ଡିଓପଙ୍କୁ ମନେପକାଇଲା ସେନେଗାଲ

ଦୋହା: ଇକ୍ବେଡରକୁ ହରାଇ ଚଳିତ ଫିଫା ବିଶ୍ବକପ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଥିବା ସେନେଗାଲ ପୂର୍ବତନ ଖେଳାଳି ପାପା ବୌପା ଡିଓପଙ୍କୁ ମନେପକାଇଛି। ୨୦୦୨ ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ଦଳ‌କୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିବା ଡିଓପ ୨ ବର୍ଷ ତଳେ ୪୨ ବର୍ଷ ବୟସରେ ‌ମୃତ୍ୟୁ ବରଣ କରିଥିଲେ। ୨୦୦୨ ବିଶ୍ବକପ୍‌ରେ ଡିଓପଙ୍କ ଗୋଲ୍‌ରେ ସେନେଗାଲ ୧-୦‌ ଗୋଲ୍‌ରେ ଫ୍ରାନ୍ସକୁ ହରାଇଥିଲା ବେଳେ ଉରୁଗୁଏ ବିପକ୍ଷରେ ତାଙ୍କ ଯୁଗଳ ଗୋଲ୍‌ ବଳରେ ମ୍ୟାଚ୍‌ ୩-୩ରେ ଅମୀମାଂସିତ ରହିଥିଲା। କାତାର ବିଶ୍ବକପ୍‌ର ଏହି ମ୍ୟାଚ୍‌ରେ ସେନେଗାଲ ଅଧିନାୟକ କାଲିଡ଼ୌ କୌଲିବାଲି ବାହୁରେ ଡିଓପଙ୍କ ନମ୍ବର ୧୯ର ଏକ ପଟି ବାନ୍ଧି ଖେଳିଥିଲେ।

ଏଥିସହ ସେନେଗାଲ ସମର୍ଥକ ଡିଓପଙ୍କ ଫଟୋ ପୋଷ୍ଟର ଧରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ୧-୧ ଗୋଲ୍‌ରେ ମ୍ୟାଚ୍‌ ସମାନସ୍ତରରେ ଥିଲା ବେଳେ ୭୦ତମ ମିନିଟ୍‌ରେ କୌଲିବାଲିଙ୍କ ଗୋଲ୍‌ରେ ସେନେଗାଲ ବିଜୟୀ ହୋଇଥିଲା। ଏହି ବିଜୟ ସୂଚକ ଗୋଲ୍‌ ପାଇଁ କୌଲିବାଲି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ନିଜର ଏହି ପୁରସ୍କାର ସହ ବିଜୟକୁ ଡିଓପିଙ୍କ ଉଦେଶ୍ୟରେ ସମର୍ପଣ କରିଥିଲେ ସେନେଗାଲ ଅଧିନାୟକ। ‘‘ଏହି ବିଜୟ ଓ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଟ୍ରଫି ଡିଓପଙ୍କ ପରିବାର ପାଇଁ, ଏହା ଏକ ସ୍ବତନ୍ତ୍ର ଦିନ। ଏହା ମଧ୍ୟ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଥିଲା’’ ବୋଲି ବିଜୟ ପରେ ଭାବପ୍ରବଣ କୁଲିବାଲି କହିଥିଲେ।

ସମ୍ବନ୍ଧିତ ଖବର