ଲଣ୍ଡନ: ଆମେରିକାର ଟେଲର ଫ୍ରିଜ୍ ପ୍ରଥମ ଥର ଲାଗି ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପୁରୁଷ ଏକକ କ୍ବାର୍ଟରଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଫ୍ରିଜ୍ ୬-୩, ୬-୪, ୧-୬, ୭-୬ ସେଟ୍ରେ ସପ୍ତଦଶ ମାନ୍ୟତାପ୍ରାପ୍ତ ରୁଷିଆର କାରେନ ଖାଚାନୋଭଙ୍କୁ ମାତ୍ ଦେଇଛନ୍ତି। ଏଥିସହ ୟୁଏସ୍ ଓପନ୍ ଫାଇନାଲିଷ୍ଟ୍ ଫ୍ରିଜ୍ ୨୦୧୮ (ଜନ୍ ଇଜ୍ନର) ପରେ ପ୍ରଥମ ଆମେରିକୀୟ ପୁରୁଷ ଖେଳାଳି ଭାବେ ଗ୍ରାସ୍କୋର୍ଟ ସ୍ଲାମ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ସେ ମଧ୍ୟ ଫ୍ରାନ୍ସେସ୍ ଟିଆଫୋ ଓ ବେନ୍ ସେଲଟନ୍ଙ୍କ ପରେ ତୃତୀୟ ଆମେରିକା ପୁରୁଷ ଖେଳାଳି ଭାବେ ଅନେକ ବାର ଗ୍ରାଣ୍ଡସ୍ଲାମ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ଆମେରିକୀୟ ପୁରୁଷ ଭାବେ ମଧ୍ୟ ନନ୍-ହାର୍ଡକୋର୍ଟ ଗ୍ରାଣ୍ଡ ସ୍ଲାମ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି।
ମହିଳା ଏକକ ସେମିଫାଇନାଲ୍ରେ ବିଶ୍ବର ଏକ ନମ୍ବର ଆରିନା ସାବାଲେଙ୍କା ତୃତୀୟ ଥର ଲାଗି ପ୍ରବେଶ କରିଛନ୍ତି। ମଙ୍ଗଳବାର କ୍ବାର୍ଟରଫାଇନାଲ୍ରେ ୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ତଥା ଫ୍ରେଞ୍ଚ ଓପନ୍ ଫାଇନାଲିଷ୍ଟ୍ ସାବାଲେଙ୍କା ୪-୬, ୬-୨, ୬-୪ ସେଟ୍ରେ ଜର୍ମାନୀର ଲୌରା ସିଗମୁଣ୍ଡଙ୍କୁ ପରାସ୍ତ କରିଥିଲେ। ଏହି ବେଲାରୁଷ ମହିଳା ପ୍ରଥମ ସେଟ୍ ହାରିବା ପରେ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ସେଟ୍ ଜିତି ପ୍ରଥମ ୱିମ୍ବଲଡନ୍ ଟ୍ରଫି ବିଜୟ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି।