ପଣ୍ଟିଂଙ୍କୁ ଟ୍ରୋଲ୍‌ କଲେ ସେହବାଗ

ନୂଆଦିଲ୍ଲୀ: ସିଡ୍‌ନି ଟେଷ୍ଟ୍ ଉତ୍କଣ୍ଠାପୂର୍ଣ୍ଣ ଭାବେ ଅମୀମାଂସିତ ରହିବା ପରେ ଋଷବ ପନ୍ତଙ୍କ ଏକ ସ୍କ୍ରିନ୍‌ ସଟ୍‌ ସୋମବାର ଚର୍ଚ୍ଚାରେ ରହିଛି। ଯେଉଁ ପୁରୁଣା ଫଟୋଟିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ପଛ ପାଖରେ ବସିଥିବା ପନ୍ତ୍ ପ୍ରସନ୍ନ ବଦନରେ ପ୍ରଶ୍ନବାଚୀ ନଜରରେ ରହିଛନ୍ତି। ପନ୍ତ୍‌ଙ୍କ ସାହସିକ ୯୭ ରନ୍‌ ପରେ ଭାରତକୁ ବିଜୟ ତୁଲ୍ୟ ଡ୍ର’ ମିଳିଥିବାରୁ ଏହି ସମୟୋପଯୋଗୀ ଫଟୋ ଛାଡ଼ି ପଣ୍ଟିଂକୁ ପରୋକ୍ଷରେ ଚିଡ଼ାଇଛନ୍ତି‌ ସେହବାଗ। ଚିଡ଼ାଇବାର କାରଣ ‌ହେଉଛି ପଣ୍ଟିଂ ଚାନେଲ୍‌ ୭ ପାଇଁ ଭାଷ୍ୟକାର ଦାୟିତ୍ବ ତୁଲାଉ ଥିବା ବେଳେ କହିଥିଲେ, ‘ଭାରତ ଦ୍ବିତୀୟ ପାଳିରେ ୨୦୦ ରନ୍‌ ବି କରିପାରିବ ନାହିଁ’। ଭାରତ କିନ୍ତୁ ୩୩୪/୫ ସ୍କୋର୍‌ କରି ଅଷ୍ଟ୍ରେଲିଆକୁ ବିଜୟରୁ ବଞ୍ଚିତ ରଖିଥିଲା। ସୂଚନାଯୋଗ୍ୟ, ପଣ୍ଟିଂ-ପନ୍ତଙ୍କ ଏହି ଚର୍ଚ୍ଚିତ ଫଟୋଟି ଆଇପିଏଲ୍‌ ବେଳର। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପନ୍ତ୍‌ ଖେଳୁଥିବା ବେଳେ ପଣ୍ଟିଂ ଏହାର ମୁଖ୍ୟ ପ୍ରଶିକ୍ଷକ ଥିଲେ।

ଅନେକଙ୍କ ଭଳି ‌ସେହବାଗ ମଧ୍ୟ ଷ୍ଟିଭେନ୍ ସ୍ମିଥଙ୍କ ବିବାଦୀୟ ଆଚରଣକୁ ସମାଲୋଚନା କରିଛନ୍ତି। ସୋମବାର ପନ୍ତଙ୍କ ୱିକେଟ୍ ପାଇଁ ଅଷ୍ଟ୍ରେଲିଆ ଏତେ ବ୍ୟାକୁଳ ଥିଲେ ଯେ ଗାର୍ଡ ଚିହ୍ନକୁ ଲିଭାଇବାକୁ ଛଳନା ବ୍ୟାଟିଂ କରିଥିଲେ ସ୍ମିଥ୍। ଏତେ ସବୁ ପରେ ବି ଅଷ୍ଟ୍ରେଲିଆ ପାଇଁ କିଛି କାମ ଦେଲା ନାହିଁ ବୋଲି ସେହବାଗ ଟ୍ବିଟ୍ କରିଛନ୍ତି। ମୋ ଛାତି ଚୌଡ଼ା ହୋଇଗଲା। ପୂଜାରା, ପନ୍ତ, ଅଶ୍ବିନ ବିହାରୀଙ୍କ ପାଇଁ ଗର୍ବିତ। ପନ୍ତ କାହିଁକି ଭିନ୍ନ ସେ ପ୍ରମାଣିତ କରିଦେଲେ ବୋଲି ମଧ୍ୟ ସେହବାଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର