ଆଜି ଗୋଆରେ ସେମିଫାଇନାଲ୍‌: ନାଇଜେରିଆ-କଲମ୍ବିଆ ଓ ଜର୍ମାନି-‌ସ୍ପେନ୍ ମୁହାଁମୁହିଁ

ମାରଗାଓଁ (‌ଗୋଆ) (ସୁରେଶ ସ୍ବାଇଁ): ଦୁଇ ସପ୍ତାହ ଧରି ଓଡ଼ିଶା, ମହାରାଷ୍ଟ୍ର ଓ ଗୋଆରେ ଚାଲିଥିବା ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍‌)ର ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଛି। ଗୋଆର ମାରଗାଓଁସ୍ଥିତ ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବାକୁ ଥିବା ସେମିଫାଇନାଲ୍ ଉପରେ ଏବେ ଫୁଟ୍‌ବଲ୍‌ପ୍ରେମୀଙ୍କ ନଜର। ଅନେକ ଉତ୍କଣ୍ଠା ଓ ରୋମାଞ୍ଚର ପ୍ରତିଶ୍ରୁତି ରଖିଥିବା ଏହି ସେମିଫାଇନାଲ୍ ଦ୍ବୟର ପ୍ରଥମଟିରେ ଆଫ୍ରିକୀୟ ଦେଶ ନାଇଜେରିଆ ଭେଟିବ ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆକୁ। ଏହି ମ୍ୟାଚ୍ ଅପରାହ୍‌ଣ ୪.୩୦ରେ ଖେଳାଯିବ। ରାତି ୮.୦୦ରେ ସେହି ପଡ଼ିଆରେ କିନ୍ତୁ ମୁହାଁମୁହିଁ ହେବେ ଦୁଇ ୟୁରୋପୀୟ ମହାଶକ୍ତି ଜର୍ମାନି ଓ ନାଇଜେରିଆ।

ଗ୍ରୁପ୍ ପର୍ଯ୍ୟାୟରେ ଚମତ୍କାର ଖେଳି ‌ଶୀର୍ଷ ୪ ଦଳରେ ସାମିଲ ହୋଇଥିବାରୁ ଏହି ୪ ଦେଶ ବୁଧବାର ଫାଇନାଲ୍ ପ୍ରବେଶ ନେଇ ଆତ୍ମବିଶ୍ବାସରେ ରହିଛନ୍ତି। ଆୟୋଜକ ଭାବେ ପଦାର୍ପଣ ସୁଯୋଗ ପାଇଥିବା ଭାରତ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇ ସାରିଥିବାରୁ ଫତୋର୍ଦା ପ୍ରଶଂସକମାନେ ନିଶ୍ଚିତ ଫୁଟ୍‌ବଲ୍‌ର ନିରପେକ୍ଷ ମଜା ନେବେ। ଗ୍ରୁପ୍‌-ଏ ଏବଂ ଗ୍ରୁପ୍-ଡି’ରୁ କୌଣସି ଦଳ ଆଗକୁ ବଢ଼ିନାହାନ୍ତି। ଗ୍ରୁପ୍-ବି’ର ବିଜେତା ଜର୍ମାନିକୁ ଚାଲେଞ୍ଜ ଦେବାକୁ ପ୍ରସ୍ତୁତ ହୋଇଛି ଗ୍ରୁପ୍‌-ସି ରନର୍ ସ୍ପେନ୍। ଏହି ୟୁରୋ ଲଢ଼େଇରେ ଜର୍ମାନି ନିଶ୍ଚିତ ଦାବିଦାର ରହିବ। ସ୍ପେନ୍‌ କିନ୍ତୁ ଶୃଙ୍ଖଳିତ ଫୁଟ୍‌ବଲ୍ ଖେଳିବାରେ ଅଭ୍ୟସ୍ତ ଥିବାରୁ ଜର୍ମାନିକୁ ଚକ୍‌ମା ଦେବା ଆଶାରେ ରହିଛି। ଜର୍ମାନି ଗ୍ରୁପ୍‌ ପର୍ଯ୍ୟାୟରେ ନାଇଜେରିଆକୁ ୨-୧ରେ, ଚିଲିକୁ ୬-୦ରେ, ନ୍ୟୁଜିଲାଣ୍ଡକୁ ୩-୧ରେ ପରାସ୍ତ କରିବା ପରେ କ୍ବାର୍ଟର ଫାଇନାଲ୍‌ରେ ଶକ୍ତିଶାଳୀ ବ୍ରାଜିଲକୁ ୨-୦ରେ ମାତ୍ ଦେଇଥିଲା। ଆମେରିକା ପରେ ଦ୍ବିତୀୟ ଦେଶ ଭାବେ ହ୍ୟାଟ୍ରିକ୍ ବିଜୟ ପାଇ ଗ୍ରୁପ୍ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ସ୍ପେନ୍ ୧-୦ରେ କଲମ୍ବିଆଠୁ ଜିତିଥିଲେ ମଧ୍ୟ ମେକ୍ସିକୋ ନିକଟରୁ ୧-୨ରେ ହାରିଯାଇଥିଲା। ଚିଲିକୁ ୧-୦ରେ ହରାଇ ଯୋଗ୍ୟତା ଅର୍ଜନ କରିବା ପରେ କ୍ବାର୍ଟର ଫାଇନାଲରେ ପୂର୍ବତନ ବିଜେତା ଜାପାନକୁ ୨-୧ରେ ପରାସ୍ତ କରିଥିଲା। ଗତ ଥରର ବିଜେତା ସ୍ପେନ୍ ଲଗାତାର ଟ୍ରଫି ବିଜୟ ଦିଗରେ ଅଗ୍ରସର ହେବା ଆଶାରେ ରହିଛି।

ଜର୍ମାନି ଭଳି କଲମ୍ବିଆ ବି ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହିପାରିନଥିଲା। ସ୍ପେନ୍‌‌ଠୁ ୦-୧ରେ ପରାସ୍ତ ହେବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ୨-୦ରେ ଚିଲିକୁ, ୨-୧ରେ ମେକ୍ସିକୋକୁ ଏବଂ କ୍ବାର୍ଟର ଫାଇନାଲରେ ତାଞ୍ଜାନିଆକୁ ପରାସ୍ତ କରିଥିଲା। ଯୁବା ବିଶ୍ବକପ୍‌ରେ ନାଇଜେରିଆ କିନ୍ତୁ ଆଶ୍ଚର୍ଯ୍ୟ ସୃଷ୍ଟି କରି ଆଗକୁ ବଢ଼ିଛି। ସେମିଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ ‌ସ୍ପେନ୍ ଭଳି ପରାଜୟରୁ ଭାରତ-୨୦୨୨ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ୍‌କୁ ୪-୦ରେ ଏବଂ ଚିଲିକୁ ୨-୧ରେ ହରାଇ କ୍ବାର୍ଟର ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଥିଲା। ଏକମାତ୍ର ପେନାଲ୍ଟି ସୁଟ୍‌ ଆଉଟ୍ ମ୍ୟାଚ୍‌ରେ ଚଳିତ ସଂସ୍କରଣର ହଟ୍ ‌‌ଫେଭରିଟ ଆମେରିକାକୁ ୪-୩ (୧-୧)ରେ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିବା ସହ ନିଜ ପାଇଁ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ସ୍ପେନ୍ ବ୍ୟତୀତ ଅନ୍ୟ ଯେଉଁ ଦେଶ ବୁଧବାର ସେମିଫାଇନାଲ୍ ଜିତିବ ସେ ହିଁ ପ୍ରଥମ ଥର ଫାଇନାଲ୍ ଖେଳିବାର ସୌଭାଗ୍ୟ ପାଇବ।

ସମ୍ବନ୍ଧିତ ଖବର