ୱାର୍ଣ୍ଣରଙ୍କୁ ପ୍ରଶଂସାରେ ପୋତିଲେ ସେହବାଗ୍‌

ମୁମ୍ବାଇ: ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟର୍‌ ବୀରେନ୍ଦ୍ର ସେହବାଗ୍‌ ଏବଂ ଆକ୍ରାମକ ‌‌ଷ୍ଟ୍ରୋକ୍‌-ପ୍ଲେ’କୁ ସ୍ବର୍ଗୀୟ ସଂଯୋଗ ଭାବେ ବିବେଚନା କରାଯାଏ। ଏହି ପୂର୍ବତନ ଭାରତୀୟ ଓପ୍‌ନର ପ୍ରତିଦ୍ବନ୍ଦ୍ବୀଙ୍କୁ କୌଣସିମତେ ତୁଳନା ନକରି ନିର୍ଭୟରେ ବଲ୍‌କୁ ପ୍ରହାର କରୁଥିଲେ। ସେ ବୋଲରଙ୍କୁ ସ୍ପଷ୍ଟ ଭାବେ ଖେଳିପାରୁଥିଲେ ଏବଂ ସେମାନଙ୍କ ପାଇଁ ଆତଙ୍କ ମଧ୍ୟ ସାଜୁଥିଲେ। ଏପରିକି କ୍ରିକେଟ୍‌ର ସମସ୍ତ ତିନିଟିଯାକ ଫର୍ମାଟ୍‌ରେ ତାଙ୍କୁ ଜଣେ ଦୁର୍ଦର୍ଷ ବ୍ୟାଟର୍‌ ଭାବେ ଗଣାଯାଉଥିଲା। ଆଇପିଏଲ୍‌ରେ ପ୍ରଥମେ ସେ ଦିଲ୍ଲୀ ଡେୟାର ଡେଭିଲ୍‌ସ (ଏବର କ୍ୟାପିଟାଲ୍ସ) ପକ୍ଷରୁ ଖେଳିବା ପରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ (ଏବର ପଞ୍ଜାବ କିଙ୍ଗ୍‌ସ)କୁ ସ୍ଥାନାନ୍ତର ହୋଇଥିଲେ। ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ସହ ତାଙ୍କ ଆଇପିଏଲ୍‌ ଚୁକ୍ତି ଅବସରରେ ସେହବାଗ୍‌ ଅଷ୍ଟ୍ରେଲୀୟ ବାମହାତୀ ଓପ୍‌ନର ଡେଭିଡ୍‌ ୱର୍ଣ୍ଣରଙ୍କ ଉଗ୍ର ରୁପକୁ ଦେଖିଥିଲେ। ସେ ଯେପରି ଆକ୍ରାମକ ଆଭିମୁଖ୍ୟରେ ଖେଳି ରନ୍‌ ସ୍କୋର୍‌ କରନ୍ତି ତାହାକୁ ଖୁବ୍‌ ପ୍ରଶଂସା କରିଛନ୍ତି ସେହବାଗ୍। ବିଶେଷକରି ୱାର୍ଣ୍ଣର ତାଙ୍କ ଖେଳ ଜୀବନର ଆରମ୍ଭରୁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରୁଥିବା କହିଛନ୍ତି ସେହବାଗ୍‌। ସେହବାଗ୍‌ଙ୍କ କହିବା‌ କଥା ହେଲା, ପ୍ରଥମ ୩/୪ ବର୍ଷ ୱର୍ଣ୍ଣର କେବଳ ବଲ୍‌କୁ ପ୍ରହାର କରିବାକୁ ଚାହୁଁଥିଲେ।

ସେ ଆଦୌ ରନ୍‌ ସ୍କୋରକୁ ଦେଖୁନଥିଲେ କିମ୍ବା ପ୍ରତିପକ୍ଷକୁ ଖାତିର କରୁନଥିଲେ। ଏପରିକି ମ୍ୟାଚ୍‌ ବିଜୟୀ ପାଳି ଖେଳିବା ନେଇ ମଧ୍ୟ ଚିନ୍ତା କରୁନଥିଲେ। କିନ୍ତୁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବା ପରେ ତାଙ୍କ ଆଭିମୁଖ୍ୟରେ ପରିବର୍ତନ ଆଣିଥିଲେ ବୋଲି ସେ କହିଛନ୍ତି। ଯାହାର ଫଳସ୍ବରୂପ ସେ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ସ୍ଥିର ପ୍ରଦର୍ଶନ ବଳରେ ୫୦୦+ ସ୍କୋର୍‌ କରିଛନ୍ତି। ମ୍ୟାଚ୍‌ ବିଜୟୀ ପାଳି ମଧ୍ୟ ଖେଳିଛନ୍ତି। ବିଶେଷକରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳିଛନ୍ତି। ଯେଉଁଥିପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍‌ ବିଜେତା ହେବାରେ ୱର୍ଣ୍ଣର ଶ୍ରେୟ ପାଇବାର ହକ୍‌ଦାର। ତେଣୁ ପ୍ରଥମ ୩/୪ ବର୍ଷ ଏବଂ ଆନ୍ତର୍ଜାତିକ କ୍ରିକେଟ୍‌ ଆରମ୍ଭ ପରେ ୱାର୍ଣ୍ଣରଙ୍କଠାରେ ମୁଁ ଏହି ପରିବର୍ତନ ଦେଖିଛି ବୋଲି କହିଛନ୍ତି ସେହବାଗ୍‌। ସୂଚନାଯୋଗ୍ୟ, ଆଇପିଏଲ୍‌ରେ ୱାର୍ଣ୍ଣର ଏପର୍ଯ୍ୟନ୍ତ ୫୫୦୦ରୁ ଅଧିକ ରନ୍‌ କରିସାରିଛନ୍ତି। ଯେଉଁଥିରେ ୬ ଋତୁରେ ୫୦୦+ ସ୍କୋର୍‌ ରହିଛି। ସେ ମଧ୍ୟ ୨୦୧୬ରେ ହାଇଦ୍ରାବାଦର ନେତୃତ୍ବ ନେଇ ଟ୍ରଫି ଜିତିଥିଲେ। ‌ତେବେ ସେହି ହାଇଦ୍ରାବାଦ ଫ୍ରାଞ୍ଚାଇଜ୍‌ ତାଙ୍କୁ ଏଥର ଛାଡ଼ି ଦେଇଥିଲା ବେଳେ ସେ ଦିଲ୍ଲୀ କ୍ୟାପିଟାଲ୍‌ସର ମଙ୍ଗ ଧରିଛନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜ୍ ତାଙ୍କୁ ଏଥର ଖେଳାଳି ନିଲାମ ବେଳେ ୬.୨୫ କୋଟିରେ କିଣିଥିଲା।

ସମ୍ବନ୍ଧିତ ଖବର