ମାଞ୍ଚେଷ୍ଟର: ମାଞ୍ଚେଷ୍ଟରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ପ୍ରଥମ ସେମିଫାଇନାଲ୍ ମୁକାବିଲା ବର୍ଷା ଯୋଗୁଁ ଆଜି ଅଧାରୁ ଅଟକିଛି। ଫଳରେ ପୂର୍ବ ନିର୍ଧାରିତ ସୂଚୀ ମୁତାବକ ଏହି ମ୍ୟାଚ୍ ସଂରକ୍ଷିତ ଦିବସକୁ ଯାଇଛି। ମଙ୍ଗଳବାର ଖେଳ ଯେଉଁଠି ଅଟକିଛି, ବୁଧବାର ପୁଣି ଥରେ ସେହିଠାରୁ ଆରମ୍ଭ ହେବ। ବୁଧବାର ଖେଳ ବର୍ଷା ଦ୍ବାରା ପ୍ରଭାବିତ ହେଲେ ଡକୱର୍ଥ/ଲୁଇସ୍ ନିୟମର ଉପଯୋଗ କରାଯିବ। ପୂରା ଦିନ ଖେଳ ନହୋଇ ପାରିଲେ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଥିବାରୁ ଭାରତ ଫାଇନାଲ୍ରେ ପ୍ରବେଶ କରିବ।
ମଙ୍ଗଳବାର ମ୍ୟାଚ୍ ନିର୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ହେଲେ ନ୍ୟୁଜିଲାଣ୍ଡ ପାଳିର ଶେଷ ଭାଗରେ ବର୍ଷା ଲୁଚକାଳି ଖେଳିବା ଆରମ୍ଭ କରି ଦେଇଥିଲା। ଖେଳାଳିମାନେ ୪୬.୧ ଓଭରରେ ପଡ଼ିଆ ଛାଡ଼ିବା ପରେ ମଝିରେ ମଝିରେ ଅଟକି ପୁଣି ଥରେ ଆରମ୍ଭ ହୋଇଥିଲା। ଅମ୍ପାୟାର ପଡ଼ିଆ ନିରୀକ୍ଷଣ କରି ଏହାକୁ ଖେଳ ଉପଯୋଗୀ ନପାଇବା ପରେ ସ୍ଥାନୀୟ ସମୟ ସଂଧ୍ୟା ୬ଟା ୨୫ରେ ଖେଳକୁ ସ୍ଥଗିତ କରି ଦିଆଯାଇଛି।
ଆଜି ଖେଳ ବନ୍ଦ ବେଳକୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ୍ ବିନିମୟରେ ୨୧୧ ରନ୍ କରିଥିଲା। ଆସନ୍ତାକାଲି ସକାଳ ସାଢ଼େ ୧୦ଟାରୁ ଖେଳ ଆରମ୍ଭ ହୋଇ ନ୍ୟୁଜିଲାଣ୍ଡ ପାଳିର ୨୩ ବଲ୍ ପଡ଼ିବା ପରେ ଭାରତ ପାଳି ଆରମ୍ଭ ହେବ। ତେବେ ସବୁ କିଛି ବର୍ଷା ଉପରେ ନିର୍ଭରଶୀଳ ରହିବ। ଚିନ୍ତାର ବିଷୟ ହେଉଛି, ମାଞ୍ଚେଷ୍ଟରରେ ମଙ୍ଗଳବାର ଭଳି ବୁଧବାର ମଧ୍ୟ ବର୍ଷା ହେବାର ପୂର୍ବାନୁମାନ ରହିଛି। ସଂଯୋଗବଶତଃ ଭାରତ-ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚ୍ ଲଗାଣ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ସେତେବେଳେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ବାଣ୍ଟିଥିଲେ।