ଭୁବନେଶ୍ୱର: ଚଳିତ ବର୍ଷ ଜାତୀୟ ସିନିଅର ମହିଳା ହକି ଚାମ୍ପିଅନସିପ ବିଜେତା ଓଡ଼ିଶା ହକି ଦଳ ଆଜି ଭୁବନେଶ୍ବର ପହଞ୍ଚିଛନ୍ତି। ଓଡ଼ିଶା ଟିମ୍ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରେ ଖେଳାଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲରେ କର୍ଣ୍ଣାଟକକୁ ୨-୦ ଗୋଲ୍ରେ ହରାଇ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ ଅନେକ ଶକ୍ତିଶାଳୀ ଦଳ ଥିଲେ ଏବଂ ପ୍ରତ୍ୟେକ ମ୍ୟାଚରେ ଟିମ ଓଡିଶା ଦମଦାର ପ୍ରଦର୍ଶନ କରିଥିବା ଦଳର ଅଧିନାୟିକା ଅସ୍ମିତା ବାର୍ଲା କହିଛନ୍ତି। ଅନ୍ୟପକ୍ଷରେ କିଛି ସିନିଅର ଖେଳାଳି ଉପସ୍ଥିତ ରହି ପିଲାଙ୍କୁ ପ୍ରଶିକ୍ଷଣ କରିବା ଏବଂ ପିଲାମାନେ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ଫଳରେ ଏହି ଟୁର୍ନାମେଣ୍ଟ ଓଡିଶା ଜିତିଥିବା କହିଛନ୍ତି ଦଳର ସପୋର୍ଟ ଷ୍ଟାଫ ଲୁସିଲା ଏକ୍କା।
ମଧ୍ୟପ୍ରଦେଶର ଭୋପାଳରେ ଆୟୋଜିତ ଦ୍ବାଦଶତମ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍ରେ ଓଡ଼ିଶା ୨-୦ ଗୋଲ୍ରେ କର୍ଣ୍ଣାଟକକୁ ପରାସ୍ତ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ୪୪ ଡିଗ୍ରି ତାପମାତ୍ରର ଭୀଷଣ ଗରମ ଓ ଗୁଳୁଗୁଳି ଭିତରେ ଖେଳାଯାଇଥିବା ଏହି ଫାଇନାଲ୍ର ପ୍ରଥମ ଦୁଇ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃ୍ତୀୟ କ୍ବାର୍ଟରରେ ପୁନମ ବାର୍ଲା (୩୪ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶା ଆଗୁଆ ହୋଇଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଅସିମ କାଞ୍ଚନ ବାର୍ଲା (୫୯ ମିନିଟ୍) ଦ୍ବିତୀୟ ଗୋଲ୍ ସ୍କୋର୍ କରି ଓଡ଼ିଶାକୁ ବିଜୟ ଭେଟି ଦେଇଥିଲେ। ଓଡ଼ିଶା ମହିଳା ଦଳର ଏହା ପ୍ରଥମ ଜାତୀୟ ଟ୍ରଫି। ସେମିଫାଇନାଲ୍ରେ ଝାଡ଼ଖଣ୍ଡକୁ ଓ କ୍ବାର୍ଟର ଫାଇନାଲ୍ରେ ମଧ୍ୟପ୍ରଦେଶକୁ ହରାଇ ଓଡ଼ିଶା ଫାଇନାଲ୍ରେ ପହଞ୍ଚିଥିଲା।