ଧୋନି ୪ ନମ୍ବରରେ ବ୍ୟାଟିଂ କରିବା ନିଷ୍ପତ୍ତି ନେବା ପୂର୍ବରୁ ଭାରତକୁ ସମ୍ଭବତଃ ବୁଲେଟ୍ ଟ୍ରେନ୍ ମିଳିଯାଇଥିବ: ସେହବାଗ

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ କଟାକ୍ଷ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହବାଗ। ଦିଲ୍ଲି କ୍ୟାପିଟାଲ୍ସକୁ ‘ଦିଲ୍ଲୀ ମେଟ୍ରୋ’ ଓ ଚେନ୍ନାଇ ସୁପରକିଙ୍ଗ୍ସକୁ ‘ଚେନ୍ନାଇ ଏକ୍ସପ୍ରେସ୍’ ବୋଲି ସମ୍ବୋଧନ କରି ବୀରୁ ତାଙ୍କ ଚିରାଚରିତ କୌତୁକିଆ ଶୈଳୀରେ ଧୋନିଙ୍କୁ ସମାଲୋଚନା କରିଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ ଶନିବାର ୪୪ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ହାରିବା ପରେ ସେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଲେଖିଥିଲେ ଯେ ମେଟ୍ରୋ ଓ ରେଳ ମଧ୍ୟରେ କୌଣସି ତୁଳନା ନାହିଁ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ମେଟ୍ରୋ ପୂରା ଯୁବ। ସେମାନେ ଚେନ୍ନାଇର ଅଭିଜ୍ଞ ସେନାକୁ ହ୍ବିସିଲ ମାରି ଉଡ଼ାଇଦେଲେ। ପର୍ଥ ଭଳି ସବୁଜ ୱିକେଟ୍‌ରେ ଯଦି ତୁମେ ଟେଷ୍ଟ୍ ମ୍ୟାଚ୍ ଖେଳିବ, ତା’ଠାରୁ ଭଲ ସୁରଜ ବଡ଼ଜାତିୟାଙ୍କ ଚଳଚ୍ଚିତ୍ର ଦେଖିବା। ଚେନ୍ନାଇ ଭଲ ଆରମ୍ଭ କରିଥିଲା। ସେମାନେ କିନ୍ତୁ ସେକେଣ୍ଡ ଗିୟରରେ ଖେଳିଲା ଭଳି ଲାଗୁଥିଲା। ମୁରଲୀ ବିଜୟ ଟ୍ବେଣ୍ଟି-୨୦ ଖେଳୁଛନ୍ତି ବୋଲି ବିଶ୍ବାସ ହେଉନି, ୱାଟସନ୍ ପୁରୁଣା ଇଞ୍ଜିନ ଭଳି ଲାଗୁଛନ୍ତି। ଫାଫ୍ ଡୁ’ ପ୍ଲେସିସ୍ ସମ୍ଭବତଃ ନିଜ ସାଥୀ ଖେଳାଳିଙ୍କୁ ବୁଝାଉଥିଲେ, ଭାଇମାନେ ଆମେ ‌ଟ୍ବେଣ୍ଟି-୨୦ ଖେଳୁଛେ, ଟେଷ୍ଟ୍ ନୁହେଁ। ଏହା ପରେ ମଧ୍ୟ ଧୋନି ବ୍ୟାଟିଂକୁ ଆସି ନଥିଲେ। ଲାଗୁଛି ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାର ନିଷ୍ପତ୍ତି ନେବା ପୂର୍ବରୁ ଭାରତକୁ ବୁଲେଟ୍ ଟ୍ରେନ୍ ଆସି ଯାଇଥିବ। ସେହବାଗଙ୍କ ଏହି ପୋଷ୍ଟକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। କେତେକ ବିବାଦୀୟ ନିଷ୍ପତ୍ତିକୁ ଚେନ୍ନାଇ ରିଭ୍ୟୁ ନକରିବାକୁ ମଧ୍ୟ ବୀରୁ ପରିହାସ କରିଛନ୍ତି।

ସମ୍ବନ୍ଧିତ ଖବର