ସେହବାଗଙ୍କ ଦିନିକିଆ ଦ୍ବିଶତକକୁ ୯ ବର୍ଷ

ନୂଆଦିଲ୍ଲୀ: ଆଜକୁ ଠିକ୍ ୯ ବର୍ଷ ତଳେ ବୀରେନ୍ଦ୍ର‌ ସେହବାଗ ବିଶ୍ବ କ୍ରିକେଟ୍‌ର ଦ୍ବିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦିନିକିଆ ଅନ୍ତର୍ଜାତୀୟରେ ଦ୍ବିଶତକ ହାସଲ କରିଥିଲେ। ୨୦୧୧ ମସିହା ଡିସେମ୍ବର ୮ ତାରିଖରେ ଇନ୍ଦୋରର ହୋଲକର ଷ୍ଟାଡିୟମ୍‌ରେ ସେହବାଗ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ୨୧୯ ରନ୍‌ କରି ଏହି ଗୌରବ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଶ୍ରେଷ୍ଠ ଦିନିକିଆ ପାଳି ସହିତ ସଚିନ ତେନ୍ଦୁଲକର (୨୦୦* ବନାମ ଦକ୍ଷିଣ ଆଫ୍ରିକା)ଙ୍କ ପରେ ଦ୍ବିତୀୟ ଖେଳାଳି ହୋଇଥି‌ଲେ। ସେହବାଗଙ୍କ ୧୪୯ ବଲ୍‌ ପାଳିରେ ୪୧‌ ଚୌକା ଓ ୭ ଛକା ସାମିଲ ଥିଲା। ଭାରତ ୫ ୱିକେଟ୍ ବିନିମୟରେ ୪୧୮/୫ ‌ସ୍କୋର୍‌ କରିବା ପରେ ଇଣ୍ଡିଜ୍‌କୁ ୨୬୫ ରନ୍‌ରେ ରୋକି ୧୫୩ ରନ୍‌ରେ ମ୍ୟାଚ୍‌ ଜିତିଥିଲା।

ଅଦ୍ୟାବଧି ଦିନିକିଆ ଦ୍ବିଶତକର ୮ଟି ଉଦାହରଣ ରହିଛି। ତନ୍ମଧ୍ୟରେ ୫ଟି ଭାରତୀୟଙ୍କ ନାମରେ ରହିଛି। ବିଶ୍ବ କ୍ରିକେଟ୍‌ର ପ୍ରଥମ‌ ଖେଳାଳି ଭାବେ ସଚିନ (୨୦୦* ବନାମ ଦକ୍ଷିଣ ଆଫ୍ରିକା, ୨୦୧୦) ଦିନିକିଆ‌ ଦ୍ବିଶତକ ହାସଲ କରିଥିଲେ। ରୋହିତ ଶର୍ମା‌ କିନ୍ତୁ ସର୍ବାଧିକ ୩ ଥର ଏଭଳି ଗୌରବ ଅର୍ଜନ କରି ବ୍ୟକ୍ତିଗତ ଶ୍ରେଷ୍ଠ ଦିନିକିଆ ପାଳି (୨୬୪ ବନାମ ଶ୍ରୀଲଙ୍କା, କୋଲକାତା, ୨୦୧୪)ର କୃତିତ୍ବ ରଖିଛନ୍ତି।

ସମ୍ବନ୍ଧିତ ଖବର