ସେମିଫାଇନାଲ୍‌ ଓ ଫାଇନାଲ୍‌: ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌ ଆଉ ୭୩ ଦିନ ଥିବାବେଳେ ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ର ଅନ୍‌ ଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ବିଶ୍ୱ ହକିର ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍‌) ଏବଂ ହକି ଇଣ୍ଡିଆ ଶୁକ୍ରବାର ଅନ୍‌ ଲାଇନ୍‌ ଟିକେଟ୍‌ ବିକ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି। ପୁଲ୍‌ ମ୍ୟାଚ୍‌ଗୁଡ଼ିକର ସାଧାରଣ ଟିକେଟ୍‌ ଗତ ମେ’ ମାସରୁ ବିିକ୍ରି ହୋଇଥିବା ବେଳେ ଏହା ପ୍ରାୟ ଶେଷ ହୋଇଛି। ସାଧାରଣ ଟିକେଟ୍‌ଗୁଡ଼ିକର ମୂଲ୍ୟ ୨୦୦ (ପୂର୍ବଷ୍ଟାଣ୍ଡ୍‌) ଏବଂ ୧୦୦ ଟଙ୍କା (ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌) ରଖାଯାଇଥିଲା। ଏବେ ନକ୍‌ ଆଉଟ୍‌ ମ୍ୟାଚ୍‌ ୪ଟିର ଟିକେଟ୍‌କୁ ଅନ୍‌ଲାଇନ୍‌ରେ ବିକ୍ରି କରାଯାଉଛି। ଏଥିରେ ସେମିଫାଇନାଲ୍‌, ଫାଇନାଲ୍‌ ଏବଂ ତୃତୀୟ/ଚତୁର୍ଥ ସ୍ଥାନ ପ୍ଲେ ଅଫ୍‌ ସାମିଲ ରହିଛି। ନକ୍‌ ଆଉଟ୍‌ ପର୍ଯ୍ୟାୟ ପାଇଁ ଟିକେଟ୍‌ଗୁଡ଼ିକର ମୂଲ୍ୟ ୨୫୦ (ପୂର୍ବଷ୍ଟାଣ୍ଡ୍‌) ଏବଂ ୧୫୦ ଟଙ୍କା (ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍‌) ରଖାଯାଇଛି। ଆଗ୍ରହୀ ପ୍ରଶଂସକମାନେ http://in.ticketgenie.in/buytickets/hockey-world-cup-2018 ରେ ଏହା ପାଇପାରିବେ। ପ୍ରଶଂସକମାନଙ୍କୁ ସେମାନଙ୍କ ବଂଧୁ ଓ ପରିବାର ସହ ହକି ବଶ୍ୱକପ୍‌ର ମଜା ନେବା ଲାଗି ଆମେ ଯଥେଷ୍ଟ ଆଗରୁ ଆସନ ସଂରକ୍ଷଣ ଲାଗି ସୁଯୋଗ ଦେଇଛୁ ବୋଲି ହକି ଇଣ୍ଡିଆର ସଭାପତି ରାଜିନ୍ଦର ସିଂହ କହିଛନ୍ତି। ୧୯ ଦିନିଆ ଏହି ବିଶ୍ୱକପ୍‌ରେ ଭାରତ ସହିତ ୧୬ ଦେଶ ଭାଗନେବେ।

ଦେଶବ୍ୟାପୀ ହେବ ରୋଡ୍‌ ସୋ’
ଭୁବନେଶ୍ୱର: ଓଡ଼ିଶା ହକି ବିଶ୍ୱକପ୍‌କୁ ନେଇ ଦେଶବ୍ୟାପୀ ଆଗ୍ରହ ଓ ଉତ୍ସାହ ଦେଖା ଦେଇଥିବାବେଳେ ଓଡ଼ିଶା ସରକାର କୌଣସି ସୁଯୋଗ ହାତଛଡ଼ା କରିବା ସ୍ଥିତିରେ ନାହାନ୍ତି। ବିଶ୍ୱକପ୍‌ ସହିତ ଓଡ଼ିଶା ପର୍ଯ୍ୟଟନର ପ୍ରସାର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୩୬୦ ଡିଗ୍ରିର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଦେଶର ୬ ମେଟ୍ରୋପଲିଟାନ୍‌ ନଗରୀ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍‌କାତା, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ସହିତ ମୋଟ ୧୭ ସହରରେ ରୋଡ୍‌ ସୋ କରିବେ ବୋଲି ସୂଚନା ମିଳିଛି। କ୍ରୀଡ଼ା ପର୍ଯ୍ୟଟନକୁ ପ୍ରସାରିତ କରିବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ଅଭିନବ ପୟାସ କରାଯାଇଛି। ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ସରକାର ଯୋଜନା କରିଛନ୍ତି। ଦେଶରେ ହକିର ଲୋକପ୍ରିୟତା ବିକାଶରେ ସହଯୋଗ କରିଛି। ଏହା କେବଳ ପ୍ରଶଂସକଙ୍କ ବ୍ୟାପକତା ବଢ଼ାଇ ନାହିଁ ବରଂ ଦେଶର ସବୁଠୁ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଖେଳର ପ୍ରତିଷ୍ଠା ଆଣିଛି। ରୋଡ୍‌ ସୋ ଜରିଆରେ ସ୍ପୋର୍ଟସ ବ୍ରାଣ୍ଡ୍‌ ଓ ଓଡ଼ିଶା ପର୍ଯ୍ୟଟନକୁ ପ୍ରଶଂସକଙ୍କ ମଧ୍ୟରେ ଗ୍ରହଣୀୟତା କରିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ।

ସମ୍ବନ୍ଧିତ ଖବର