ଚର୍ଚାରେ ସେରେନାଙ୍କ କଳା ବାଘୁଣୀ ପୋଷାକ

ନ୍ୟୁୟର୍କ: ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଆମେରିକୀୟ ଟେନିସ୍‌ ତାରକା ସେରେନା ଓ୍ଵିଲିୟମ୍ସ ପିନ୍ଧୁଥିବା କଳା ପୋଷାକ ବିତର୍କର ବିଷୟ ହେବାରେ ଲାଗିଛି। ଦୀର୍ଘ ୧୫ ମାସର ବ୍ୟବଧାନ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ସେରେନାଙ୍କ ଏହି ପୋଷାକ ପ୍ରତିଯୋଗିତାର ନିୟମ ଉଲ୍ଲଂଘନ କରୁଥିବା କେତେକ ଟେନିସ୍‌ ବିଶେଷଜ୍ଞ ମତ ଦେବା ପରେ ଏଥିନେଇ ବିବାଦ ମଧ୍ୟ ସୃଷ୍ଟି ହୋଇଛି। ଗତବର୍ଷ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଚଳିତ ବର୍ଷର ଫ୍ରେଞ୍ଚ୍‌ ଓପନ ଜରିଆରେ ସେରେନା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍‌ ଟେନିସ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି। ସେଥିପାଇଁ ସେ ନିଜ ପ୍ରଥମ ମ୍ୟାଚ୍‌ ପୂର୍ବରୁ ହିଁ ସାରା ବିଶ୍ୱର ଗଣମାଧ୍ୟମର ପ୍ରମୁଖ ଶିରୋନାମା ପାଲଟିଥିଲେ। ହେଲେ ଏବେ ତାଙ୍କ ପୋଷାକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଯାହାକି ତାଙ୍କଠାରୁ ଅଧିକ ଚର୍ଚାରେ ରହିବାକୁ ଲାଗିଛି। ଏହି ପୋଷାକରେ ୩୬ ବର୍ଷୀୟା ସେରେନା ଖେଳାଳି ନୁହଁ ସୁପରହିରୋ କିମ୍ବା ଯୋଦ୍ଧା ଯୁବରାଣୀ ଭଳି ଦେଖା ଯାଉଥିବା ସମାଲୋଚକମାନେ କହିଲେଣି। ତେବେ ତାଙ୍କର ଏହି ପୋଷାକ ହଲିଉଡର ହିଟ୍‌ ଚଳଚ୍ଚିତ୍ର ‘ବ୍ଲାକ୍‌ ପ୍ୟାନ୍ଥର’ରୁ ଅନୁପ୍ରେରିତ ବୋଲି ଜଣା ପଡ଼ିଛି। ଏଥିନେଇ ତର୍କ ବିତର୍କ ଜୋର ଧରିଥିଲା ବେଳେ ନିଜ ଦ୍ୱିତୀୟ ରାଉଣ୍ଡ୍‌ ମୁକାବିଲାରେ ମଧ୍ୟ ସେରେନା ସେହି ପୋଷାକ ପିନ୍ଧିବେ ବୋଲି ତାଙ୍କ ମୁଖପାତ୍ର ସ୍ପଷ୍ଟ କରି ଦେଇଛନ୍ତି। ଅଷ୍ଟ୍ରେଲିଆର ଯୁଗଳବର୍ଗ ଖେଳାଳି ଆରିନା କୁଦ୍ରାଏତସେଭାଙ୍କଠାରୁ ଆରମ୍ଭ କରି ପ୍ରଥମ ରାଉଣ୍ଡରେ ସେରେନାଙ୍କଠାରୁ ପରାଜିତ ହୋଇଥିବା ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି କିନ୍ତୁ ତାଙ୍କ ନୂଆ ପୋଷାକ ନେଇ ପ୍ରଶ୍ନ ଉଠାଇଛନ୍ତି। ସେରେନାଙ୍କ ଯୁଗାନ୍ତକାରୀ କଳା ପୋଷାକ ଟେନିସ୍‌ ନିୟମର ପୁନର୍ନିବଚାର କରିବା ପାଇଁ ବାଟ ଖୋଲିଦେଲା ବୋଲି ରୁଷିଆର ଯୁଗଳ ବର୍ଗ ତାରକା ଆଲ୍ଲା କୁଦ୍ରାୟେତସେଭା କହିଛନ୍ତି। ସୂଚନାଯୋଗ୍ୟ ଯେ ସେରେନା ପୂର୍ବରୁ ତିନି ଥର ଫ୍ରେଞ୍ଚ ଓପନ ଜିତିଥିଲା ବେଳେ ଏବେ ଚତୁର୍ଥ ଥର ଟ୍ରଫି ଜିତିବା ଅଭିଯାନରେ ରହିଛନ୍ତି।

ସମ୍ବନ୍ଧିତ ଖବର