥର ରହୁଥିବାରୁ ପୁଣି ଭାରତ ଚହଲ-କୁଲଦୀପ ସ୍ପିନ୍‌ ଯୋଡ଼ିଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବା ନିଶ୍ଚିତ। ଅନ୍ୟପକ୍ଷରେ ଏବି ଡି’ଭିଲିୟର୍ସଙ୍କ ଅନୁପସ୍ଥିତିରେ ଘରୋଇ ଦଳର ଅଧିନାୟକ ଜେପି ଡୁମିନି ଦଳକୁ କିଭଳି ବିଜୟ ପଥକୁ ଆଣିବେ ଚିନ୍ତାରେ ପଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ସର୍ଟ ବଲ୍‌ ଯୋଜନା ବିଫଳ ରହିବା ପରେ ଏବେ ଘରୋଇ ଦଳ ଏହାର ବିକଳ୍ପ କୌଶଳ କରିପାରେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ରୋହିତ ଶର୍ମା, ସୁରେଶ ରାଇନା, ଶ୍ରେୟସ ଆୟର୍‌, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ୍‌, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା, ଜୟଦେବ ଉନାତକତ୍‌, ସାର୍ଦୁଲ ଠାକୁର।
ଦକ୍ଷିଣ ଆଫ୍ରିକା ଦଳ: ଜେପି ଡୁମିନି (ଅଧିନାୟକ), ଫାରହାନ୍‌ ବେହାରଦିନ୍‌, ଜୁନିଅର ଡାଲା, ରିଜା ହେଣ୍ଡ୍ରିକ୍‌ସ, କ୍ରିଷ୍ଟିଆନ୍‌ ଜୋଙ୍କର୍‌, ହେନରିକ୍‌ କ୍ଲାସେଁ (ଓ୍ଵିକେଟରକ୍ଷକ), ଡେଭିଡ୍‌ ମିଲର୍‌, କି୍ରସ୍‌ ମୋରିସ୍‌, ଡେନ୍‌ ପାଟରସନ୍‌, ଆରୋନ୍‌ ଫାଙ୍ଗିସୋର, ଆନ୍ଦିଲ୍‌ ଫେଲୁକ୍ୱାୟୋ, ତାବ୍ରିଜ୍‌ ସାସ୍‌ମୀ, ଜନ୍‌ ସ୍ମଟ୍‌ସ।

ସମ୍ବନ୍ଧିତ ଖବର