ଟ୍ରଫି ଲଢେଇ‌େର ସେରେନା-ଆନ୍ଦ୍ରେସ୍କୁ

ନ୍ୟୁୟର୍କ: ଚଳିତ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି। ପ୍ରଥମ ଥର ଲାଗି କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିଫାଇନାଲ୍‌ ପହଞ୍ଚିଥିବା କାନାଡାର ବିଅଙ୍କା ଆନ୍ଦ୍ରିସ୍କୁ ଏହି ସଫଳତା ଧାରାକୁ ଲମ୍ବାଇ ଏଠାରେ ମହିଳା ଏକକ ଫାଇନାଲ୍‌ ପ୍ରବେଶ କରିଛନ୍ତି। ଏବେ ଏହି ଯୁବା ଖେଳାଳି ତାଙ୍କ ପିଲାଦିନର ଆଦର୍ଶ ଆମେରିକାର ଶକ୍ତିଶାଳୀ ତାରକା ‌ସେରେନା ୱିଲିୟମ୍‌ସଙ୍କ ସହ ଟ୍ରଫି ପାଇଁ ଲଢ଼ିବେ। ୧୯୯୯ ମସିହାରେ ଯେତେବେଳେ ସେରେନା ତାଙ୍କ ଜୀବନର ପ୍ରଥମ ୟୁଏସ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତିଥିଲେ ସେତେବେଳେ ଆନ୍ଦ୍ରେସ୍କୁ ଜନ୍ମ ଗ୍ରହଣ କରିନଥିଲେ। ସେତେବେଳେ ସେରେନାଙ୍କୁ ୧୭ ବର୍ଷ ବୟସ ହୋଇଥିଲା ଏବଂ ସେ ପ୍ରଥମ ଥର ୟୁଏସ୍‌ ଓପନ୍‌ ଟ୍ରଫି ଜିତିଥିଲେ। ଏବେ ୨୦ ବର୍ଷ ପରେ ସେହି ଆନ୍ଦ୍ରିସ୍କୁ ୟୁଏସ୍‌ ଓପନ୍‌ ଟ୍ରଫି ପାଇଁ ସେରେନାଙ୍କ ସହ ଲଢ଼ିବେ। ଫଳରେ ୩୭ ବର୍ଷ ବୟସ୍କା ସେରେନାଙ୍କ ପାଇଁ ତାଙ୍କ କୀର୍ତ୍ତିମାନ ସମକକ୍ଷ ୨୪ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାର ସୁଯୋଗ ଆସିଯାଇଛି। କେବଳ ଶନିବାରର ଫଳାଫଳ ଦେଖିବାକୁ ଯାହା ଅପେକ୍ଷା ରହିଛି। ଅନ୍ୟପକ୍ଷରେ ରୋମାନିଆ ଦମ୍ପତ୍ତିଙ୍କଠୁ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଆନ୍ଦ୍ରିସ୍କୁଙ୍କୁ ଏବେ ମାତ୍ର ୧୯ ବର୍ଷ। ସେରେନାଙ୍କ ସହ ମୁହାଁମୁହିଁ ହେବାକୁ ସେ ମଧ୍ୟ ଚାତକ ଭଳି ଚାହିଁ ରହିଛନ୍ତି। ଫଳାଫଳ ଯାହା ହେଉନା କାହିଁକି ସେରେନାଙ୍କ ସହ ଖେଳିବାର ଯେଉଁ ସ୍ବପ୍ନ ଦେଖିଥିଲି ତାହା ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ବାସ୍ତବରେ ପରିଣତ ହେବାକୁ ଯାଉଥିବାରୁ ଖୁବ୍‌ ଖୁସୀ ବୋଲି ଆନ୍ଦ୍ରିସ୍କୁ କହିଛନ୍ତି। ଏହା ପୂର୍ବରୁ ଉଭୟ ସେରେନା ଓ ଆନ୍ଦ୍ରେସ୍କୁ ଥରେମାତ୍ର ମୁହାଁମୁହିଁ ହୋଇଥିଲେ। ଗତମାସରେ ଟରୋ‌ଣ୍ଟୋରେ ଆୟୋଜିତ ରୋଜର୍ସ କପ୍‌ ଫାଇନାଲ୍‌ରେ ଦୁହେଁ ଅବତୀର୍ଣ୍ଣ ହୋଇଥିଲେ। ‌ସେହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଆନ୍ଦ୍ରେସ୍କୁ ୩-୧ରେ ଆଗୁଆ ରହିଥିଲା ବେଳେ ପିଠି ଯନ୍ତ୍ରଣା ଯୋଗୁଁ ସେରେନା ଓହରି ଯାଇଥିଲେ।

ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ସ୍ଲାମ୍‌ ସେମିଫାଇନାଲ୍‌ ପ୍ରବେଶ କରିଥିବା ଦୁଇ ଯୁବା ଖେଳାଳି ଆନ୍ଦ୍ରେସ୍କୁ ଏବଂ ସ୍ବିଜରଲାଣ୍ଡ୍‌ର ବେଲିନ୍ଦା ବେନ୍‌ସିକ୍‌ଙ୍କ ମଧ୍ୟରେ ମୁକାବିଲା ବେଶ୍‌ ରୋଚକ ହୋଇଥିଲା। ତେବେ ଗୁରୁବାର ରାତିରେ ଖେଳାଯାଇଥିବା ମହିଳା ଏକକ ପ୍ରଥମ ସେମିଫାଇନାଲ୍‌ରେ ଆନ୍ଦ୍ରେସ୍କୁ ସିଧାସଳଖ ୭-୬ ଓ ୭-୫ ସେଟ୍‌ରେ ବେନ୍‌ସିକ୍‌ଙ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଫାଇନାଲ୍‌ ପ୍ରବେଶ କରିଥିଲେ। ଆନ୍ଦ୍ରିସ୍କୁଙ୍କର ମଧ୍ୟ ସଫଳତା ହାର କିଛି କମ୍‌ ନାହିଁ। ସେ ବିଶେଷକରି ଡବ୍ଲୁଟିଏ ମାନ୍ୟତାର ଶୀର୍ଷ ୧୦ ପ୍ରତିଦ୍ବନ୍ଦ୍ବୀଙ୍କ ବିପକ୍ଷରେ ତାଙ୍କର ବିଜୟ ସଫଳତା ୭-୦ ରଖିଥିଲା ବେଳେ ମୋଟ ଉପରେ ତାଙ୍କ ମ୍ୟାଚ୍‌ ବିଜୟ ଧାରା ୩୩-୪ରେ ପହଞ୍ଚିଛି। ଗତବର୍ଷ କିନ୍ତୁ ଆନ୍ଦ୍ରେସ୍କୁ ୟୁଏସ୍‌ ଓପନ୍‌ ଯୋଗ୍ୟତାପର୍ଯ୍ୟାୟ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲେ। ଏଥି ସହିତ ୨୦୧୮ରେ ବିଶ୍ବ ମାନ୍ୟତାର ୧୭୮ତମ ସ୍ଥାନରେ ରହିଥିଲେ। ହେଲେ ସେମିଫାଇନାଲ୍‌ ବିଜୟ ପରେ ଏବେ ଆନ୍ଦ୍ରେସ୍କୁଙ୍କ ବିଶ୍ବ ମାନ୍ୟତା ଯଥେଷ୍ଟ ଉପରକୁ ଉଠିଯିବ। ସୋମବାର ସାନି ପ୍ରକାଶିତ ହେବାକୁ ଯାଉଥିବା ମାନ୍ୟତା ତାଲିକାରେ ସେ ଅତି କମ୍‌ରେ ନବମ ସ୍ଥାନକୁ ପଦୋନ୍ନତି ପା‌ଇବା ନିଶ୍ଚିତ ହୋଇଯାଇଛି। ଆଉ ଯଦି ଫାଇନାଲ୍‌ରେ ସେରେନାଙ୍କୁ ପରାସ୍ତ କରିଦିଅନ୍ତି, ତାହାରେ ସିଧାସଳଖ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଯିବେ।

ଗୁରୁବାରର ଦ୍ବିତୀୟ ସେମିଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍‌ ମହିଳା ଈଲିନା ସ୍ବିତୋଲିନାଙ୍କୁ ସିଧାସଳଖ ୬-୩ ଓ ୬-୧ ସେଟ୍‌ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ପକ୍କା କରିବା ସହିତ ସେରେନା ୨୪ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି କରାୟତ ଦିଗରେ ଅଗ୍ରସର ହୋଇଛନ୍ତି। ଏଥର ୟୁଏସ୍‌ ଓପନ୍‌ ଟ୍ରଫି ହାତେଇ ପାରିଲେ ସେ ମାର୍ଗାରେଟ୍‌ କୋର୍ଟ (୨୪ ଗ୍ରାଣ୍ଡ୍‌ସ୍ଲାମ୍‌)ଙ୍କ ସମକକ୍ଷ ହୋଇଯିବେ। ପୁଣି ସେମିଫାଇନାଲ୍‌ ଜିତି ସେରେନା ମଧ୍ୟ ୟୁଏସ୍‌ ଓପନ୍‌ରେ ନିଜର ୧୦୧ତମ ବିଜୟ ସହ କ୍ରିସ୍‌ ଏଭର୍ଟଙ୍କ ସମକକ୍ଷ ହୋଇଛନ୍ତି। ଆଉ ଫାଇନାଲ୍‌ରେ ଆନ୍ଦ୍ରେସ୍କୁଙ୍କୁ ହରାଇଲେ ଏଭର୍ଟଙ୍କ ୧୦୧ ମ୍ୟାଚ୍‌ ବିଜୟ ସାଙ୍ଗକୁ ୬ ଥର ୟୁଏସ୍‌ ଓପନ୍‌ ଟ୍ରଫି ହାସଲ କୀର୍ତ୍ତିମାନକୁ ଟପିଯି‌ବେ। ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ସେରେନା ଗତବର୍ଷ ୟୁଏସ୍‌ ଓପନ୍‌ ସାଙ୍ଗକୁ ଦୁଇ ଥର ୱିମ୍ବିଲଡନ୍‌ ଫାଇନାଲ୍‌ରେ ହାରି ଉପ ବିଜୟିନୀରେ ସନ୍ତୁଷ୍ଟ ରହିଛନ୍ତି। ଯାହାକି ମାର୍ଗାରେଟ୍‌ କୋର୍ଟଙ୍କ ସମକକ୍ଷ ଏବଂ ଟପିବାରେ ବିଳମ୍ବ ହୋଇଛି। ଏଥର କିନ୍ତୁ କୋର୍ଟଙ୍କ ସମକକ୍ଷ ହେବା ସହିତ ସପ୍ତମ ୟୁଏସ୍‌ ଓପନ୍‌ ଟ୍ରଫି ଜିତି ଏଭର୍ଟ (୬ ଥର ବିଜୟିନୀ)ଙ୍କୁ ଟପିବା ପାଇଁ ସେ‌ରେନା ବଦ୍ଧ ପରିକର ରହିଛନ୍ତି।

ସମ୍ବନ୍ଧିତ ଖବର