ଭୁବନେଶ୍ବର: ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ଇଡ୍କୋ ଦଳକୁ ୪ ରନ୍ରେ ପରାସ୍ତ କରି ଜ୍ୟୋତି ଗ୍ରୁପ୍ ସେକ୍ରେଟାରିଏଟ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ଆଖ୍ୟା ହାତେଇନେଇଛି। ଓଡ଼ିଶା ସେକ୍ରେଟାରିଏଟ୍ କ୍ରିକେଟ୍ ସଂଘ ଆନୁକୂଲ୍ୟରେ ନୂଆପଲ୍ଲୀ ଇନ୍ଦିରା ମଇଦାନରେ ଆୟୋଜିତ ୧୯ତମ ସଂସ୍କରଣର ରବିବାର ଫାଇନାଲ୍ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ଜ୍ୟୋତି ଗ୍ରୁପ୍ ନିର୍ଧାରିତ ୨୦ ଓଭରରେ ୧୫୬/୭ କରିଥିଲା। ଦିବ୍ୟ ପଣ୍ଡା (୫୦ ରନ୍, ୨୫ ବଲ୍) ଅର୍ଧଶତକ ଜମାଇଥିଲା ବେଳେ ସନ୍ଦୀପ ସେଠୀ ୩୪, ଆଶିଷ ପ୍ରଧାନ ୨୭, ସଙ୍ଗୀତ ମହାନ୍ତି ୧୬ ଓ ତ୍ରିବିକ୍ରମ ସ୍ବାଇଁ ୧୩ ରନ୍ କରିଥିଲେ। ଇଡ୍କୋ ପକ୍ଷରୁ ସଫଳ ବୋଲର ଭାବେ ସିଦ୍ଧାନ୍ତ ରାୟ ଓ ସନ୍ତୋଷ ହୋତା ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ସିଦ୍ଧାନ୍ତ ରାୟ (୪୪), ମାନସ ଦାସ (୪୧), ଅଭିଜିତ ବାରିକ (୧୯) ଓ ସନ୍ତୋଷ ହୋତା (୧୮)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ଇଡ୍କୋ ୫ ୱିକେଟ୍ ବିନିମୟରେ ୧୫୨ ରନ୍ରେ ଅଟକିଗଲା। ବିଜେତା ଦଳ ପକ୍ଷରୁ ସିଦ୍ଧାନ୍ତ ଜେନା ଓ ବାଦଲ ଭୋଇ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ମାରୁତି ଆଚାର୍ଯ୍ୟ ଓ ଲୁଲୁ ମହାପାତ୍ର ମ୍ୟାଚ୍ ପରିଚାଳନା କରିଥିଲେ। ସ୍କୋରର୍ ରହିଥିଲେ ଅନୀଲ କୁମାର ପରିଡ଼ା।
ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଓଡ଼ିଶା ସେକ୍ରେଟାରିଏଟ୍ କ୍ରିକେଟ୍ ସଂଘର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ପ୍ରସାଦ ଭୂୟାଁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରଣଜୀ ଅଧିନାୟକ ପ୍ରଭଞ୍ଜନ ମଲ୍ଲିକ, ଜ୍ୟୋତି ମୋଟର୍ସ ସିଏମ୍ଡି ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ଅବସରପ୍ରାପ୍ତ ଆଇଏଏସ୍ ରବି ନାରାୟଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆୟୋଜକ ସଂଘ ପକ୍ଷରୁ ସାଧାରଣ ସଂପାଦକ ତରୁଣ ଚନ୍ଦ୍ର ପାଲ୍, ସଦସ୍ୟ ସଂଜୀବ କୁମାର ମିଶ୍ର, ଶଶାଙ୍କ ଶେଖର ମହାପାତ୍ର, ଅଶୋକ କୁମାର ମହାନ୍ତି, ରତନ କୁମାର ଦାସ, କେ ରାମା ରାଓ, ସ୍ବର୍ଣ୍ଣେନ୍ଦୁ ମିଶ୍ର, ପଦ୍ମଚରଣ ରାଉତ, ଗିରୀଶ ଦିଗଲ, ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ଥିଲେ।