ଦ୍ୱିତୀୟ ବିଜୟ ସହ ତୃତୀୟରେ ଓଡ଼ିଶା

୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦

କଟକ: ଗୌହାଟୀରେ ଶେଷ ହୋଇଥିବା ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଶୁକ୍ରବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିବା ଓଡ଼ିଶା ପ୍ରତିଯୋଗିତାରେ ଦ୍ୱିତୀୟ ବିଜୟ ସହ ଅଭିଯାନ ଶେଷ କରିଛି। ଓଡ଼ିଶା ଏହାପୂର୍ବରୁ ତ୍ରିପୁରାକୁ ୫ ଓ୍ଵିକେଟ୍‌ରେ ହରାଇଥିଲା। ଶୁକ୍ରବାର ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବୋଲିଂ କରିଥିଲା ବେଳେ ପ୍ରତିପକ୍ଷ ଦଳକୁ ୪୯ ରନ୍‌ରେ ଆଉଟ କରିଦେଇଥିଲା। ଦୁର୍ଗା କୁମାରୀ ମୁର୍ମ ୧୯ ଓ ରୋଶନୀ ୧୫ ରନ୍‌ କରିଥିଲା ବେଳେ ଅନ୍ୟକେହି ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। ଓଡ଼ିଶା ପାଇଁ ରିମାଲକ୍ଷ୍ମୀ ଏକ୍କା ୩, ଲୌସା ଦାସ ୨ ଓ ରାଜଶ୍ରୀ ସ୍ୱାଇଁ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ସହଜସାଧ୍ୟ ବିଜୟ ଲକ୍ଷ୍ୟକୁ ଓଡ଼ିଶା ୨ ଓ୍ଵିକେଟ୍‌ ବିନିମୟରେ ୧୪.୧ ଓଭରରେ ହାସଲ କରିନେଇଥିଲା। ସସ୍ମିତା ମଲ୍ଲିକ ୩୦, ଅଞ୍ଜଳି ସିଂହ ୧୦ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ଶିଳ୍ପା ସ୍ୱାଇଁ ୪* ଓ ସଙ୍ଗୀତା ଖଡ଼ିଆ କୌଣସି ରନ୍‌ ନକରି ଅପରାଜିତ ରହିଥିଲେ।

ସମ୍ବନ୍ଧିତ ଖବର