ସେଣ୍ଟପିଟର୍ସବର୍ଗ: ଚଳିତ ଫିଫା ଫୁଟ୍ବଲ୍ ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ-ବେଲଜିୟମ ମୁହାଁମୁହିଁ ହେବେ। ସେଣ୍ଟପିଟର୍ସ ବର୍ଗ ଷ୍ଟାଡିୟମରେ ଆସନ୍ତାକାଲି ଆର୍ଜେଣ୍ଟିନା ବିପକ୍ଷରେ ପ୍ରତି ଆକ୍ରମଣ ଏବଂ ଉରୁଗୁଏ ବିପକ୍ଷରେ ଦଳଗତ ଖେଳ ଖେଳି ପ୍ରଶଂସାର ପାତ୍ର ହୋଇଥିବା ଫ୍ରାନ୍ସ ପ୍ରତିଯୋଗିତାର ସବୁଠାରୁ ପ୍ରଭାବଶାଳୀ ଦଳ ବେଲଜିୟମର ମୁକାବିଲା କରିବ। ବିଜୟୀ ଦଳ ଫାଇନାଲ୍ ଖେଳିବ। ବିଶ୍ୱ ମୁକୁଟ ଲଢ଼େଇ ପାଇଁ ଟିକେଟ ହାସଲ କରିବ। ପରାଜିତ ଦଳ କିନ୍ତୁ ଏହି ଦୌଡ଼ରୁ ବାଦ୍ ପଡ଼ି ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ କରିବ। ବେଲଜିୟମ ୩୨ ବର୍ଷର ଲମ୍ବା ପ୍ରତିକ୍ଷା ପରେ ବିଶ୍ୱକପର ସେମିଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଫ୍ରାନ୍ସ ୧୯୯୮ ସଫଳତାକୁ ଦୋହରାଇବାକୁ ଚେଷ୍ଟା କରିବ। ବେଲଜିୟମର ଲାଲ ବାହିନୀ ଲଗାତାର ଦୁଇଟି ହଳଦିଆ କାର୍ଡ ପାଇଥିବା ଥୋମାସ ମୁନିଅରଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ହେଲେ ବ୍ଲାଇସ୍ ମାତୁଇଦିଙ୍କ ପ୍ରତ୍ୟାବର୍ତନ ଫ୍ରାନ୍ସର ଶକ୍ତି ବଢ଼ାଇବ। ଇଡେନ୍ ହାଜାର୍ଡ ବେଲଜିୟମର ସବୁଠାରୁ ବଡ଼ ଅସ୍ତ୍ର। ଫ୍ରାନ୍ସ ଏନ୍ଗୋଲୋ କାଣ୍ଟେଙ୍କ ରୂପରେ ଏହାର ଜବାବ ଦେବ। ଏହି ଦୁଇ ଚେଲସି ସାଥୀଙ୍କ ଲଢ଼େଇ ବେଶ୍ ରୋମାଞ୍ଚକର ହେବ। ବେଲଜିୟମ ପ୍ରଶିକ୍ଷକ ରୋବେର୍ଟୋ ମାର୍ଟିନେଜ୍ ଫ୍ରାନ୍ସ ବିପକ୍ଷ ଏହି ମହତ୍ୱପୂର୍ଣ୍ଣ ମୁକାବିଲାରେ ୪-୪-୨-୧ ନୀତିକୁ ଫେରି ପାରନ୍ତି। ଏହା ହେଲେ ନାସେର ଚାଡିଲ ଦକ୍ଷିଣଭାଗ ଏବଂ ୟାନିକ କାରାସ୍କୋ ବାମପଟ ସମ୍ଭାଳିବେ। ଫ୍ରାନ୍ସ ପ୍ରଶିକ୍ଷକ ଦିଦିଏର ଚେଶ୍ଚାମ୍ପ୍ସ ଉରୁଗୁଏ ବିପକ୍ଷରେ ଅପଣାଇ ଥିବା କୌଶଳର ପୁନରାବୃତି କରି ପାରନ୍ତି। ଫ୍ରାନ୍ସ ଦଳର ପୂର୍ବତନ ଖେଳାଳି ଥିଏରି ହେନରି ବେଲଜିୟମ ପ୍ରଶିକ୍ଷକ ମଣ୍ଡଳିର ଅନ୍ୟତମ ସଦସ୍ୟ ହୋଇଥିବାରୁ ମଙ୍ଗଳବାର ତାଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଖେଳିଥିବା ପାଞ୍ଚଟି ମୁକାବିଲାରେ ବେଲଜିୟମ ୧୪ ଗୋଲ୍ ଦେଇଥିଲା ବେଳେ ମାତ୍ର ୫ ଗୋଲ୍ ବରଣ କରିଛି। ଅନ୍ୟପକ୍ଷରେ ଫ୍ରାନ୍ସ ୯ ଗୋଲ୍ ଦେଇଥିଲା ବେଳେ ୪ ଗୋଲ୍ ଖାଇଛି। ବେଲଜିୟମ ଶେଷ ଥର ପାଇଁ ୧୯୮୬ରେ ବିଶ୍ୱକପର ସେମିଫାଇନାଲ୍ ଖେଳିଥିଲା। ଫ୍ରାନ୍ସ ୨୦୦୬ ମସିହା ପରେ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଲାଗି ଯୋଗ୍ୟତା ଅର୍ଜନ କରିଛି। ବ୍ରାଜିଲ ବିଦାୟ ପରେ କିନ୍ତୁ ଫ୍ରାନ୍ସ ବିଶ୍ୱକପର ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛି।
ସେମି ସମର: ଫ୍ରାନ୍ସଆଗରେ ବେଲ୍ଜିୟମ୍
/sambad/media/post_attachments/wp-content/uploads/2018/07/france.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)