ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ; ମାତ୍ର ୩୫ ବଲରେ କଲେ ୮୦ ରନ୍

ରାୟପୁର : ପୁଣି ଗର୍ଜିଲା ବୀରୁଙ୍କ ବ୍ୟାଟ୍ । ବୀରେନ୍ଦ୍ର ସେହୱାଗଙ୍କ ବିସ୍ଫୋରକ ବ୍ୟାଟିଂ ପୁଣି ଦେଖିଲେ କ୍ରିକେଟପ୍ରେମୀ । ସଡ଼କ ସୁରକ୍ଷା ବିଶ୍ୱ ସିରିଜର ଚତୁର୍ଥ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୩୫ ବଲରେ ୮୦ ରନ୍ କରିଛନ୍ତି ବୀରେନ୍ଦ୍ର ସେହୱାଗ । ଆଉ ଏହାସହ ବାଂଲାଦେଶ ଲିଜେଣ୍ଡସକୁ ୧୦ ୱିକେଟରେ ହରାଇଛି ଭାରତ ଲିଜେଣ୍ଡସ । ଅନ୍ୟପଟେ ସଚିନ ତେନ୍ଦୁଲକର ୨୬ ବଲରୁ ଅପରାଜିତ ୩୩ ରନ୍ କରିଥିଲେ ।

ରାୟପୁରରେ ଖେଳାଯାଉଥିବା ଏହି ସିରିଜରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଲିଜେଣ୍ଡସ ୧୦୯ ରନ କରିବାକୁ ସକ୍ଷମ ହୋଇଥିଲା । ୧୧୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଇଣ୍ଡିଆ ଲିଜେଣ୍ଡସ । ଦୁଇ ଓପନର ବୀରେନ୍ଦ୍ର ସେହୱାଗ ଓ ସଚିନ ତେନ୍ଦୁଲକର ବ୍ୟାଟିଂ କରିବାକୁ ଓହ୍ଲାଇବା ସହ ପୂରା ପଡ଼ିଆ ତାଳିମାଡରେ ପ୍ରକମ୍ପିତ ହୋଇଥିଲା । ଆଉ ଏହାସହ ଆରମ୍ଭ ହୋଇଥିଲା ସେହୱାଗ ସୋ’ ।

କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ବଦଳିନଥିଲା ସେହୱାଗଙ୍କ ଅନ୍ଦାଜ । ପ୍ରଥମ ବଲରେ ଚୌକା ମାରି ଇନିଂସ ଆରମ୍ଭ କରିଥିଲେ ସେହୱାଗ। ଆଉ ଏହାପରେ ଅଟକି ନଥିଲା ବୀରୁଙ୍କ ବ୍ୟାଟ୍ । ପ୍ରଥମ ଓଭରରେ ହିଁ ୧୯ ରନ କରିଥିଲା ଇଣ୍ଡିଆ ଲିଜେଣ୍ଡସ । ଆଉ ମାତ୍ର ୨୦ ବଲରେ ସେହୱାଗ ପୂରଣ କରିଥିଲେ ଅର୍ଦ୍ଧଶତକ । ଗୋଟିଏ ପଟେ ସଚିନ୍ ସର୍ତକତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ସେହୱାଗ ପୁରୁଣା ଅନ୍ଦାଜରେ ଖେଳୁଥିଲେ ବଡ ବଡ ସଟ୍ । ଶେଷରେ ଛକା ମାରି ଇଣ୍ଡିଆ ଲିଜେଣ୍ଡସକୁ ବଡ ବିଜୟ ଭେଟି ଦେଇଥିଲେ ବୀରୁ ।

ସମ୍ବନ୍ଧିତ ଖବର