ସେହବାଗଙ୍କ ମଜାଦାର ଭିଡିଓକୁ ଦେଖିଲେ ୨୭ ଲକ୍ଷ ଲୋକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ବୀରେନ୍ଦ୍ର ସେହବାଗ ନିୟମିତ ଭାବେ ସାମାଜିକ ଗଣମାଧ୍ୟମରେ ମଜାଳିଆ ଓ ଥଟ୍ଟା ପରିହାସ ଭିତ୍ତିକ ଭିଡିଓ ଓ ମନ୍ତବ୍ୟ ରଖୁଥିବା ଅନେକଙ୍କୁ ଜଣା। ‌ତାଙ୍କର ନୂଆ ଏକ ଭିଡିଓ ମଧ୍ୟ ବେଶ ଭାଇରାଲ୍ ହୋଇଛି। ଯାହାକୁ ଶନିବାର ସୁଦ୍ଧା ୨୭ ଲକ୍ଷ ଲୋକ ଦେଖି ସାରିଛନ୍ତି ଏବଂ ୨୫,୦୦୦ ପାଖାପାଖି ପସନ୍ଦ ମିଳିଛି। ଭିଡିଓଟିରେ ଜଣେ ବିଦ୍ୟାଳୟ ଛାତ୍ର କିଭଳି ପ୍ରାର୍ଥନା ସଭାରେ ଲଲି ପପ୍‌ ଖାଉଛି ତାହା ଦେଖିବାକୁ ମିଳିଛି। ୩୦ ସେକେଣ୍ଡ୍‌ର ଏହି ଭିଡିଓରେ ଅନ୍ୟ ଛାତ୍ରୀଛାତ୍ରମାନେ ମିଳିତ ଭାବେ ‘ଇତ୍‌ନି ଶକ୍ତି ହମେ ଦେନା ମାତା’ ଗାଉଥିଲା ବେଳେ ସମ୍ପୃକ୍ତ ପିଲାଟି ପ୍ରାର୍ଥନା ଶୈଳୀରେ ଥିବା ଯୋଡ଼ହସ୍ତ ମଝିରେ ଲଲିପପ୍‌କୁ‌ ଲୁଚାଇ ଶୋଷି ନେଉଥିଲା। ସେହବାଗ ଭିଡିଓ ସହିତ ଲେଖିଥିଲେ ‘ଇସ୍‌ ବଚେ କା ଅଲଗ୍‌ ହି ଜଲୱା ହୈ, ଆପଣମାନେ କେହି ଏଭଳି ହରକତ୍‌ କରୁଥିଲେ କି ?’ ଅନେକ ଟ୍ବିଟର୍‌ ଆକାଉଣ୍ଟଧାରୀ ଏହାକୁ ମଜାଳିଆ ଢଙ୍ଗରେ ଗ୍ରହଣ କରିବା ସହିତ ପ୍ରଶଂସା କରିଥିଲେ। ନିଜ ନିଜ ସ୍କୁଲ୍‌ ଜୀବନ ସ୍ମୃତିର ମଧ୍ୟ ରୋମନ୍ଥନ କରିଥିଲେ। କେହି କେହି ମଧ୍ୟ ବୀରୁଙ୍କୁ ‘ତୁମେ ପିଲାଦିନେ ଏଭଳି କରୁଥିଲ କି ?’ ବୋଲି ପ୍ରଶ୍ନ କରିଥିଲେ। ‘ସେ ଜଣେ ରାଜନେତା ହେବ’, ‘ସେ ଜଣେ ଅଲ୍‌ରାଉଣ୍ଡର୍‌’, ‘ମୁଁ ଏଭଳି ପିଲାକୁ ଭଲପାଏ’ ବୋଲି ଆଉ କିଛି ଟ୍ବିଟରାଇଟ୍ ଲେଖିଛନ୍ତି।

ସମ୍ବନ୍ଧିତ ଖବର