ଭାରତର ଦୃଢ଼ ନିଷ୍ପତ୍ତି ପଛରେ ବରିଷ୍ଠ ଖେଳାଳି: ଫଳାଫଳ ନିର୍ଧାରଣ ଲାଗି ଆଇସିସିକୁ ଇସିବିର ପ୍ରସ୍ତାବ

ମାଞ୍ଚେଷ୍ଟର୍‌: କୋଭିଡ୍ ସଂକ୍ରମଣ ଭୟରେ ଭାରତୀୟ କ୍ରିକେଟ୍‌ ଦଳ ଓଲ୍ଟ ଟ୍ରାଫୋର୍ଡ ଟେଷ୍ଟ୍‌ ଖେଳିବାକୁ ମନା କରିଦେବାର ଦୃଢ଼ ନିଷ୍ପତ୍ତି ପଛରେ ଦଳର ଦୁଇ ବରିଷ୍ଠ ଖେଳାଳିଙ୍କ ପ୍ରଛନ୍ନ ହାତ ରହିଥିଲା। ଅଧିନାୟକ ବିରାଟ କୋହଲି ଏବଂ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା‌ ଏହି ନିଷ୍ପତ୍ତିର ନେତୃତ୍ବ ନେଇଥିଲେ। ବିଶେଷ କରି ମ୍ୟାଚ୍‌ ପୂର୍ବଦିନ ଭାରତୀୟ ଦଳର ସହକାରୀ ଫିଜିଓ ଯୋଗେଶ ପାର୍ମର କୋଭିଡ୍‌ ପଜିଟିଭ୍ ବାହାରିବାରୁ ଦଳ ଭିତରେ ଛାନିଆ ପଶିଯାଇଥିଲା। ଏହାର ପୂର୍ବ ଦୁଇ ଦିନ ଭିତରେ ସେ ଦଳର ପ୍ରାୟ ୮ ଜଣଙ୍କୁ ସେ ପ୍ରତ୍ୟକ୍ଷ ଭାବେ ଚିକିତ୍ସା କରିଥିଲେ। ଓଲ୍ଡ ଟ୍ର‌ାଫୋର୍ଡ ଟେଷ୍ଟର ପୂର୍ବଦିନ ଭାରତୀୟ ଖେଳାଳିମାନଙ୍କ ଆରଟି-ପିସିଆର୍‌ ରିପୋର୍ଟ ନେଭେଟିଭ୍ ଆସିଥିଲେ ମଧ୍ୟ ପରବର୍ତୀ ଦିନମାନଙ୍କରେ ଏହା ପଜିଟିଭ୍ ଆସିବାର ଆଶଙ୍କା ରଖୁଥିଲା। ଏଭଳି କ୍ଷେତ୍ରରେ ଭାରତୀୟ ଖେଳାଳିମାନଙ୍କୁ ସଙ୍ଗରୋଧରେ ରହିବା ସହ ଆଇପିଏଲ୍‌ରେ ଅଂଶଗ୍ରହଣ ବିପଦରେ ପଡ଼ିଥା’ନ୍ତା। ସେହି ଦୃଷ୍ଟିରୁ ଭାରତୀୟ ଖେଳାଳିମା‌ନେ ଇସିବି ଚାପ ଆଗରେ ମୁଣ୍ଡ ନନୁଆଁଇ ନ ଖେଳିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏହି ଟେଷ୍ଟକୁ ପୁନଃର୍ନିର୍ଧାରିତ କରିବାକୁ ପ୍ରସ୍ତାବ ରହିଛି। ଭାରତ ଆସନ୍ତାବର୍ଷ ଜୁଲାଇ ମାସରେ ଇଂଲଣ୍ଡ ଗସ୍ତ ବେଳେ ଏହା ଖେଳାଯିବାର ସମ୍ଭାବନା ରହିଛି। ତଥାପି ପରବର୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଶୃଙ୍ଖଳା ଭାରତ ସପକ୍ଷରେ ୨-୧ରେ ରହିଛି। ଇସିବି ଏବଂ ବିସିସିଆଇ ଏହି ଟେଷ୍ଟ୍‌କୁ ନେଇ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚି ନପାରିଲେ ଆଇସିସି ହସ୍ତକ୍ଷେପ ଓ ଆଇନଗତ ଦିଗକୁ ବିଚାରକୁ ନିଆଯିବାର ସମ୍ଭାବନା ରହିଛି।

ମାଞ୍ଚେଷ୍ଟର୍‌: ସ୍ଥଗିତ ରହିଥିବା ଭାରତ-ଇଂଲଣ୍ଡ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟ୍‌ ଓ ସମ୍ପୃକ୍ତ ଶୃଙ୍ଖଳାର ଭାଗ୍ୟ ନିର୍ଧାରଣ ପାଇଁ ବିଚାର ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିସିକୁ ଅନୁରୋଧ କରିଛି ଇସିବି। ସ୍ଥଗିତ ଟେଷ୍ଟ୍ ପରବର୍ତୀ ସମୟରେ‌ ଖେଳାଗଲେ ଏହାକୁ ସ୍ବତନ୍ତ୍ର ଧରାଯିବ ନା ଶୃଙ୍ଖଳାର ଅଂଶବିଶେଷ ହେବ ସେ ନେଇ ସ୍ପଷ୍ଟ ଚିତ୍ର ମାଗିଛି ଇସିବି। ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍ ହାରିସନ୍‌ ପୂର୍ବଦିନ କହିଥିଲେ ଏହା ସ୍ବତନ୍ତ୍ର ଟେଷ୍ଟ୍ ହେବ। ଫଳରେ ଶୃଙ୍ଖଳା ଏହିଠାରେ ଶେଷ ହୋଇଗଲା ବୋଲି ଧରାଯିବ। ଏଭଳି ‌କ୍ଷେତ୍ରରେ ଭାରତ ୨-୧ରେ ଜିତିବ ନା ଏହା ୨-୨ରେ ଅମୀମାଂସିତ ରହିବ ବିଚାର କରିବାକୁ ନିର୍ଧାରିତ କରିବାକୁ ଇସିବି ଆଗ୍ରହ ଦେଖାଇଛି। ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ପଏଣ୍ଟ୍‌ରେ ଏହା କିଭଳି ପ୍ରତିଫଳିତ ହେବ ଏବଂ ଶୃଙ୍ଖଳା ସ୍ଥିତି କିଭଳି ରହିବ ଜାଣିବାକୁ ଚାହିଁଛି ଇଂଲଣ୍ଡ। ଯଦି କୋଭିଡ୍‌ ନିୟମାବଳୀ ଅନୁସାରେ ସ୍ଥଗିତ ଟେଷ୍ଟକୁ ବାତିଲ ଭାବେ ଗ୍ରହଣୀୟ କରାଯିବ ତେବେ ଭାରତ ୨-୧ରେ ବିଜୟୀ ହେବ। ନହେଲେ ଭାରତ ଏହି ଟେଷ୍ଟରୁ ଓହରିଯିବା ପ୍ରମାଣିତ ହେଲେ ଶୃଙ୍ଖଳା ୨-୨ରେ ଶେଷ ହେବ। ଭାରତ-ଇଂଲଣ୍ଡ ନିଜ ମଧ୍ୟରେ ଏହାକୁ ସମାଧାନ କରିପାରିଲେ ହୁଏତ ଶୃଙ୍ଖଳା ୨-୨ରେ ଶେଷ ହେବା ବିପଦ ରହିଛି।

ସମ୍ବନ୍ଧିତ ଖବର