ଭୁବନେଶ୍ୱର: ଇସ୍ପାତ ଓ ଖଣି ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ସଚିବାଳୟ ଅନ୍ତଃବିଭାଗୀୟ କ୍ରିକେଟ୍ ପ୍ରତିଯୋଗିତାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବିଜେତା ହୋଇଛି। ଏହି ଦଳ ଫାଇନାଲ୍ରେ ୫୫ ରନ୍ରେ ସୂଚନା ଓ ଲୋକସଂପର୍କ ବିଭାଗକୁ ପରାସ୍ତ କରିଥିଲା। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତି, ସମ୍ପାଦକ ଅମିୟ କୁମାର ଦାସ, ସମୀକ୍ଷକ ତ୍ରିନାଥ ପ୍ରଧାନ, ଯୁଗ୍ମ କ୍ରୀଡ଼ା ସମ୍ପାଦକ ବିବେକାନନ୍ଦ ସାହୁ, ସାଂସ୍କୃତିକ ସମ୍ପାଦକ ମାନସ ରଂଜନ ସୁତାର, କୋଷାଧ୍ୟକ୍ଷ କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବଣ୍ଟନ କରିଥିଲେ।
ଉପବିଜେତା ସୂଚନା ଓ ଲୋକସଂପର୍କ ବିଭାଗର ଖେଳାଳିମାନଙ୍କୁ ବିଭାଗ ପକ୍ଷରୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। କାର୍ଯ୍ୟକ୍ରମକୁ ମୌସୁମୀ ଦାଶ ସଂଯୋଜନା କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଉଦୀୟମାନ ତାରକା ଆଲୋକ କୁମାର ମହାରଣା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ୪୦ଟି ଦଳ ଅଂଶଗ୍ରହଣ କରିଥିଲେ ଏବଂ ୭୫ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅମିତ ମହାପାତ୍ରଙ୍କ ନେତୃତ୍ୱରେ ସୂଚନା ଓ ଲୋକସଂପର୍କ ବିଭାଗ ଦଳର ଶୁଭ୍ରଜିତ ମଲ୍ଲିକ, ଆଲୋକ ମହାରଣା, ଶିବାନନ୍ଦ ବେହେରା, ନିହାର ରଞ୍ଜନ ଘଢ଼େଇ, ଅଜୟ ନିଆଳ, ତ୍ରିଲୋଚନ ବାରିକ, ସୌରଭ ପ୍ରଧାନ, ରଘୁନାଥ ପରିଡ଼ା, ସୁକାନ୍ତ ସାହୁ ଓ ଗଣେଶ ଭୋଇ ଭଲ ପ୍ରଦର୍ଶନ କରିଥିଲେ।