ନାଗପୁରରେ ସବୁଜ ଆହ୍ଵାନ

ଆଜିଠୁ ଦ୍ୱିତୀୟ ଟେଷ୍ଟ୍‍: ଈଶାନ୍ତ, ବିଜୟ ଖେଳିବେ

ନାଗପୁର: ଇଡେନ୍‌ ଗାର୍ଡେନ୍‌ସରେ ପାଗ ରୋକିଦେବା ପରେ ଭାରତୀୟ ଦଳ ଶୁକ୍ରବାରଠାରୁ ସ୍ଥାନୀୟ ଜାମ୍‌ଥାର ଭିସିଏ ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍କୁ ପରିବର୍ତିତ କୌଶଳରେ ଖେଳିବ। କୋଲ୍‌କାତା ଟେଷ୍ଟ୍‍ର ଶେଷ ଦିନରେ ଭ୍ରମଣକାରୀ ଦଳର ଶୀର୍ଷ ଓ ମଧ୍ୟକ୍ରମକୁ ବିପର୍ଯ୍ୟୟ କରିଦେବାର ଫାଇଦାକୁ ନଜରରେ ରଖି ଭିସିଏରେ ମଧ୍ୟ ସବୁଜ ପିଚ ପ୍ରସ୍ତୁତ ରହିଛି। ଦକ୍ଷିଣ ଆଫ୍ରିକା ଗସ୍ତକୁ ନଜରରେ ରଖି ଏଭଳି କରାଯାଇଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିବ। ନାଗପୁର ପିଚ୍‌ ଅତୀତରେ ଫ୍ଲାଟ୍‌ ଥିଲା, ଏବେ ବାସ୍ତବରେ କିଭଳି ବ୍ୟବହାର କରୁଛି ଦେଖିବାର ଅଛି। ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ‘ଏହା ଭଲ ପିଚ୍‌, ଦ୍ରୁତ ବୋଲରଙ୍କୁ ନିଶ୍ଚିତ ପ୍ରଥମ ଦୁଇ ଦିନ ସହାୟତା ମିଳିବ। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆମେ ଏଭଳି ପିଚ୍‌ରେ ପ୍ରସ୍ତୁତି କରିବା ଛଡ଼ା କିଛି ବିକଳ୍ପ ନ ଥିଲା ବୋଲି କୋହଲି କହିଥିଲେ।

ଭାରତୀୟ ଦଳ ୨ ଜଣ ଖେଳାଳିଙ୍କୁ ମୁକ୍ତ କରିଦେଇଥିବାରୁ ଅନ୍ୟୁନ ଏହି ଦୁଇ ପରିବର୍ତନ ସହ ଖେଳିବ। କୋଲ୍‌କାତା ଟେଷ୍ଟ୍‍ ଶ୍ରେଷ୍ଠ ଖେଳାଳି ଭୁବନେଶ୍ୱର କୁମାର ବିବାହ ପାଇଁ ପରବର୍ତୀ ଦୁଇ ଟେଷ୍ଟ୍‍ ଖେଳିବେ ନାହିଁ, ତାଙ୍କ ବଦଳରେ ଈଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିବ। ସେହିଭଳି ଦ୍ୱିତୀୟ ଟେଷ୍ଟ୍‍ରୁ ବାଦ୍‌ ପଡ଼ିଥିବା ଶିଖର ଧାଓ୍ଵନଙ୍କ ବଦଳରେ ମୁରଲୀ ବିଜୟଙ୍କୁ ସୁଯୋଗ ଦେବ ଭାରତ। ଈଶାନ୍ତ ଏହି ଦଳର ସବୁଠାରୁ ଅଧିକ ଟେଷ୍ଟ୍‍ (୭୭) ଖେଳିଥିବା ଖେଳାଳି। କୋଲ୍‌କାତାରେ ରବୀନ୍ଦ୍ର ଜାଦେଜା ସେଭଳି ପ୍ରଭାବ ଛାଡ଼ିନଥିବାରୁ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିବା କଥା ଚିନ୍ତା କରାଯାଉଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପ୍ରଥମ ଥର ଡାକରା ପାଇଥିବା ବିଜୟ ଶଙ୍କରଙ୍କୁ ସାମିଲ କରିବା ଯୋଜନା ରହିଛି।

ଭାରତ ଦଳ: ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ସାହା (ଓ୍ଵିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ବିଜୟ ଶଙ୍କର, କୁଲଦୀପ ଯାଦବ, ରୋହିତ ଶର୍ମା।

ଶ୍ରୀଲଙ୍କା ଦଳ: ଦୀନେଶ ଚାନ୍ଦିମାଳ (ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ୍‌, ଦିମୁଥ କରୁଣାରତ୍ନେ, ନିରୋଶନ ଡିକ୍‌େଓ୍ଵଲା, ଧନଞ୍ଜୟ ଡି ସିଲ୍‌ଭା, ସୁରଙ୍ଗା ଲାକ୍‌ମଲ, ଦାସୁନ ସଣକା, ବିଶ୍ୱ ଫର୍ନାଣ୍ଡୋ, ଲାହିରୁ ଗାମେଜ୍‌, ଲକ୍ଷ୍ମଣ ସନ୍ଦକଣ, ସାଦୀର ସମରବିକ୍ରମା, ଦିଲରୁଓ୍ଵାନ ପେରେରା, ରୋଶନ୍‌ ସିଲ୍‌ଭା।

ସମ୍ବନ୍ଧିତ ଖବର