ଆଡିଲେଡ୍: ସନ୍ ମାର୍ଶଙ୍କ ପଞ୍ଚମ ଶତକ ସାଙ୍ଗକୁ ଓ୍ଵିକେଟ୍ରକ୍ଷକ ଟିମ୍ ପାଇନ୍ଙ୍କ ଅର୍ଧଶତକ ବଳରେ ଘରୋଇ ଅଷ୍ଟ୍ରେଲିଆ ଆଡିଲେଡ୍ ଓଭାଲ୍ରେ ଚାଲିଥିବା ଇଂଲଣ୍ଡ୍ ବିପକ୍ଷ ଦ୍ୱିତୀୟ ଆସେସ୍ ଟେଷ୍ଟ୍ର ଦ୍ୱିତୀୟ ଦିବସରେ ୪୪୨/୮ରେ ପ୍ରଥମ ପାଳି ଘୋଷଣା କରିଦେଇଛି। ପ୍ରଥମ ଦିନ ୮୧ ଓଭରରେ ୪ ଓ୍ଵିକେଟ୍ ହରାଇ ୨୦୯ ରନ୍ କରିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନ ଆଉ ୪ ଓ୍ଵିକେଟ୍ ବିନିମୟରେ ୨୩୩ ରନ୍ ଯୋଡ଼ିଥିଲା ବେଳେ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପାଳି ଘୋଷଣା କରିଥିଲେ। ସେତେବେଳକୁ ମାର୍ସ ୧୨୬ (୨୩୧ ବଲ୍, ୧୫ ଚୌକା, ୧ ଛକା) ଓ ନାଥନ୍ ଲିୟନ୍ ୧୦ ରନ୍ରେ ଅପରାଜିତ ଥିଲେ। ଶତକ ଜମାଇ ମାର୍ସ ମଧ୍ୟ ଚୟନକର୍ତାଙ୍କ ଭରସା ଅତୁଟ ରଖିଛନ୍ତି। ପାଇନ୍ ୫୭ (୧୦୨ ବଲ୍, ୬ ଚୌକା, ୧ ଛକା) ରନ୍ରେ ପାଭଲିୟନ୍ ଫେରି ଯାଇଥିଲା ବେଳେ ପ୍ୟାଟ୍ କୁମିନ୍ସ ୪୪ (୯୦ ବଲ୍, ୭ ଚୌକା) ରନ୍ କରିଥିଲେ। ପିଟର୍ ହ୍ୟାଣ୍ଡ୍ସ୍କମ୍ବ (୩୬*, ୮୬ ବଲ୍, ୫ ଚୌକା) ପୂର୍ବଦିନ ସ୍କୋର୍ରେ ହିଁ ଆଉଟ୍ ହୋଇଯାଇଥିଲେ। ଇଂଲଣ୍ଡ ପକ୍ଷରୁ ଓଭର୍ଟନ୍ ୩, ଷ୍ଟୁଆର୍ଟ ବ୍ରଡ୍ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ଦ୍ୱିତୀୟ ଦିବସର ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ଇଂଲଣ୍ଡ ଦଳ ୯.୧ ଓଭର ଖେଳି ଷ୍ଟୋନ୍ମ୍ୟାନ୍ (୧୮)ଙ୍କ ଓ୍ଵିକେଟ୍ ହରାଇ ୨୯ ରନ୍ କରିଛି। ଆଲିଷ୍ଟର କୁକ୍ ୧୧ ଓ ଜେମ୍ ଭିନ୍ସେ (୦) ଅପରାଜିତ ରହିଛନ୍ତି। ଇଂଳଣ୍ଡ ହାତରେ ୯ ଓ୍ଵିକେଟ୍ ରଖି ୪୧୩ ରନ୍ ପଛରେ ରହିଛି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୪୯ ଓଭରରେ ୪୪୨/୮ରେ ଘୋଷଣା (ସନ୍ ମାର୍ସ-୧୨୬*, ଟିମ୍ ପାଇନ୍-୫୭, ଉସ୍ମାନ ଖଓ୍ଵାଜା-୫୩, ଡେଭିଡ୍ ଓ୍ଵର୍ନର-୪୭, ପ୍ୟାଟ୍ କୁମିନ୍ସ-୪୪, ଷ୍ଟିଭେନ୍ ସ୍ମିଥ୍-୪୦, ପିଟର ହ୍ୟାଣ୍ଡ୍ସ୍କମ୍ବ୍-୩୬, ଓଭରଟନ୍-୩/୧୦୫, ଷ୍ଟୁଆର୍ଟ ବ୍ରଡ୍-୨/୭୨)। ଇଂଲଣ୍ଡ୍ ପ୍ରଥମ ପାଳି: ୨୯/୧।