ହକିର ପାଗଳ ପ୍ରଚାରକ ‘ଶେଖର ଚନ୍ଦ୍ର’

ଭୁବନେଶ୍ବର: ବିଶ୍ବକପ୍ ଆୟୋଜନ କରି ଓଡ଼ିଶା ଗର୍ବିତ ଓ ଗୌରବାନ୍ବିତ ହୋଇଥିଲେ ବି ଦଳଗତ ଭାବେ ‘ଓଡ଼ିଶା ହକି’ର ପ୍ରଦର୍ଶନ ଜାତୀୟ ସ୍ତରରେ ନିରାଶାଜନକ ସ୍ଥିତିରେ ରହିଛି। ଏବେ ବି ବରିଷ୍ଠ ବର୍ଗରେ ଓଡ଼ିଶା ମୁଖ୍ୟ ଜାତୀୟ ମୁକୁଟ ଜିତି ପାରିନାହିଁ। ଡଜନେ ଡଜ‌େନ‌ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା ସଫଳତାରେ ଓଡ଼ିଶା ସୀମିତ ରହିଛି। ତା’ ପୁଣି ଗୋଟିଏ ଦୁଇଟି ଜିଲ୍ଲାରେ ଥିବା ଅସମ୍ଭବ ଅଗ୍ରହ ଏବଂ ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ହୋଇଥିବାରୁ। ହକି ଯେ ଓଡ଼ିଶାର ସମ୍ପୂର୍ଣ୍ଣ ଜୀବନ ପାଲଟି ପାରିନାହିଁ ଏହା କହିବାରେ କିଛି ଦ୍ବିଧା ନାହିଁ। ଏତେ ବିଶ୍ବସ୍ତରୀୟ ସଫଳତା ପରେ ବି ଆମେ ‘ଜାତୀୟ ହକିରେ ଓଡ଼ିଶାର ପ୍ରାଧାନ୍ୟ’ ଭଳି ସ୍ଥିତିକୁ ଉପଲବ୍‌ଧି କରିପାରି ନାହୁଁ, ଓଡ଼ିଶା ଭିତରେ ହକିକୁ ସାଧାରଣ ଓ ଲୋକପ୍ରିୟ ଖେଳର ମାନ୍ୟତା ଦେଇ ପାରିନାହୁଁ। କିନ୍ତୁ ଏଭଳି ଅଭିଳାଷ, ଆଭିମୁଖ୍ୟ ଓ ଯୋଜନାର ସଫଳ ରୂପାୟନ କରିବାର ସ୍ବପ୍ନରେ ମସଗୁଲ ଜଣେ ସାଧାରଣ ହକି ପ୍ରେମୀଙ୍କ ଉତ୍ସାହ ଏବଂ ଆଗ୍ରହ ଏ ପ୍ରତିନିଧିତ୍ବଙ୍କୁ ବିଶେଷ ପ୍ରଭାବିତ କରିଛି। ଏଭଳି ଜଣେ ବ୍ୟକ୍ତିତ୍ବ ହେଲେ ଶେଖର ଚନ୍ଦ୍ର ବେହେରା।

ଜୀବନରେ କେବେ ହକି ଷ୍ଟିକ୍ ଧରି ନାହାନ୍ତି, ପରିବାରରୁ ବି କେହି ହକି ଖେଳି ନାହାନ୍ତି, ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ହକି ଜିଲ୍ଲାରେ ବି ତାଙ୍କ ଘର ନୁହେଁ, ହକିର ଏନ୍ତୁଡିଶାଳରେ ତାଙ୍କ ଜନ୍ମ ବି ନୁହେଁ, ହକିର କୌଣସି ମାହୋଲରେ ବି ସେ ଜୀବନର ଯୁବାବସ୍ଥା କଟାଇନାହାନ୍ତି। କ୍ରିକେଟ୍‌ ପାଗଳ ଉପକୂଳ ଓଡ଼ିଶାର ପାଣି ପବନରେ ବଢ଼ିଥିବା ଜଣେ ବ୍ୟକ୍ତି ହକିକୁ ଏବେ ଏତେ ଭଲ ପାଇବା ଏବଂ ବ୍ୟକ୍ତିଗତ ପ୍ରୟାସରେ ଏହାର ପ୍ରଚାର ଓ ପ୍ରସାର ଲାଗି ପଡ଼ିବା ସବୁଠାରୁ ବଡ଼ ବିସ୍ମୟ। ତା’ ପୁଣି ଇଂଜିନିୟରଂ ଭଳି ଲୋଭନୀୟ ବୃତ୍ତିର ଜୀବନକୁ ପଛରେ ପକାଇ। ଶେଖର ଚନ୍ଦ୍ର ବେହେରାଙ୍କ ଘର ପାରାଦୀପ ପିପିଏଲ୍‌ ଟାଉନସିପ୍‌ରେ। ଡିଏଭି ସ୍କୁଲରେ ଆଦ୍ୟ ପଢ଼ା ଜୀବନ ବିତାଇବା ପରେ ଇଂଜିନିୟରିଂରୁ ଉତ୍ତୀର୍ଣ୍ଣ। କିଛି ଦିନ ଚାକିରି କରିବା ପରେ ହକି ହିଁ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ଓଡ଼ିଶାରେ କ୍ରିକେଟ୍‌ ଭଳି ଲୋକପ୍ରିୟତା ସ୍ତରକୁ ନେବାକୁ ଚାହାନ୍ତି ହକିକୁ। ଓଡ଼ିଶାର ପ୍ରତି ଜିଲ୍ଲାରେ ଯେଭଳି ହକି ସଂଘ ରହିବ ଏବଂ ହକି ଖେଳ ହେବ ସେ ପ୍ରୟାସ ଓ ‌େଯ‌‌ାଜନାରେ ଲାଗି ପଡ଼ିଛନ୍ତି। ପାଣ୍ଠି ନ ଥିଲେ ବି ଶେଖର ନିଜର ଉତ୍ସାହ, ଆଗ୍ରହ, ହକି ପ୍ରତି ରଖିଥିବା ଭଲ ପାଇବାକୁ ନିଜର ପୁଞ୍ଜି କରିଛନ୍ତି। ରାଜ୍ୟର ହକି ପ୍ରଶାସନ ଏବଂ ‌ପୁରୁଖା ଖେଳାଳିଙ୍କ ମୁହଁରୁ ଯେଉଁ କଥା କେବେ ଶୁଣାଯାଏ ନାହିଁ ସେଭଳି ଅଦମ୍ୟ ସାହାସ ଏବଂ ସଙ୍କଳ୍ପ ନେଇଛନ୍ତି ଶେଖର। ମାତ୍ର ୨/୩ ବର୍ଷ ଭିତରେ ଏଭଳି ଲକ୍ଷ୍ୟ ପଥରେ ବି ଢ଼େର ଅଗ୍ରସର କରିଛନ୍ତି। ରାଜ୍ୟ ହକି ସହିତ ନୟାଗଡ଼, ଭଦ୍ରକ ଭଳି ଜିଲ୍ଲାକୁ ଯୋଡ଼ିବା, କଟକ ସଦର ଓଡ଼ପଡ଼ାର ହୁଲିପୁରଠାରେ ରଂଜନ ଦାସଙ୍କ ଜରିଆରେ ୪୦ ପିଲାଙ୍କୁ ହକି ପ୍ରଶିକ୍ଷଣରେ ଥଇଥାନ କରିବା, ଯତୀନ୍ଦ୍ର କୁମାର ଶର୍ମାଙ୍କ ରୋଟାରି ଏକାଡେମିରେ ହକି ସାମିଲ ରହିବା ଏବଂ ଢ଼େଙ୍କାନାଳରେ ହକିକୁ ବଞ୍ଚାଇ ରଖିବା ଭଳି ପ୍ରୟାସ କେବଳ ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ‘କ୍ରିକେଟ୍‌ ଭଳି ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ ହକିର ଆସ୍ଥାନ ଦେଖିବା ମୋ ଏକମାତ୍ର ସ୍ବପ୍ନ’ ବୋଲି ପ୍ରକାଶ କରିଛନ୍ତି ୨୫ ବର୍ଷୀୟ ଶେଖର। ବୟସ ବାଇଶି ପର୍ଯ୍ୟନ୍ତ ବି ଶେଖରଙ୍କୁ ହକିର ହସ୍ତାକ୍ଷର ଜଣାନଥିଲା। ଏବେ କିନ୍ତୁ ତାଙ୍କ ପାଖରେ ହକିର ନିୟମ କାନୁନଠାରୁ ଆରମ୍ଭ କରି ଟିକି ନିକି ଖବର ଅହରହ ଚଳଚଞ୍ଚଳ। ହକି ସହିତ ସଂଯୋଗ ବି ଏକ କାହାଣୀ ଭଳି। ଓଡ଼ିଶାର ହକି କିମ୍ବଦନ୍ତୀ ଦିଲୀପ ତିର୍କିଙ୍କୁ ଅନୁସରଣ କରିବା ଏବଂ ସାମାଜିକ ଗଣମାଧ୍ୟମର ପ୍ରେରଣାରୁ ହିଁ ତାଙ୍କ ସଂସ୍ପର୍ଶରେ ଆସି ଶେଖର ପାଲଟିଛନ୍ତି ହକିର ପାଗଳପ୍ରେମିକ ଓ ପ୍ରଚାରକ। ସାମାଜିକ ଗଣମଧ୍ୟମରେ ହକିକୁ ସମର୍ଥନ କରିବା ଏବଂ ଓଡ଼ିଶାର ଟିକି ନିକି ଖବରକୁ ପ୍ରସାରିତ କରିବାରୁ ଅଭିଯାନ ଆରମ୍ଭ କରିଥିବା ଶେଖରଙ୍କୁ ବି ଏହାର ସୁଫଳ ମିଳିବା ଆରମ୍ଭ ହୋଇଛି। ବ୍ୟକ୍ତିଗତ ପ୍ରୟାସରେ ହକିର ପ୍ରଚାର ଓ ପ୍ରସାର କରିବାର ଅନନ୍ୟ ଉଦାହରଣ ପାଲଟିଛନ୍ତି ଶେଖର। ହ୍ବାଟସଆପ, ଫେସବୁକ୍‌ ମାଧ୍ୟମରେ ହକିକୁ ଏତେ ସକ୍ରୀୟ କରିବା ଫଳରେ ଦିନେ ଦିଲୀପ ତିର୍କିଙ୍କଠାରୁ ‌ଟେଲିଫୋନ୍‌ ଡାକରା ପାଇ ଏଥି ପ୍ରତି ନିଜକୁ ସମର୍ପି ଦେଇଛନ୍ତି ଶେଖର। ଇତିମଧ୍ୟରେ ଦୀପସାନ ତିର୍କି, ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରାଙ୍କ ଭଳି ବଡ଼ ଖେଳାଳିଙ୍କ ପ୍ରସାର କରି ବିଶ୍ବବ୍ୟାପୀ ହକି ପ୍ରେମୀଙ୍କଠାରୁ ସାବାସୀ ପାଇଛନ୍ତି। ମାତ୍ର ୪ ବର୍ଷ ତଳେ ଭୁବନେଶ୍ବରରେ ୨୦୧୫ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହକି ଇଣ୍ଡିଆ ଲିଗ୍‌ର କଳିଙ୍ଗ ଲାନସର୍ସ ବନାମ ଜେପି ୱାରିୟର୍ସ ପଞ୍ଜାବ ମ୍ୟାଚରୁ ଆରମ୍ଭ କରି ଭାରତୀୟ ହକିର ସମସ୍ତ ମ୍ୟାଚ୍‌କୁ ମଧ୍ୟ ସାମାଜିକ ଗଣାମଧ୍ୟମରେ ପ୍ରସାରିତ କରି ନିଜ ପାଇଁ ଏବଂ ଓଡ଼ିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ବିଶ୍ବବ୍ୟାପୀ ଭାରତୀୟ ହକି ଦଳକୁ ସମର୍ଥନ ଏବଂ ପ୍ରଚାର କରୁଥିବା ‘ୱାନ୍ ଡ୍ରିମ୍‌ ୱାନ୍‌ ଡ୍ରିମ୍‌’ର ଅନ୍ୟତମ ସଦସ୍ୟ ବି ପାଲଟିଛନ୍ତି ଶେଖର।

ଶେଖରଙ୍କ ପାଇଁ କ୍ରେଜ୍‌ ବଢ଼ିଛି: ଦିଲୀପ ତିର୍କି
ହକି ପ୍ରତି ଜଣେ ଉପକୂଳ ଓଡ଼ିଶା ପିଲାର ଆଗ୍ରହ ମୋତେ ଅଭିଭୂତ କରି ଦେଇଛି। ବ୍ୟକ୍ତିଗତ ଜୀବନରୁ ସମୟ କାଢ଼ି ଶେଖର ଏତେ ଟିକି ନିକି ଖବର ରଖିବା ଏବଂ ନିଖୁଣ ଉପସ୍ଥାପନ କରିବା ପ୍ରଶଂସନୀୟ ବୋଲି କହିଛନ୍ତି ହକି କିମ୍ବଦନ୍ତୀ ଦିଲୀପ ତିର୍କି। ଦିନେ ଫେସ୍‌ବୁକ୍‌ରୁ (ଓଡ଼ିଶା ହକି ଲଭର୍ସ ଗ୍ରୁପ୍) ୨୦୦୨ ମସିହା ଚାମ୍ପିଅନ୍ସ ଟ୍ରଫିରେ ମୁଁ ଦେଇଥିବା ଏକ ଗୋଲ୍ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହି ଗୋଲଟିକୁ ମୁଁ ନିଜେ ବି କେବେ ପୂର୍ବରୁ ଦେଖିନଥିଲି। ବହୁତ ଖୁସୀ ଲାଗିଥିଲା। ଅଣ ହକି ଅଞ୍ଚଳରୁ ଏତେ ଅଗ୍ରହ ରଖିଥିବା ଏ ପିଲାଟି କିଏ ବୋଲି ମୋର ଉତ୍ସୁକତା ବଢ଼ିଥିଲା। ଏହା ପରେ ଶେଖରକୁ ଖୋଜି ବାହାର କରିଥିଲି। ଏହା ପରେ ଗ୍ରାମୀଣ ହକିର ପ୍ରଚାର ଓ ପ୍ରସାର ଦାୟିତ୍ବ ନେବାକ ପରାମର୍ଶ ଦେଇଥିଲି। ସୁନ୍ଦରଗଡ଼ ଉତ୍ସାହ ଦେଖି ଶେଖରର ଆଗ୍ରହ ମଧ୍ୟ ବଢ଼ିଯାଇଥିଲା। ଏବେ ରାଜ୍ୟଠାରୁ ଆରମ୍ଭ କରି ଦେଶର ବହୁ କିମ୍ବଦନ୍ତୀ ଖେଳାଳି ଏହି ଗ୍ରୁପ୍‌ ସହିତ ଜଡ଼ିତ ହେବା ନିଶ୍ଚିତ ଏକ ବଡ଼ ଉପଲବ୍‌ଧି। ଶେଖର ସମ୍ପୃକ୍ତି ପରେ ରାଜ୍ୟରେ ହକିର କ୍ରେଜ୍ ବଢ଼ିଯାଇଛି ବୋଲି ଦିଲୀପ ‌ଶେଷରେ କହିଥିଲେ।

ସମ୍ବନ୍ଧିତ ଖବର