ଇଷ୍ଟ୍ ଲଣ୍ଡନ୍: ଦକ୍ଷିଣ ଅଫ୍ରିକା ବିପକ୍ଷ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍କୁ ମଧ୍ୟ ଭାରତୀୟ ମହିଳା ଜିତି ନେଇଛି। ମିତାଲି ରାଜ୍ଙ୍କ (୭୬*) ଓ ସ୍ମୃତି ମାନ୍ଧାନା (୫୭)ଙ୍କ ଅର୍ଧଶତକ ବଳରେ ଭାରତ ୫ ବଲ୍ ପୂର୍ବରୁ ୯ ଓ୍ଵିକେଟ୍ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଦେଇଛି। ଏଥି ସହିତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୦ର ଅଗ୍ରଣୀ ପାଇଛି।
ସ୍ଥାନୀୟ ବୁଫାଲୋ ପାର୍କ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକାକୁ ଆହ୍ଵାନ କରିଥିଲା। ଘରୋଇ ଦଳ ୭ ଓ୍ଵିକେଟ୍ ହରାଇ ୧୪୨ ରନ୍ କରିଥିଲା। ସୁନ୍ ଲୁସ୍ ୩୩ ଏବଂ ନନ୍ଦିନେ ଡିକ୍ଲେର୍କ ୨୬ ରନ୍ କରିଥିଲା ବେଳେ ଭାରତ ପକ୍ଷରୁ ପୂନମ ଯାଦବ ଏବଂ ଅନୁଜା ପାଟିଲ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭାରତ ୧୯.୧ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ସ୍ମୃତି ମାନ୍ଧାନା ୫୭ ରନ୍ (୪୨ ବଲ୍, ୪ ଚୌକା ଓ ୩ ଛକା) ଏକମାତ୍ର ପାଭିଲିୟନ୍ ଫେରି ଯାଇଥିଲା ବେଳେ ମିତାଲି ରାଜ ୭୬ ରନ୍ (୬୧ ବଲ୍, ୮ ଚୌକା) ଏବଂ ଅଧିନାୟିକା ହର୍ମନପ୍ରୀତ କୌର ୭ ରନ୍ରେ ଅପରାଜିତ ରହି ଭାରତକୁ ବିଜୟ ଭେଟି ଦେଇଥିଲେ। ପରବର୍ତୀ ତଥା ତୃତୀୟ ମ୍ୟାଚ୍ ଜୋହାନସ୍ବର୍ଗରେ ରବିବାର ଖେଳାଯିବ।
ମିତାଲିଙ୍କୁ ଶୀର୍ଷରୁ ହଟାଇଲେ ପେରି
ଦୁବାଇ: ଆଇସିସି ମହିଳା ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରୁ ହଟି ଯାଇଛନ୍ତି ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍। ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ଏଲିସେ ପେରି ମିତାଲିଙ୍କୁ ବ୍ୟାଟିଂ ମାନ୍ୟତାର ଶୀର୍ଷରୁ ଗାଦିଚ୍ୟୁତ କରି ଏହି ସ୍ଥାନ ଦଖଲ କରିନେଇଛନ୍ତି। ଏଥି ସହିତ ଅଲ୍ରାଉଣ୍ଡର ମାନ୍ୟତାର ଶୀର୍ଷରେ ରହିଥିବା ପେରି ନିଜ ଆନ୍ତର୍ଜାତିକ ଜୀବନର ପ୍ରଥମ ଥର ଲାଗି ବ୍ୟାଟିଂ ମାନ୍ୟତା ଶୀର୍ଷରେ ପହଞ୍ଚିଛନ୍ତି। ଗତବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲୀୟ ଅଧିନାୟିକା ମେଗ୍ ଲାନିଙ୍ଗଙ୍କୁ ଗାଦିଚ୍ୟୁତ କରି ଶୀର୍ଷ ସ୍ଥାନ ଅକ୍ତିଆର କରିନେଇଥିବା ମିତାଲି ଶନିବାର ପ୍ରକାଶିତ ସଦ୍ୟ ମାନ୍ୟତା ତାଲିକାରେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି। ତେବେ ଲାନିଙ୍ଗ୍ ଦ୍ୱିତୀୟ ସ୍ଥାନରେ ଅପରିବର୍ତିି ରହିଛନ୍ତି। ଗତ ସପ୍ତାହରେ ୨୦୧୭ ବର୍ଷ ପାଇଁ ଅଷ୍ଟ୍ରେଲିଆର ଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ଦ୍ୱିତୀୟ ଥର ବେଲିନ୍ଦା କ୍ଲାର୍କ ପୁରସ୍କାର ହାତେଇଥିବା ପେରିଙ୍କ ପାଇଁ ଯୁଗଳ ଖୁସୀ ମିଳିଯାଇଛି। ମିତାଲିଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ହର୍ମନ୍ପ୍ରୀତ୍ କୌର ଏବଂ ସ୍ମୃତି ମାନ୍ଧାନାଙ୍କୁ ମିଶ୍ର ଫଳ ମିଳିଛି। ହର୍ମନ୍ପ୍ରୀତ୍ ପଞ୍ଚମରୁ ସପ୍ତମ ସ୍ଥାନକୁ ଖସି ଯାଇଥିଲା ବେଳେ ସ୍ମୃତି ୧୪ ସ୍ଥାନ ଲମ୍ଫ ଦେଇ ୨୧ରେ ପହଞ୍ଚି ଯାଇଛନ୍ତି। ବୋଲରଙ୍କ ମାନ୍ୟତା ତାଲିକରେ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଶୀର୍ଷରୁ ହଟି ଯାଇଛନ୍ତି। ନିକଟରେ ପ୍ରଥମ ମହିଳା କ୍ରିକେଟର୍ ଭାବେ ୨୦୦ ଦିନିକିଆ ଓ୍ଵିକେଟ୍ ନେଇ ବିଶ୍ୱ କୀର୍ତିମାନ ସ୍ଥାପନ କରିଥିବା ଝୁଲଣ ଦ୍ୱିତୀୟକୁ ଖସି ଯାଇଥିଲା ବେଳେ ଦକ୍ଷିଣ ଆଫ୍ରିକାର ମେରିଜାନେ କାପ୍ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।