ନୂଆଦିଲ୍ଲୀ: ୟୁଏଇ ଏବଂ ଓମାନରେ ମିଳିତ ଭାବେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ବକପ୍ ଆସନ୍ତା ୧୪ ତାରିଖରେ ଶେଷ ହେବ। ଏହାର ମାତ୍ର ୩ ଦିନ ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଦ୍ବିପାକ୍ଷିକ ଟି-୨୦ ଏବଂ ଟେଷ୍ଟ୍ ଶୃଙ୍ଖଳା ଭାରତରେ ହିଁ ଖେଳାଯିବ। ୧୭ ତାରିଖରେ ରାଜସ୍ଥାନର ଜୟପୁରରେ ପ୍ରଥମ ଟି-୨୦ ଖେଳି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଅଭିଯାନ ଆରମ୍ଭ କରିବ। ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାର ଦ୍ବିତୀୟ ଟି-୨୦ ରାଞ୍ଚିରେ ୧୯ ତାରିଖରେ ଏବଂ ୨୧ ତାରିଖରେ କୋଲ୍କାତାରେ ତୃତୀୟ ତଥା ଶେଷ ଟି-୨୦ ଖେଳାଯିବ। ଏହାପରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଆୟୋଜିତ ହେବ। ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ କାନପୁରରେ ପ୍ରଥମ ଟେଷ୍ଟ୍ ଏବଂ ଡିସେମ୍ବର ୩ରୁ ୭ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ଖେଳି ନ୍ୟୁଜିଲାଣ୍ଡ ଗସ୍ତ ଶେଷ କରିବ।
ଏହି ଘରୋଇ ଶୃଙ୍ଖଳା ପାଇଁ ଜାତୀୟ ମନୋନୟନ ସମିତି ଆସନ୍ତା ଦୁଇ ଦିନ ମଧ୍ୟରେ ବୈଠକ କରି ଭାରତୀୟ ଦଳ ବାଛିବାର ସମ୍ଭାବନା ରହିଛି। ବିଶେଷକରି ଚଳିତ ଟି-୨୦ ବିଶ୍ବକପ୍ ଅବସରରେ ବିରାଟ କୋହଲି ଟି-୨୦ ଫର୍ମାଟ୍ରୁ ଅଧିନାୟକ ଦାୟିତ୍ବ ଛାଡ଼ିଦେବେ ବୋଲି ଘୋଷଣା କରିସାରିଥିବାରୁ ଚେତନ ଶର୍ମାଙ୍କ ନେତୃତ୍ବାଧୀନ ସମିତି ପାଇଁ ଏହି ଅବସରରେ ନୂଆ ଟି-୨୦ ଅଧିନାୟକ ବାଛିବା ଆହ୍ବାନ ହେବ। ଯଦିଓ କୋହଲିଙ୍କ ଉତ୍ତରାଧିକାରୀ ଭାବେ ରୋହିତ ଶର୍ମାଙ୍କୁ ପ୍ରାଧାନ୍ୟ ଦିଆଯାଉଛି ତଥାପି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ବରିଷ୍ଠ ମାନଙ୍କୁ ବିଶ୍ରାମ ଦେବାପାଇଁ ସମିତି ନିଷ୍ପତ୍ତି ନେଇଛି। ଖେଳାଳିମାନେ ଗତ ଏପ୍ରିଲ ମାସରୁ ଆଇପିଏଲ୍, ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍, ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା, ପୁଣି ଆଇପିଏଲ୍ର ଦ୍ବିତୀୟ ତଥା ଶେଷ ଚରଣ ଏବଂ ଏବେ ଟି-୨୦ ବିଶ୍ବକପ୍ ଖେଳୁଥିବାରୁ କ୍ଲାନ୍ତ ହୋଇପଡ଼ିଲେଣି। ଏତେ ଲମ୍ବା ସମୟ ଧରି ମ୍ୟାଚ୍ ଖେଳିବା ଖେଳାଳିମାନଙ୍କ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଛି। ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାରେ ଅଧିକାଂଶ ବରିଷ୍ଠଙ୍କୁ ବିଶ୍ରାମ ଦେଇ ସେମାନଙ୍କ ଉପରୁ ବୋଝ ଲାଘବ ଲକ୍ଷ୍ୟରେ ରହିଛି ମନୋନୟନ ସମିତି। ପୁଣି କୋହଲି ଟି-୨୦ ନେତୃତ୍ବରୁ ଓହରି ଯାଇଥିଲା ବେଳେ ସୀମିତ ଓଭର ନେତୃତ୍ବ ଭାଗ ଭାଗ ହେବ ନା ଜଣଙ୍କୁ ଉଭୟ ଟି-୨୦ ଏବଂ ଦିନିକିଆ ଦଳର ନେତୃତ୍ବ ଅର୍ପଣ କରାଯିବ ସେ ନେଇ ବୈଠକରେ ଆଲୋଚନା ହେବ। ଏନେଇ ମନୋନୟନ ସମିତି ଅଧ୍ୟକ୍ଷ ଚେତନ ଶର୍ମା ଏବଂ ସଦସ୍ୟ ଅବୟ କୁରୁଭିଲ୍ଲା ଦୁବାଇରେ ରହିଛନ୍ତି। ସମିତିର ଅନ୍ୟ ସଦସ୍ୟମାନେ ଭାରତରେ ଅଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଖେଳାଳି ବଛାଯିବା ପରେ ସେମାନଙ୍କୁ ଆସନ୍ତା ୧୦ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ କୁହାଯିବ। କାରଣ ମ୍ୟାଚ୍ ଅଭ୍ୟାସ କରିବା ପୂର୍ବରୁ ସେମାନଙ୍କୁ ୫ ଦିନିଆ ସଂଗରୋଧରେ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ ଭାରତୀୟ ଦଳର ପରବର୍ତୀ ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇନାହିଁ। ଅବଶ୍ୟ ରାହୁଲ ଦ୍ରାବିଡ୍ ଏହି ପଦ ଗ୍ରହଣ କରିବା ସମ୍ଭାବନା ଅଧିକ ରହିଛି। ସେ ଏହି ପଦ ପାଇଁ ଆବେଦନ କରିସାରିଥିବାରୁ ଦଳ ସହ ଯୋଗ ଦେଇପାରନ୍ତି। ତଥାପି ନୂଆ ପ୍ରଶିକ୍ଷକ ମଣ୍ଡଳି ଆସନ୍ତା ୧୦ ତାରିଖ ସୁଦ୍ଧା ଚୂଡାନ୍ତ ହୋଇଯିବ ବୋଲି ଆଶା ରହିଛି।