ସେହବାଗଙ୍କ କୌତୁକିଆ ଟ୍ବିଟ୍‌ ‘ଓମ୍‌ ତେୱାତିଆ ନମଃ’

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଅଲରାଉଣ୍ଡର ରାହୁଲ ତେୱାତିଆଙ୍କ ବିସ୍ଫୋରକ ଏବଂ ବିଶାଳ ଆକାରର ଛକା ବର୍ଷାକୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଜମା ଭୁଲି ପାରୁନାହାନ୍ତି। ସେଥିପାଇଁ ରବିବାରର ତିୱାତିଆ ରୋମାଞ୍ଚ ପରେ ସୋମବାର ଓ ମଙ୍ଗଳବାରର ଆଇପିଏଲ୍ ମ୍ୟାଚ୍ ଫଳାଫଳକୁ ତେୱାତିଆଙ୍କ ସହ ଯୋଡ଼ିବାକୁ ସେ ଭୁଲିନାହାନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍‌ସକୁ ୧୫ ରନ୍‌ରେ ହରାଇ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିବା ପରେ ସେହବାଗ କୌତୁକିଆ ଟ୍ବିଟ୍ କରିଥିଲେ। ଏଥିରେ ତେୱାତିଆଙ୍କ କଥା ବି କହିଥିଲେ। ସନ୍‌ରାଇଜର୍ସର ପ୍ରତୀକ୍ଷିତ ବିଜୟ ପରେ ଟ୍ବିଟ୍ କରି ନଜଫ ଗଡ଼ର ନବାବ ଭାବେ ପରିଚିତ ସେହବାଗ ଲେଖିଥିଲେ ‘‘ମ୍ୟାଚ୍ ଶେଷ ଆଡ଼କୁ ଟି ନଟରାଜନଙ୍କ ଶାଣିତ ଓ ସଠିକ୍ ୟର୍କର ଦେଖି ବହୁତ ଖୁସୀ ଲାଗିଥିଲା। ରସିଦ ଖାନ୍ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ସମସ୍ତ ଦଳ ନିଜ ନିଜର ଖାତା ଖୋଲି ସାରିଥିବାରୁ ମଜା ଜାରି ରହିବ, ଓମ୍ ତେୱାତିଆ ନମଃ’’।

ସୋମବାରର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌ରେ କିରଣ ପୋଲାର୍ଡ ଧୁଆଁଧାର ବ୍ୟାଟିଂ କରି ମୁମ୍ବ‌ାଇକୁ ମ୍ୟାଚ୍‌କୁ ଫେରାଇ ଆଣିବା ପରେ ନିଜ ସିରିଜ୍ ‘ବୀରୁ କି ବୈଠକ’ରେ ସେହବାଗ ଲେଖିଥିଲେ ଯେ ସମସ୍ତଙ୍କ ଭିତରେ ତେୱାତିଆ ଅଛନ୍ତି, କେବଳ ଯାହା ଜାଗ୍ରତ କରିବାବାଲା ଦରକାର। ଅବଶ୍ୟ ମୁମ୍ବାଇ ସେହି ମ୍ୟାଚ୍‌କୁ ସୁପରଓଭରରେ ହାରି ଯାଇଥିଲା। ପ୍ରକୃତରେ ତେୱାତିଆ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେଲଡନ୍ କଟ୍ରେଲଙ୍କ ଗୋଟିଏ ଓଭରରୁ ପାଞ୍ଚଟି ଛକା ସହ ୩୧ ବଲ୍‌ରୁ ୫୩ ରନ୍‌ର ପାଳି ଖେଳିବା ପରେ ହିଁ ସେହବାଗ ତାଙ୍କ ପ୍ରଶଂସକ ପାଲଟି ଯାଇଛନ୍ତି। ସେହି ହାଇସ୍କୋରିଂ ମ୍ୟାଚ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୨୨୪ ରନ୍‌ର ବିଜୟ ଲକ୍ଷ୍ୟକୁ ୩ ବଲ୍ ପୂର୍ବରୁ ହାସଲ କରିନେବା ପରେ ଉଲ୍ଲସିତ ସେହବାଗ ଟ୍ବିଟ୍ କରିଥିଲେ ଯେ ପୋଷ୍ଟର ଫାଟିଲା, ନାୟକ ବାହାରିଲେ, ତେୱାତିଆ ଅସଲ ନାୟକ। ଆଉ ଏକ ଟ୍ବିଟ୍‌ରେ ବେପରୁଆ ଓ ଖୁସ୍ ମିଜାଜୀ ସେହବାଗ ଲେଖିଥିଲେ ‘‘ତେୱାତିଆଙ୍କ ଦେହକୁ ମା’ ପ୍ରବେଶ କରିଥିଲେ। କି ଫିନିସ୍, ଏହା ହିଁ ଜୀବନ ଏବଂ ଏହା ହିଁ କ୍ରିକେଟ୍, କିଛି ମିନିଟ୍ ଭିତରେ ସବୁକିଛି ବଦଳି ଯାଇଥାଏ’’।

ସମ୍ବନ୍ଧିତ ଖବର