ଫିଫା ବିଶ୍ବକପ୍‌ରେ ସେନେଗାଲ୍‌ର ପ୍ରଥମ ବିଜୟ

ଗୋଲ୍‌ ଖାତା ଖୋଲିବା ସତ୍ତ୍ବେ କାତାର ୧-୩ରେ ପରାସ୍ତ

ଦୋହା : ଶୁକ୍ରବାର ଆୟୋଜକ କାତାରକୁ ୩-୧ ଗୋଲ୍‌ରେ ପରାସ୍ତ କରି ସେନେଗାଲ ଚଳିତ ଫିଫା ବିଶ୍ବକପ୍‌ରେ ନିଜର ପ୍ରଥମ ବିଜୟ ହାସଲ କରିଛି। ଗ୍ରୁପ୍‌-ଏ’ରେ ଉଭୟ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ ଖେଳିଥିଲେ। ସେନେଗାଲ ପ୍ରଥମ ବିଜୟ ହାସଲ କରିଥିଲା ବେଳେ କାତାର କିନ୍ତୁ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି। ଅଲ୍‌ ଥୁମାମା ଷ୍ଟାଡିୟମ୍‌ରେ ଶୁକ୍ରବାରର ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ବୋଉଲାୟେ ଡିଆ (୪୧ତମ ମିନିଟ୍‌)ଙ୍କ ଗୋଲ୍‌ ବଳରେ ସେନେଗାଲ ଆଗୁଆ ରହିଥିଲା। ପ୍ରଥମାର୍ଦ୍ଧରେ ପଛରେ ପଡ଼ିଯାଇଥିବା କାତାର କିନ୍ତୁ ଦ୍ବିତୀୟାର୍ଦ୍ଧରେ ଉନ୍ନତ ପ୍ରଦର୍ଶନ କରିଥିଲା। ହେଲେ ୪୮ତମ ମିନିଟ୍‌ରେ ଫାମାରା ଡିଏଧିଉ ଗୋଟିଏ ଗୋଲ୍‌ ଦେଇ ସେନେଗାଲ୍‌କୁ ୨-୦ର ଅଗ୍ରଣୀ ଦେଇଥିଲେ। ଏହାପରେ ଉଭୟ ଦଳର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ପରବର୍ତୀ ୩୦ ମିନିଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା।

ଏପରିକି ଏହି ସମୟରେ କେହି କାହାରିକୁ ଗୋଲ୍‌ ଦେବାରେ ସମର୍ଥ ହୋଇନଥିଲେ। ତଥାପି ୬୫ ମିନିଟ୍‌ରେ କାତାର ପାଇଁ ଏକ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ଇସ୍‌ମାଇଲ ମହମ୍ମଦ। ହେଲେ ତାଙ୍କ ପ୍ରୟାସକୁ ସେନେଗାଲ୍‌ ଗୋଲ୍‌ରକ୍ଷକ ଏଡୁୱାର୍ଡ ‌ମେଣ୍ଡି ନିଷ୍ଫଳ କରିଦେଇଥିଲେ। ତଥାପି ଏହାର ୧୧ ମିନିଟ୍‌ ପରେ ଇସ୍‌ମାଇଲଙ୍କ ପାସ୍‌କୁ ବଦଳ ଖେଳାଳି ମହମ୍ମଦ ମୁନ୍‌ତାରୀ ହେଡର୍‌ ଜରିଆରେ ଦଳର ପ୍ରଥମ ଗୋଲ୍‌ ଦେବା ସହ ବ୍ୟବଧାନ ୧-୨ କରିଥିଲେ। ମାତ୍ର ଦ୍ବିତୀୟାର୍ଦ୍ଧର ୮୪ତମ ମିନିଟ୍‌ରେ ବାମ୍ବା ଡିଙ୍ଗ୍‌ଙ୍କ ଗୋଲ୍‌ ସେନେଗାଲକୁ ନିଶ୍ଚିତ ବିଜୟ ଆଡ଼କୁ ଆଗେଇ ନେଇଥିଲା। ଶେଷରେ ଅବଶିଷ୍ଟ ସମୟରେ ଆଉ ଗୋଲ୍‌ ନହେବାରୁ ସେନେଗାଲ ୩-୧ରେ ମ୍ୟାଚ୍‌ ଜିତିବା ସହ ପୂରା ୩ ପଏଣ୍ଟ୍‌ ପକେଟସ୍ଥ କରିଥିଲା। ଚଳିତ ବିଶ୍ବକପ୍‌ରେ ପଦାର୍ପଣ କରିଥିବା କାତାର ଏହି ମ୍ୟାଚ୍‌ ଜରିଆରେ ବିଶ୍ବକପ୍‌ରେ ପ୍ରଥମ ଗୋଲ୍‌ କରିବାର ସୌଭାଗ୍ୟ ପାଇଥିଲା ବେଳେ ସେନେଗାଲ ଅନ୍ୟପକ୍ଷରେ ଚଳିତ ବିଶ୍ବକପ୍‌ରେ ଗୋଲ୍‌ ଖାତା ଖୋଲିଥିଲା। କାତାର ଏହା ପୂର୍ବ ମ୍ୟାଚ୍‌ରେ ଇକ୍ବେଡ଼ରଠୁ ୦-୨ ଗୋଲ୍‌ରେ ଏବଂ ଏବଂ ସେନେଗାଲ ସମାନ ୦-୨ରେ ନେଦରଲାଣ୍ଡ୍‌ସ ନିକଟରୁ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର