ଦୁବାଇ: ସୋମବାରର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରିଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୭ ବଲ୍ରୁ କେବଳ ୧୮ ରନ୍ କରିପାରିଥିଲେ। ବିଶାଳ ଛକା ମାରି ପ୍ରଶଂସକଙ୍କର ଭରପୁର ମନୋରଞ୍ଜନ କରୁଥିବା ମାହି ଗୋଟିଏ ଗୋଟିଏ ରନ୍ ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ସଂଘର୍ଷ କରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୩୬ ରନ୍ କରିଥିଲା।
ପରେ ଦିଲ୍ଲୀଠାରୁ ୩ ୱିକେଟ୍ରେ ପରାଜିତ ହୋଇଥିଲା। ଚେନ୍ନାଇ ଅଧିନାୟକଙ୍କ ଏହି ଚମକହୀନ ବ୍ୟାଟିଂ ବି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହବାଗଙ୍କୁ ଆଦୌ ପସନ୍ଦ ଆସି ନଥିଲା। ସେଥିପାଇଁ ଟ୍ବିଟ୍ କରି ଧୋନିଙ୍କୁ ଟ୍ରୋଲ୍ କରିଥିଲେ ସେ। ଚେନ୍ନାଇ ସୁପରକିଙ୍ଗ୍ସ ପରାଜୟ ପରେ ସେହବାଗ ଲେଖିଥିଲେ ଯେ ଥଲା ଧୋନି ଓ ରାୟୁଡୁ ଚେଷ୍ଟା କରୁଥିଲେ, ହେଲେ ରନ୍ ସଂଗ୍ରହ ଗତି ଏତେ ଧୀମା ଥିଲା ଯେ ମୋତେ ନିଦ ଆସିଯାଇଥିଲା। ମୁଁ ଭାବିଥିଲି ଏବେ କିଛି ସମୟ ଶୋଇଯିବା ଦରକାର। ଅବଶ୍ୟ ସେହବାଗ ଧୋନିଙ୍କୁ ନେଇ କିଛି ମଜାଦାର ପରିସଂଖ୍ୟାନ ମଧ୍ୟ ପ୍ରକାଶ କରିଥିଲେ। ୧୨ ବର୍ଷ ମଧ୍ୟରେ ଥାଲା ଧୋନି ୨୫ରୁ ଅଧିକ ବଲ୍ ଖେଳି ଗୋଟିଏ ହେଲେ ବି ଚୌକା କିମ୍ବା ଛକା ମାରି ନଥିଲେ।