ସେଫାଳି ପଦାର୍ପଣ ଶତକରୁ ବଞ୍ଚିତ: ଇଂଲଣ୍ଡ ମହିଳା ୩୯୬, ଭାରତର ଦୃଢ଼ ଜବାବ

ବ୍ରିଷ୍ଟଲ୍‌: ଦୀର୍ଘ ୭ ବର୍ଷ ପରେ ଟେଷ୍ଟ୍ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ଭଲ ଖେଳିଛି। ଘରୋଇ ଦଳ ତା’ର ପ୍ରଥମ ପାଳି ୩୯୬/୯ରେ ଘୋଷଣା କରିଦେବା ପରେ ଭାରତ ଲଢ଼ୁଆ ଜବାବ ଦେଇଛି। ଦ୍ବିତୀୟ ଦିବସ ଚା’ପାନ ବିରତି ପରବର୍ତୀ ଖେଳରେ ଭାରତ ୧ ୱିକେଟ୍ ହରାଇ ୧୬୭ ରନ୍‌ ସଂଗ୍ରହ କରିନେଇଥିଲା। ପ୍ରଥମ ପଦାର୍ପଣରେ ୧୭ ବର୍ଷୀୟା ସେଫାଳି ବର୍ମା‌ (୯୬*, ୧୫୨ ବଲ୍‌, ୧୨ ଚୌକା, ୨ ଛକା) ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ ଅଭିଜ୍ଞା ସ୍ମୃତି ମନ୍ଧାନା (୬୬*, ୧୪୧ ବଲ୍‌, ୧୨ ଚୌକା) ଚମତ୍କାର ଖେଳି ମୂଳଦୁଆ ପକାଇଛନ୍ତି। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୬୭ ରନ୍‌ ଉଠାଇଥିଲେ। ବଡ଼ ସଟ୍‌ ଖେଳି ଶତକ ପୂର୍ଣ୍ଣ କରିବାକୁ ଯାଇ ସେଫାଳି ଆଉଟ୍ ହୋଇଯାଇଥିଲେ।

ଗୁରୁବାର ଇଂଲଣ୍ଡ ଏହାର ପୂର୍ବଦିନର ଅସମାପ୍ତ ପାଳି ୨୬୯/୬ରୁ ଖେଳିଥିଲା। ସକାଳର ଦ୍ବିତୀୟ ଓଭର ତଥା ନିଜ ପ୍ରଥମ ଓଭରରେ ଝୁଲଣ ଗୋସ୍ବାମୀ କାଥରିନ୍‌ ବ୍ରଣ୍ଟଙ୍କ ୱିକେଟ୍ ନେଇଯାଇଥିଲେ। ଏହା ସତ୍ତ୍ବେ ‌ଟେଷ୍ଟ୍ ପଦାର୍ପଣରେ ସୋଫିଆ ଡଙ୍କଲେ୍ (୭୪*, ୧୨୭ ବଲ୍‌, ୯ ଚୌକା) ପରବର୍ତୀ ଦୁଇଟି ଭାଗୀଦାରିରେ ୧୨୬ ରନ୍‌ ଯୋଡ଼ିଦେଦାରୁ ଇଂଲଣ୍ଡ ୩୯୬ରେ ପାଳି ଘୋଷଣା କରିଥିଲା। ‌ସୋଫି ଏସେଲଷ୍ଟୋନ୍‌ (୧୭, ୫୬ ବଲ୍‌, ୧ ଚୌକା)କୁ ସାଥୀ କରି ଅଷ୍ଟମ ୱିକେଟରେ ୫୬ ରନ୍‌ ଏବଂ ଅନ୍ୟା ସ୍ରବସୋଲ୍‌ (୪୭, ୩୩ ବଲ, ୬ ଚୌକା, ୧ ଛକା)ଙ୍କୁ ନେଇ ନବମ ୱିକେଟରେ ୭୦ ରନ୍‌ କରିଥିବା ବେଳେ ପାଳି ‌ଘୋଷଣା ଆସିଥିଲା। ଭାରତ ପକ୍ଷରୁ ଦୁଇ ଅଫସ୍ପିନର୍‌ ପ୍ରଥମ ପଦାର୍ପଣକାରୀ ସ୍ନେହ ରାଣା (୪/୧୩୧) ଏବଂ ଅଭିଜ୍ଞ ଦୀପ୍ତି ଶର୍ମା (୩/୬୫) ମିଳିତ ଭାବେ ୭ ୱି‌କେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ମହିଳା ପ୍ରଥମ ପାଳି: ୩୯୬/୯, ଘୋଷିତ (ହିଥର୍‌ ନାଇଟ୍‌-୯୫, ତାମି ବିଉମଣ୍ଟ୍‌-୬୬, ସୋଫିଆ ଡଙ୍କଲେ-୭୪*, ଆନ୍ୟା ସ୍ରବସୋଲ୍‌-୪୭, ସ୍ନେହ ରାଣା-୪/୧୩୧, ଦୀପ୍ତି ଶର୍ମା-୩/୬୫, ପୂଜା ବସ୍ତ୍ରାକର-୧/୫୩, ଝୁଲଣ ଗୋସ୍ବାମୀ-୧/୫୮)। ଭାରତ ମହିଳା ପ୍ରଥମ ପାଳି: ୫୧ ଓଭରରେ ୧୭୧/୧ (ସେଫାଳି ବର୍ମା-୯୬, ସ୍ମୃତି ମନ୍ଧାନା-୭୬*, କେଟ୍‌ କ୍ରସ୍‌-୧/୩୦)।

ସମ୍ବନ୍ଧିତ ଖବର