ଜ‌ାତୀୟ କ୍ରୀଡ଼ା ପୁରସ୍କାର ପ୍ୟାନେଲରେ ସେହବାଗ, ଦୀପା, ସର୍ଦାର

ନୂଆଦିଲ୍ଲୀ : ଭାରତୀୟ ଦଳର ଦୁଇ ପୂର୍ବତନ ଅଧିନାୟକ ବୀରେନ୍ଦ୍ର ସେହବାଗ (କ୍ରିକେଟ୍‌) ଏବଂ ସର୍ଦାର ସିଂହ (ହକି)ଙ୍କୁ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ପ୍ୟାନେଲ୍‌ରେ ସାମିଲ କରାଯାଇଛି। ୧୨ ଜଣିଆ ଏହି ପ୍ୟାନେଲରେ ଉଚ୍ଚତ୍ତମ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକମ୍‌ ଶର୍ମାଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଗତବର୍ଷ ଭଳି ଏହି ଚୟନ ସମିତି ଉଭୟ କ୍ରୀଡ଼ାବିତ୍ ଓ ପ୍ରଶିକ୍ଷକଙ୍କୁ ମନୋନୀତ କରିବ। ପାରା ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଦୀପା ମଲ୍ଲିକ ମଧ୍ୟ ଏଥିରେ ରହିଛନ୍ତି। ସମସ୍ତ ପୁରସ୍କାର ପାଇଁ ଏଥର ଗୋଟିଏ ପ୍ୟାନେଲକୁ ଦାୟିତ୍ବ ପ୍ରଦାନ କରାଯାଇଛି, କାରଣ ବହୁଗୁଡ଼ିଏ ସମିତି ଅଯଥା ବିବାଦ ସୃଷ୍ଟି କରୁଥିଲେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମିତିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଟେବୁଲ ଟେନିସ୍ ଖେଳାଳି ମୋନାଲିସା ବରୁଆ ମେହେଟା, ମୁଷ୍ଟିଯୋଦ୍ଧା ‌ଭେଙ୍କଟେସନ୍‌ ଦେବରାଜନ, କ୍ରୀଡ଼ା ଭାଷ୍ୟକାର ମନୀଷ ବାଟାଭିଆ, ସାମ୍ବାଦିକ ଆଲୋକ ସିଂହ୍ନା, ନୀରୁ ଭାଟିଆ। କ୍ରୀଡ଼ା ମନ୍ତ୍ରଣାଳୟ ପ୍ରତିନିଧି ଭାବେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଯୁଗ୍ମ ସଚିବ (କ୍ରୀଡ଼ା ବିକାଶ) ଏଲ୍ ଏସ୍ ସିଂହ ଏବଂ ଟପ୍ସ (ଟାର୍ଗେଟ୍‌ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍‌)ର ମୁଖ୍ୟ କାର୍ଯ୍ୟନର୍ବାହୀ ରାଜେଶ ରାଜଗୋପାଳନ ମଧ୍ୟ ଚୟନ ବୈଠକରେ ସାମିଲ ରହିବେ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଦୁଇ ଜଣ ଦ୍ରୋଣାଚାର୍ଯ୍ୟ ବିଜେତାଙ୍କୁ ଅତିରିକ୍ତ ସଦସ୍ୟ ଭାବେ ମଧ୍ୟ ନିମନ୍ତ୍ରଣ କରାଯିବ। ସୂଚନାଯୋଗ୍ୟ, ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖ ଧ୍ୟାନଚାନ୍ଦଙ୍କ ଜନ୍ମତିଥିରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଏହା କୋଭିଡ୍‌-୧୯ ପାଇଁ ମାସେ ଦୁଇ ମାସ ଘୁଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର