ପ୍ରବାସୀ ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ କଲେ ସେହବାଗଙ୍କ ପରିବାର

ପ୍ରବାସୀ ଶ୍ରମିକଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ କଲେ ସେହବାଗଙ୍କ ପରିବାର

ଚଣ୍ଡିଗଡ଼: କରୋନା ମହାମାରୀ ଦିନକୁ ଦିନ ବ୍ୟାପିବା ସହ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକମାନେ ଏଥିଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରକୁ ଫେରୁଥିଲା ବେଳେ ଅନ୍ୟକେହି ଘରେ ପହଞ୍ଚିଲା ବେଳକୁ ଭୋକ ଉପାସରେ ତା’ର ଜୀବନ ଚାଲି ଯାଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ। ସେହବାଗ ଓ ତାଙ୍କ ପରିବାର ରାଜରାସ୍ତା ଓ ଅନ୍ୟସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ସେମାନେ ମଧ୍ୟ ଶ୍ରମିକଙ୍କୁ ଏହି ଖାଦ୍ୟ ନିଜ ଉଦ୍ୟମରେ ଯୋଗାଇ ଦେଉଛନ୍ତି। ସେହବାଗଙ୍କ ଦାତବ୍ୟ ପ୍ରତିଷ୍ଠାନ ମଧ୍ୟ କରୋନା ପାଇଁ ରୋଜଗାର ହରାଇଥିବା ଶ୍ରମିକଙ୍କୁ ବିଭିନ୍ନ ଉପାୟରେ ସହାୟତା ଦେଉଛି। ସେହାବଗ ଟ୍ବିଟରରେ ଏଭଳି ସୂଚନା ଦେବା ସହ ସମସ୍ତ ଭାରତୀୟଙ୍କୁ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଅସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଆହ୍ବାନ କରିଛନ୍ତି। ୪୧ ବର୍ଷୀୟ ସେହବାଗ ଟ୍ବିଟ୍ କରିଛନ୍ତି ‌ଯେ ନିଜ ଘରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧିବା ଓ ଏହାକୁ ବଣ୍ଟନ କରିବାର ଆତ୍ମସନ୍ତୋଷ ଅନ୍ୟ କୌଣସି ଜିନିଷରେ କ୍ବଚିତ ମିଳିଥାଏ। ଆପଣ ଯଦି ୧୦୦ ଶ୍ରମିକଙ୍କୁ ଖାଦ୍ୟ ଦେବା ଲାଗି ଆଗ୍ରହୀ ତାହାଲେ ସେହାବାଗ ଫାଉଣ୍ଡେସନ୍ ସହ ଯୋଗାଯୋଗ କରନ୍ତୁ।

ଜୋତା ଦାନ କଲେ କେଏଲ୍ ରାହୁଲ
କରୋନା ମହାଯୁଦ୍ଧରେ ଆଗଧାଡ଼ିରେ ରହି ଲଢ଼େଇ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଶନିବାର ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା କେଏଲ୍ ରାହୁଲ ସଲାମ କରିଛନ୍ତି। ଏଭଳି ସୈନିକମାନଙ୍କୁ ହୃଦୟରୁ ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ପ୍ୟୁମା ‌ଜୋତା ଦାନ କରିଛନ୍ତି ରାହୁଲ। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସେ ମଧ୍ୟ ଏକ ଆବେଗପୂର୍ଣ୍ଣ ପତ୍ର ଲେଖିଛନ୍ତି। ”ଦେଶର ଯତ୍ନ ପାଇଁ ଆପଣ ବରଣ କରିଥିବା ବିପଦ ଲାଗି ଅଶେଷ ଅଶେଷ ଧନ୍ୟବାଦ। ଆପଣମାନଙ୍କୁ ସମ୍ମାନ ଜଣାଇବା ଲାଗି ମୋ ପକ୍ଷରୁ ଏହା ଏକ ଛୋଟିଆ ପ୍ରୟାସ। ଭଲ କାମ ପାଇଁ କରୁଥିବା ଏହି ଲଢ଼େଇକୁ ଆପଣ ଏମିତି ହସଖୁସିରେ ଲଢ଼ୁ ଥାଆନ୍ତୁ” ବୋଲି ରାହୁଲ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର