କୋହଲି ଯେତିକି ତ୍ରୁଟି କରିଛନ୍ତି ପୂରା ଖେଳ ଜୀବନରେ ସେତିକି କରିନଥିବେ: ସେହବାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଆର୍‌ସିବି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରଶଂସକଙ୍କୁ ପୂରା ନିରାଶ କରିଛନ୍ତି। ଏଥର ୧୬ ମ୍ୟାଚ୍ ଖେଳି ମାତ୍ର ୨୨.୭୩ ହାରରେ କେବଳ ଦୁଇଟି ଅର୍ଦ୍ଧଶତକ ସହ ୩୪୧ ରନ୍ କରିଛନ୍ତି ସେ। କୋହଲିଙ୍କର ଏହି ଦୁର୍ବଳ ପ୍ରଦର୍ଶନ ବୀରେନ୍ଦ୍ର ସେହବାଗଙ୍କ ସହ ବହୁ ପୂର୍ବତନ ଭାରତୀୟ କ୍ରିକେଟର୍‌ଙ୍କୁ ହତାଶ କରିଛି। କୋହଲିଙ୍କ ଭଳି ଜଣେ ବିଶ୍ବସ୍ତରୀୟ ବ୍ୟାଟର୍ ଏକାଧିକ ଅପରିଚିତ ବୋଲରଙ୍କୁ ସମ୍ମୁଖୀନ ହେବାରେ ନିୟମିତ ଭାବେ ବିଫଳ ହେବା ସେମାନଙ୍କୁ ବିସ୍ମିତ କରିଛି। କୋହଲିଙ୍କ ସାଂପ୍ରତିକ ଫର୍ମକୁ ନେଇ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ସେହବାଗ କହିଛନ୍ତି ଯେ ସମ୍ଭବତଃ ଆମେ ଜାଣିଥିବା କୋହଲି ସେ ନୁହନ୍ତି। ଚଳିତ ଋତୁରେ ଯେମିତି ଭିନ୍ନ ଜଣେ କୋହଲି ଖେଳୁଥିଲେ। କାରଣ ଚଳିତ ଋତୁରେ ସେ ଯେତିକି ତ୍ରୁଟି କରିଛନ୍ତି, ତାଙ୍କ ପୂରା ଖେଳ ଜୀବନରେ ବି ସେତିକି କରିନଥିବେ। ଅବଶ୍ୟ ଯେତେବେଳେ ଆପଣ ରନ୍ କରିପାରନ୍ତି ନାହିଁ, ସେତେବେଳେ ଅପଣଙ୍କ ସହ ଏମିତି ଘଟିଥାଏ। ଆପଣ ଖରାପ ସମୟରୁ ବାହାରିବା ଲାଗି ବିଭିନ୍ନ ବିକଳ୍ପର ସନ୍ଧାନରେ ରହୁନ୍ତି ଏବଂ ଏହି ପ୍ରକ୍ରିୟାରେ ଭିନ୍ନ ଭିନ୍ନ ଉପା‌ୟରେ ଆଉଟ୍ ହୁଅନ୍ତି। ଫର୍ମ ନଥିଲା ବେଳେ ଆପଣ ସାଧାରଣତଃ ଅଫ୍ ଷ୍ଟମ୍ପର ବହୁତ ବାହାରେ ଥିବା ବଲ୍‌ର ଅନୁସରଣ କରନ୍ତି। ଭାଗ୍ୟ ସାଥ୍ ଦେଉଥିଲେ କିନ୍ତୁ ଭଲ ବଲ୍‌ରେ ଆପଣ ରନ୍ କରିପାରିନ୍ତି। ହେ‌ଲେ ମୁଁ ନିଶ୍ଚିତ ଭାବେ କହିପାରିବି ଯେ କୋହଲି ଏଥର ସମସ୍ତଙ୍କୁ ନିରାଶ କରିଛନ୍ତି।

ସମ୍ବନ୍ଧିତ ଖବର