ସେନେଗାଲ୍‌-୨, ଜାପାନ-୨

ଏକତେରିନବର୍ଗ: ମସ୍କୋ ଫିଫା ବିଶ୍ୱକପ୍‌ର ଗ୍ରୁପ୍‌-ଏଚ୍‌ ମ୍ୟାଚ୍‌ରେ ଦୁଇ ଥର ପଛୁଆ ରହିବା ପରେ ମଧ୍ୟ ଏସୀୟ ମହାଶକ୍ତି ଜାପାନ ଆଫ୍ରିକୀୟ ଦଳ ସେନେଗାଲ୍‌ଠାରୁ ପଏଣ୍ଟ ଛଡ଼ାଇ ଆଣିଛି। ଉଭୟ ଦଳ ଦୁଇଟି ଲେଖାଏଁ ଗୋଲ୍‌ ଦେବା ପରେ ରବିବାର ରାତିର ଏହି ମ୍ୟାଚ୍‌ ଅମୀମାଂସିତ ରହିଛି। ଫଳରେ ଜାପାନ ଓ ସେନେଗାଲ୍‌ ନିଜ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ସଂପ୍ରତି ଦୁଇଟି ଯାକ ଦଳ ଗୋଟିଏ ବିଜୟ ଏବଂ ଗୋଟିଏ ଡ୍ର’ ସହ ପ୍ରତ୍ୟେକ ୪ ପଏଣ୍ଟରେ ଅଛନ୍ତି। ହେଲେ ଗୋଲ୍‌ ବ୍ୟବଧାନରେ ଆଗୁଆ ରହି ଜାପାନ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଆଜିର ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସେନେଗାଲ୍‌ ପାଇଁ ସାଦିଓ ମାନେ (୧୧) ଓ ମୁସା ଓ୍ଵାଗେ (୭୧) ଗୋଲ୍‌ କରିଥିଲେ। ଦୁଇ ଥର ପଛୁଆ ଥିବା ଜାପାନ ପକ୍ଷରୁ ତାକାସି ଇନୁଇ (୩୪) ଏବଂ କିସୁକେ ହଣ୍ଡା (୭୮) ଏହି ଦୁଇ ଗୋଲ୍‌କୁ ଶୁଝି ଦେଇଥିଲେ। ଜାପାନ ତା’ର ପ୍ରଥମ ମ୍ୟାଚ୍‌ରେ କଲମ୍ବିଆକୁ ୨-୧ ଏବଂ ସେନେଗାଲ୍‌ ସେହି ୨-୧ରେ ପୋଲାଣ୍ଡକୁ ପରାସ୍ତ କରିଥିଲା।

ରବିବାର ରାତିର ଏହି ମ୍ୟାଚ୍‌ରେ ଉଭୟ ଦଳ ଅଲଗା ଅଲଗା ଶୈଳୀରେ ଖେଳିଥିଲେ। ତଥାପି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ସେନେଗାଲ ଗୋଲ୍‌ ଖାତା ଖୋଲି ଥିଲା। ହେଲେ ଜାପାନ ପଛରୁ ଆସି ଦୁଇ ଥର ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲା। ଏକାଦଶ ମିନିଟ୍‌ରେ ୟୁସୁଫ ସବାଲେଙ୍କ ସଟ୍‌କୁ ଜାପାନ ଗୋଲ୍‌ ରକ୍ଷକ ଏଜି କାଓ୍ଵାସାମା ସଫଳତାର ସହ ବାହାରକୁ ପଠାଇ ଦେଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ତାଙ୍କ କ୍ଲିଅରାନ୍ସ ସେନେଗାଲର ସାଦିଓ ମାନେଙ୍କ ଗୋଡ଼ରୁ ପ୍ରତିଫଳିତ ହୋଇ ପୁନର୍ବାର ଗୋଲ୍‌ ପୋଷ୍ଟ ଭିତରକୁ ଚାଲି ଯାଇଥିଲା। ସେନେଗାଲ ସେହିଠାରେ ଅଗୁଆ ହୋଇ ଯାଇଥିଲା। ତେବେ ୨୫ ମିନିଟ୍‌ ପରେ ଜାପାନୀ ଅଗ୍ରଭାଗ ଖେଳାଳି ତାକାସି ଇନୁଇ ୧୫ ଗଜ ଦୂରରୁ ଗୋଲ୍‌ କରି ସ୍ଥିତି ୧-୧ କରି ନେଇଥିଲେ। ପ୍ରଥମାର୍ଧ ଶେଷ ସୁଦ୍ଧା ଏହି ସ୍ଥିତି ଅପରିବର୍ତିତ ରହିଥିଲା। ଦ୍ୱିତୀୟାର୍ଧରେ ସେନେଗାଲ୍‌ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ଏଥର ମୁସା ଓ୍ଵାଗେ ଏହି ଆଫ୍ରିକୀୟ ଦଳ ପାଇଁ ଗୋଲ୍‌ ସଫଳତା ସାଉଣ୍ଟିଥିଲେ। ୧୯ ବର୍ଷୀୟ ଓ୍ଵାଗେ କୋଣରୁ ମାରିଥିବା ସଟ୍‌କୁ କାଓ୍ଵାସାମା ରୋକିବା ପୂର୍ବରୁ ଏହା ଗୋଲ୍‌ ଲାଇନ୍‌ ପାର ହୋଇ ଯାଇଥିଲା। ଜାପାନ କିନ୍ତୁ ଆତ୍ମ ବିଶ୍ୱାସ ନହରାଇ ଆକ୍ରମଣ ଜାରି ରଖିଥିଲା। ଏହି ଏସୀୟ ଶକ୍ତିର ଅଭିଜ୍ଞ ତାରକା କିସୁକେ ହଣ୍ଡା ଏକ ଦର୍ଶନୀୟ ଗୋଲ୍‌ ଦେଇ ସ୍ଥିତି ପୁଣି ସମାନ ସ୍ତରକୁ (୨-୨) କରି ନେଇଥିଲେ। ଖେଳ ଶେଷ ପର୍ଯ୍ୟନ୍ତ ଏହି ସ୍କୋର ଲାଇନ୍‌ ଅପରିବର୍ତିତ ରହିଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର